ଦିଲ୍ଲୀରେ ରାଜ୍ୟ ବିଜେପିର ଟିକେଟ୍ ଚର୍ଚ୍ଚା: ଖୁବଶୀଘ୍ର ଓଡିଶା ପାଇଁ ଘୋଷଣା ହେବେ ପ୍ରାର୍ଥୀ!

137

କନକ ବ୍ୟୁରୋ: ଏପର୍ଯ୍ୟନ୍ତ ମେଂଟ ଚିତ୍ର ସ୍ପଷ୍ଟ ହେଉନାହିଁ । କିନ୍ତୁ ବିଜେପି ତାର ଟିକେଟ୍ କସରତ ଚଳାଇଛି । ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀରେ ରାଜ୍ୟ ବିଜେପିର ଟିକେଟ୍ ଚର୍ଚା ଚାଲିଛି । ଆଉ ଖୁବ୍ ଶୀଘ୍ର ଓଡିଶା ପାଇଁ ପ୍ରାର୍ଥୀ ଘୋଷଣା ହୋଇପାନ୍ତି । ଆସନ୍ତାକାଲି ସିଇସି ବୈଠକରେ ଓଡିଶା ବିଜେପିର ପ୍ରାର୍ଥୀଙ୍କ ନାଁରେ ମୋହର ବାଜିବା ସମ୍ଭାବନା ରହିଛି । ବଡ କଥା ହେଉଛି, ରାଜ୍ୟ ବିଜେପି ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଦେଇଛି ।

ଦିଲ୍ଲୀରେ ଚାଲିଛି ରାଜ୍ୟ ବିଜେପି ଲାଗି ମାନସମନ୍ଥନ । ଏପଟେ କେନ୍ଦ୍ର ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡିଶା ସ୍ଥାନ ପାଇବା ନେଇ ଆଶା ବନ୍ଧି ବସିଛନ୍ତି ରାଜ୍ୟ ବିଜେପି ନେତା । ରାଜ୍ୟ ନିର୍ବାଚନ କମିଟି ବୈଠକରେ ପ୍ରସ୍ତୁତ ହୋଇଥିବା ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ଧରି ଦିଲ୍ଲି ଯାଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ତେବେ ସୋମବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଜେପିର କୋର କମିଟି ବୈଠକ ବସିଥିଲା, ସାତଟି ରାଜ୍ୟ ସମ୍ପର୍କରେ ଆଲୋଚନ ହୋଇଥିଲା । କିନ୍ତୁ ଓଡିଶା ପରିପ୍ରେକ୍ଷୀରେ ଆଲୋଚନା ହୋଇପାରିନଥିବା କୁହାଯାଉଛି । ପୁଣି ଦିଲ୍ଲୀରେ ବସିଛି ବିଜେପି କୋର କମିଟି ବୈଠକ । ଓଡ଼ିଶା ସମ୍ପର୍କରେ ହେବ ଆଲୋଚନା । ଓଡ଼ିଶା ସମେତ ୮ ରାଜ୍ୟର ଲୋକସଭା ପ୍ରାର୍ଥୀ ତାଲିକା ଚୂଡାନ୍ତ ହେବ । ଆସନ୍ତାକାଲି ସିଇସି ବୈଠକରେ ପ୍ରାର୍ଥୀଙ୍କ ନାଁରେ ମୋହର ବାଜିବ ।

ବିଜେପି ପ୍ରଥମ ପର୍ଯ୍ୟାୟରେ ୧୯୫ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୭୨ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । କିନ୍ତୁ ୨୬୭ ଆସନ ମଧ୍ୟରୁ ଓଡିଶାର କୌଣସି ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ନଥିଲା । ଆଉ ଚର୍ଚ୍ଚା ହେଉଥିଲା ବିଜେଡି-ବିଜେପି ମେଂଟ ପାଇଁ ନାଁ ଘୋଷଣା ବିଳମ୍ବ ହେଉଛି । ତେବେ ମେଂଟ ଚର୍ଚ୍ଚା ଭିତରେ ଯେଉଁ ଯେଉଁ ଆସନ ବିଜେପି ଭାଗରେ ପଡିବା ଏକ ପ୍ରକାର ନିଶ୍ଚିତ ସେହି, ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି । ଏପଟେ କିନ୍ତୁ ବିଜେପି ବିଧାୟକ କହିଛନ୍ତି, ଆମେ ୧୪୭ ବିଧାନସଭା ଓ ୨୧ ଲୋକସଭା ପାଇଁ ପ୍ରସ୍ତୁତ ହେଉଛି । ପ୍ରାର୍ଥୀଙ୍କ ସମ୍ଭାବ୍ୟ ତାଲିକା ପ୍ରସ୍ତୁତ ହେଉଛି ।

ତେବେ ପ୍ରାର୍ଥୀ ତାଲିକା ଯେତେ ବିଳମ୍ବ ହେବ, ମେଂଟ ଚର୍ଚ୍ଚର୍ା ସେତେ ଅଧିକ ହେବ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି । ତେଣୁ, ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡିଶାର କୌଣସି ନେତାଙ୍କ ନାଁ ଘୋଷଣା ହେଉଛି କି ଆହୁରି ବିଳମ୍ବ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି ।