ରାଜନୀତିରେ ଫ୍ଲପ୍ ଓଲିଉଡ୍ କଳାକାର? ଲୋକଙ୍କ ଦ୍ୱାରା ହେଉନାହାନ୍ତି କି ଗ୍ରହଣୀୟ?

269

କନକ ବ୍ୟୁରୋ: ଅନୁଭବ, ସିଦ୍ଧାନ୍ତ, ଅରିନ୍ଦମ । ଓଡିଆ ଫିଲ୍ମ ଜଗତର ଏହି ତିନି ସୁପରଷ୍ଟାର ଦୀର୍ଘଦିନରୁ ରାଜ୍ୟ ରାଜନୀତି ସହ ଜଡିତ । ୨୦୧୯ରେ କେନ୍ଦ୍ରାପଡାରୁ ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଅନୁଭବ ମହାନ୍ତି । ସେହି ବିଜେଡି ଟିକେଟରେ ୨୦୦୯ରୁ ୨୦୧୯ ଯାଏଁ ବ୍ରହ୍ମପୁରରୁ ଲୋକସଭା ସାଂସଦ ଥିଲେ ସିଦ୍ଧାନ୍ତ ମହାପାତ୍ର । ତେବେ ବିଜେଡିରେ ଦୀର୍ଘଦିନ ସକ୍ରିୟ ରହିବା ପରେ ଅବହେଳା ଅଭିଯୋଗ କରି ଏବେ ବିଜେପି ଶିବିରରେ ଯୋଗ ଦେଇଛନ୍ତି ଅରିନ୍ଦମ ରାୟ ।

୨୦୦୯ରେ ଗଞ୍ଜାମ ରାଜନୀତିରେ ହଠାତ୍ ଆବିର୍ଭାବ ହୋଇଥିବା ମୁନା ଭାଇ ହେଭିୱେଟ ନେତା ଚନ୍ଦ୍ରଶେଖର ସାହୁଙ୍କୁ ପରାଜିତ କରିଥିଲେ । ହେଲେ ଚନ୍ଦ୍ରଶେଖର ସାହୁ ବିଜେଡିକୁ ଆସୁଆସୁ ଅଲୋଡା ହୋଇଗଲେ ସିଦ୍ଧାନ୍ତ ମହାପାତ୍ର । ସେବେଠାରୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଆଉ ପ୍ରାୟତଃ ଦେଖାଯାଉନଥିଲେ ସିଦ୍ଧାନ୍ତ ମହାପାତ୍ର । କିଛିଦିନ ତଳେ ଅଚାନକ ସିଦ୍ଧାନ୍ତ ଗୋପାଳପୁରରେ ସକ୍ରିୟ ହୋଇଥିବାରୁ ତାଙ୍କ କମବ୍ୟାକ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ହେଲେ ଏବେ ଆଉ ସେଭଳି ଦେଖିବାକୁ ମିଳୁନାହିଁ ।

ନିର୍ବାଚନ ତାରଖ ଘୋଷଣା ହେବା ପରେ ସୋମବାର ନବୀନ ନିବାସରେ ପୁରୀ ଓ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ଚର୍ଚ୍ଚା ହେଉଛି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରକୁ ନେଇ ରଣନୀତି ପ୍ରସ୍ତୁତିବେଳେ ନାହାନ୍ତି ସାଂସଦ ଅନୁଭବ ମହାନ୍ତି । ପାରିବାରିକ ବିବାଦରେ ଫସିବା ପରେ ଉଭୟ ଦଳ ଓ ଦଳର ଶୀର୍ଷ ନେତୃତ୍ୱଙ୍କଠାରୁ ଅନୁଭବଙ୍କ ଦୂରତା ବଢିଯାଇଛି ।

ଅନ୍ୟପଟେ ଅରିନ୍ଦମ ୨୦୦୯ରେ ବିଜେଡିରେ ସାମିଲ ହୋଇଥିଲେ । କିନ୍ତୁ ତାଙ୍କ କାର୍ଯ୍ୟକୁ ସ୍ୱୀକୃତି ଦିଆଯାଇନଥିବା ଅଭିଯୋଗ କରି ସେ ପଦ୍ମ ଦଳରେ ସାମିଲ ହୋଇଛନ୍ତି । କୁହାଯାଉଛି ବାରବାଟୀ-କଟକ ଆସନକୁ ଅରିନ୍ଦମ ଆଖେଇ ଥିବାବେଳେ, ବିଜେପି ଟିକେଟରେ କଟକ ମେୟର ଆସନ ପାଇଁ ଲଢେଇ କରିଥିବା ଶ୍ରୀତମ ଦାସ ତାଙ୍କ ବାଟରେ କଣ୍ଟା ହୋଇପାରନ୍ତି ।

ଖାଲି ସେତିକି ନୁହେଁ, ସିନେମା କଳିକୁ ନେଇ ଚର୍ଚ୍ଚାରେ ଥିବା ମନୋଜ ମିଶ୍ର କଂଗ୍ରେସ ହାତ ଧରିବା ପରେ ବଲାଙ୍ଗୀରରୁ ନିର୍ବାଚନ ଲଢିବା ନେଇ ଆଶାବାଦୀ ଅଛନ୍ତି, ହେଲେ ଦଳ ସେମିତି କିଛି ସଙ୍କେତ ଦେଇନାହିଁ । ସେପଟେ ଦିଗପହଣ୍ଡିରୁ ହେଭିୱେଟ ନେତା ସୂର୍ଯ୍ୟ ପାତ୍ରଙ୍କ ବିରୋଧରେ ଲଢିଥିବା ପିଙ୍କି ପ୍ରଧାନଙ୍କୁ ଦଳ ଆଉଥରେ ସୁଯୋଗ ଦେବ କି ନାହିଁ ସନ୍ଦେହ । ସେହିପରି ଓଏଫଡିସି ଦାୟିତ୍ୱରେ ଥିବା କୁନା ତ୍ରିପାଠୀଙ୍କ ରାଜନୀତିରେ ଏତେଟା ସକ୍ରିୟ ନାହାନ୍ତି । ପୂର୍ବତନ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ ଓ ବର୍ତମାନର ରାଜ୍ୟସଭା ସାଂସଦ ମୁନ୍ନା ଖାନ ପ୍ରତ୍ୟକ୍ଷ ନିର୍ବାଚନୀ ରାଜନୀତିକୁ ଓହ୍ଲାଇବା ସମ୍ଭାବନା କମ୍ ।