ଉତ୍ତରପ୍ରଦେଶର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ : ୫୮ ଆସନ ପାଇଁ ଭୋଟିଂ; ୬୨୩ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ୨ କୋଟି ୨୭ ଲକ୍ଷ ଭୋଟର

୭ ପର୍ଯ୍ୟାୟ ନିର୍ବାଚନ ପରେ ମାର୍ଚ୍ଚ ୧୦ରେ ଭୋଟ ଗଣତି

100

କନକ ବ୍ୟୁରୋ: ଆଜି ଉତ୍ତରପ୍ରଦେଶର ପ୍ରଥମ ପର୍ଯାୟ ମତଦାନ । ମୋଟ ୪୦୩ ବିଧାନସଭା ଆସନ ଭିତରୁ ପ୍ରଥମ ପର୍ଯ୍ୟାୟରେ ୫୮ଟି ଆସନ ପାଇଁ ଭୋଟିଂ ହେବ । ଏଥିରେ ମୋଟ୍ ୬୨୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ୧୧ଟି ଜିଲ୍ଲାର ପ୍ରାୟ ୨ କୋଟି ୨୭ ଲକ୍ଷ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।

ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ମତଦାନ କରାଯିବ । ସାତଟି ପର୍ଯ୍ୟାୟରେ ୟୁପିରେ ନିର୍ବାଚନ ହେବ । ୭ ମାର୍ଚ୍ଚରେ ସପ୍ତମ ତଥା ଅନ୍ତିମ ପର୍ଯାୟ ଭୋଟିଂ ହେବ । ମାର୍ଚ୍ଚ ୧୦ରେ ଭୋଟ ଗଣତି ହେବ । ଏଥର ନିର୍ବାଚନରେ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି ।

ପ୍ରଥମ ପର୍ଯ୍ୟାୟ‌ରେ କିଛି ମନ୍ତ୍ରୀଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ମନ୍ତ୍ରୀମାନେ ହେଉଛନ୍ତି ଶ୍ରୀକାନ୍ତ ଶର୍ମା, ସୁରେଶ ରଣା, ସନ୍ଦୀପ ସିଂହ, କପିଳ ଦେବ ଅଗ୍ରୱାଲ୍‌, ଅତୁଲ ଗାର୍ଗ ଏବଂ ଚୌଧୁରୀ ଲକ୍ଷ୍ମୀ ନାରାୟଣ। ଆସନ୍ତାକାଲି ଶାମ୍‌ଲି, ହାପୁର, ଗୌତମ ବୁଦ୍ଧ ନଗର, ମୁଜାଫରନଗର, ମିରଟ, ବାଗପତ, ଗାଜିଆବାଦ, ବୁଲନ୍ଦସର, ଆଲିଗଡ଼, ମଥୁରା ଏବଂ ଆଗ୍ରାରେ ଭୋଟ୍‌ ଗ୍ରହଣ ଅଛି। ପ୍ରଥମ ପର୍ଯ୍ୟାୟରେ ଜାଟ୍‌ ଆଧିପତ୍ୟ ଅଞ୍ଚଳରେ ଭୋଟ୍‌ ଗ୍ରହଣ ହେଉଛି ।

ଏହି ଅଞ୍ଚଳରୁ କୃଷକମାନେ ବ୍ୟାପକ ଭାବେ କେନ୍ଦ୍ର ସରକାରଙ୍କ ୩ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ୬୨୩ ପ୍ରାର୍ଥୀ ନିର୍ବାଚନୀ ଦୌଡ଼ରେ ଅଛନ୍ତି । ଏହି ପର୍ଯ୍ୟାୟରେ ୨.୨୭ କୋଟି ଭୋଟର ଭୋଟ୍‌ ଦେବାପାଇଁ ଯୋଗ୍ୟ । ଉଲ୍ଲେଖ‌ଯୋଗ୍ୟ ୨୦୧୭ରେ ବିଜେପି ଏହି ୫୮ ଆସନରୁ ୫୩ଟିରେ ଜିତିଥିଲା । ସମାଜବାଦୀ ପାର୍ଟି ଏବଂ ବିଏସ୍‌ପି ୨ଟି ଲେଖା‌ଏଁ ଆସନରେ ଜିତିଥିଲେ ଏବଂ ରାଷ୍ଟ୍ରୀୟ ଲୋକ ଦଳ ଗୋଟିଏ ଆସନ ହାସଲ କରିଥିଲା ।