୪୯ ହଜାର ଟଙ୍କାର ସୁନା କୁଣ୍ଡଳ, ୨୦ ହଜାର ଟଙ୍କାର ରୁଦ୍ରାକ୍ଷ ମାଳାର ମାଲିକ ଯୋଗୀ ଆଦିତ୍ୟନାଥ । ପଢନ୍ତୁ, ଯୋଗୀ ଆଦିତ୍ୟନାଥଙ୍କ ସମ୍ପତ୍ତି କେତେ?

305

କନକ ବ୍ୟୁରୋ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଶୁକ୍ରବାର ସେ ଗୋରଖପୁର ସହରରୁ ନିଜର ନାମାଙ୍କନ ମଧ୍ୟ ଦାଖଲ କରିଛନ୍ତି । ତେବେ ନାମାଙ୍କନ ଦାଖଲ ବେଳେ ଫାଇଲ୍ କରାଯାଇଥିବା ଏଫିଡେବିଟରେ ସେ ନିଜର ସମ୍ପତ୍ତି ତାଲିକା ଘୋଷଣା କରିଛନ୍ତି । ଯାହା ଫଳରେ ଏବେ ତାଙ୍କ ପାଖରେ ମୋଟ ୧.୫୪ କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡିଛି । ଖାଲି ସେତିକି ନୁହେଁ ଯୋଗୀଙ୍କ ବିରୋଧରେ ଗୋଟିଏ ବି ହେଲେ କ୍ରିମିନାଲ କେସ୍ ନଥିବା ସେ ତାଙ୍କର ନାମାଙ୍କନ ଫାଇଲରେ ଉଲ୍ଲେଖ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦେଇଥିବା ସୂଚନା ମୁତାବକ, ଏବେ ତାଙ୍କ ପାଖରେ ମୋଟ ୧ କୋଟି ୫୪ ଲକ୍ଷ ୯୪ ହଜାର ୫୪ ଟଙ୍କାର ସମ୍ପତ୍ତି ଅଛି । ସେ ମଧ୍ୟରୁ ୧ ଲକ୍ଷ ଟଙ୍କା ନଗଦ ଆକାରରେ ତାଙ୍କ ପାଖରେ ରହିଛି । ତେବେ ୨୦୧୭ରେ ସେ ଯେତେବେଳେ ବିଧାନପରିଷଦ ପାଇଁ ନିର୍ବାଚନ ଲଢିଥିଲେ ସେତେବେଳେ ତାଙ୍କ ପାଖରେ ୯୫.୯୮ ଲକ୍ଷ ଟଙ୍କାର ସମ୍ପତ୍ତି ଥିଲା । ତେଣୁ ଏହି ୫ ବର୍ଷ ଭିତରେ ତାଙ୍କ ମୋଟ ସମ୍ପତ୍ତି ୬୦ ଲକ୍ଷ ଟଙ୍କା ବଢିଥିବା ସୂଚନ ମିଳିଛି ।

କେଉଁ କେଉଁ ସମ୍ପତ୍ତିର ମାଲିକ ଯୋଗୀ ଆଦିତ୍ୟନାଥ?

  • ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଦିଲ୍ଲୀ, ଲକ୍ଷ୍ନୌ ଓ ଗୋରଖପୁର ସମେତ ୬ଟି ଜାଗାରେ ମୋଟ ୧୧ଟି ବ୍ୟାଙ୍କ୍ ଆକାଉଣ୍ଟ ଅଛି । ଏହି ଆକାଉଣ୍ଟରେ ମୋଟ ୧ କୋଟି ୧୩ ଲକ୍ଷ ୭୫ ହଜାର ଟଙ୍କା ଜମା ରହିଛି ।
  • ଯୋଗୀଙ୍କ ପାଖରେ କୌଣସି ଜମି କିମ୍ବା ଘର ନାହିଁ । ତେବେ ନ୍ୟାସନାଲ ସେଭିଙ୍ଗ୍ ସ୍କିମ୍ ଓ ବୀମା ପଲିସି ଜରିଆରେ ତାଙ୍କ ପାଖରେ ୩୭.୫୭ ଲକ୍ଷ ଟଙ୍କା ରହିଛି ।
  • ଯୋଗୀ ଆଦିତ୍ୟନାଥଙ୍କ ପାଖରେ ଏକ ସୁନାର କୁଣ୍ଡଳ ମଧ୍ୟ ରହିଛି । ଯାହାର ଓଜନ ୨୦ ଗ୍ରାମ, ଦାମ ୪୯ ହଜାର ଟଙ୍କା । ଏହା ସହିତ ସେ ସୁନାରେ ତିଆରି ହୋଇଥିବା ଏକ ରୁଦ୍ରାକ୍ଷ ମାଳା ମଧ୍ୟ ପିନ୍ଧିଥାନ୍ତି । ଯାହାର ଦାମ ୨୦ ହଜାର ଟଙ୍କା ।
  • ତାଙ୍କ ପାଖରେ ୧୨ ହଜାର ଟଙ୍କାର ଏକ ମୋବାଇଲ୍ ଫୋନ୍ ମଧ୍ୟ ରହିଛି । ଏହାସହ ଯୋଗୀଙ୍କ ପାଖରେ ୧ ଲକ୍ଷ ଟଙ୍କାର ଏକ ରିଭଲବର, ୮୦ ହଜାର ଟଙ୍କାର ଏକ ରାଇଫଲ ରହିଛି ।

ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଏହା ପୂର୍ବରୁ ସେ ୧୯୯୮ ମସିହାରେ ପ୍ରଥମ କରି ଲୋକସଭା ନିର୍ବାଚନ ଲଢିଥିଲେ । ଏହାପରେ ପରେ ସେ ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ନିର୍ବାଚନ ଜିତି ଲଗାତାର ୫ ଥର ସାଂସଦ ହୋଇଥିଲେ । ୨୦୧୭ ମସିହାରେ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ତେବେ ମୁଖ୍ୟମନ୍ତ୍ରୀ ହେବା ପାଇଁ ସେ ସାଂସଦ ପଦରୁ ଇସ୍ତଫା ଦେଇ ୟୁପି ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ ।