ଘର କାନ୍ଥରେ ପାଠପଢା: ଶିକ୍ଷକ ଚଳାଇଛନ୍ତି ‘ମୋ ଘର କଳାପଟା ମିଶନ’, ଘର ଘର ବୁଲି ପଢାଉଛନ୍ତି ପାଠ

90

କନକ ବ୍ୟୁରୋ: କରୋନା କଟକଣା ଯୋଗୁଁ ପ୍ରାଥମିକ ବିଦ୍ୟାଳୟ ଗୁଡିକ ସଂପୂର୍ଣ୍ଣ ଭାବେ ବନ୍ଦ ରହିଛି । ଆସନ୍ତା ୧୪ ତାରିଖରୁ ସ୍କୁଲ ଖୋଲିବା ନେଇ ସରକାର ଘୋଷଣା କରିଛନ୍ତି । ତେବେ ସ୍କୁଲ ବନ୍ଦ ଥିବା ବେଳେ ଛାତ୍ରଛାତ୍ରୀଙ୍କ ଘରେ ଘରେ ବିଦ୍ୟାଳୟ ଭଳି ପରିବେଶ ସୃଷ୍ଟି କରିଛନ୍ତି ଜଣେ ଶିକ୍ଷକ । ନିଜସ୍ୱ ଉଦ୍ୟମରେ ଚଳାଇଛନ୍ତି ମୋ ଘର କଳାପଟା ମିଶନ ।

ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ଏଭଳି ମିଶନ ଆରମ୍ଭ କରିଛନ୍ତି, କନ୍ଧମାଳ ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ କରଣ୍ଡାଗଡ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀମାଞ୍ଜଳ ମୁଖୀ । ନେଟ୍ୱାର୍କ ସମସ୍ୟା ଯୋଗୁଁ ଅନଲାଇନ୍ରେ ପଢି ପାରୁନଥିବା ଛାତ୍ରଛାତ୍ରୀଙ୍କୁ ପଢାଉଛନ୍ତି । ଗାଁରେ ଘର କାନ୍ଥରେ କଳାପଟା ନିର୍ମାଣ କରି, ସେଠାରେ ପଢାଉଛନ୍ତି । ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ନିଜ ଘରେ କଳାପଟାରେ ପାଠ ଲେଖୁଛନ୍ତି ଏବଂ ପଢୁଛନ୍ତି ।

ପ୍ରଧାନ ଶିକ୍ଷକ ସିମାଞ୍ଜଳ ମୁଖୀ ଏବଂ ଅନ୍ୟ ସହେଯାଗୀ ଶିକ୍ଷକମାନେ ଘରକୁ ଘର ଯାଇ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପଢାଉଛନ୍ତି । ପ୍ରଧାନ ଶିକ୍ଷକଙ୍କ ନିଜସ୍ୱ ଉଦ୍ୟମରେ ୧୭ଟି ଘରେ ଏହି କଳାପଟା ତିଆରି କରିଛନ୍ତି । ଶିକ୍ଷକଙ୍କ ଏଭଳି ଉଦ୍ୟମ ଯୋଗୁଁ ଛାତ୍ରଛାତ୍ରୀ ପାଠ ପଢି ପାରୁଥିବା ବେଳେ ଅବିଭାବକମାନେ ପ୍ରଧାନ ଶିକ୍ଷକଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

କରୋନାକୁ ନେଇ ରାଜ୍ୟରେ ପ୍ରାୟ ଦୁଇ ବର୍ଷ ହେଲା ପ୍ରାଥମିକ ବିଦ୍ୟାଳୟ ବନ୍ଦ ରହିଛି । ସ୍କୁଲ ବନ୍ଦ ଥିବାରୁ ଉପାନ୍ତ ଅଂଚଳର ପିଲାମାନେ ପାଠ ପଢାରୁ ଦୂରେଇ ଯାଇଥିଲେ, ସେମାନଙ୍କୁ ଶିକ୍ଷାଭିମୁଖୀ କରିବା ପାଇଁ ପ୍ରଧାନ ଶିକ୍ଷକ ଚଳାଇଛନ୍ତି ‘ମୋ ଘର କଳାପଟା ମିଶନ’ ।