ଋଷ-ୟୁକ୍ରେନ ଯୁଦ୍ଧ ଭିତରେ ବଡ ଖବର, ୪ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ୟୁକ୍ରେନର ଉପ-ବୈଦେଶିକ ମନ୍ତ୍ରୀ

145

କନକ ବ୍ୟୁରୋ : ଋଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ୧ବର୍ଷରୁ ଅଧିକ ହୋଇଗଲାଣି । ଏହାରି ମଧ୍ୟରେ କିଛି ଦେଶ ସିଧା ସଳଖ ଋଷକୁ ସମର୍ଥନ କରୁଥିବା ବେଳେ କିଛି ଦେଶ ୟୁକ୍ରେନକୁ ସହାୟତା ଯୋଗାଇ ଦେଉଛନ୍ତି । ହେଲେ ଏହି ମାମଲାରେ ଭାରତ ଏପର୍ଯ୍ୟନ୍ତ ନିରପେକ୍ଷତା ବଜାୟ ରଖିଛି । ହେଲେ ଏବେ ୟୁକ୍ରେନର ଉପ-ବୈଦେଶିକମନ୍ତ୍ରୀ ୪ଦିନିଆ ଭାରତ ଗସ୍ତରେ ଆସୁଥିବା ଖବର ପ୍ରଚାରିତ ହେବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଏହି ଗସ୍ତ ସମୟରେ ଦ୍ୱିପାକ୍ଷିକ ସଂପର୍କ, ୟୁକ୍ରେନରେ ଲାଗି ରହିଥିବା ସ୍ଥିତି ଉପରେ ମତ ବିନିମୟ ଓ ବିଶ୍ୱ ସମସ୍ୟା ସହ ଉଭୟ ଦେଶଙ୍କ ମଧ୍ୟରେ ପାରସ୍ପାରିକ ସ୍ୱାର୍ଥ ସଂକ୍ରାନ୍ତରେ ଆଲୋଚନା ହେବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି । ଏନେଇ ଭାରତ ସରକାରଙ୍କ ସହ ଆଲୋଚନା କରିବେ ୟୁକ୍ରେନର ଉପ-ବୈଦେଶିକମନ୍ତ୍ରୀ ଏମିନ୍ ଝାପରୋଭା ।

ଏହି ଗସ୍ତ ସମୟରେ ଏମିନ୍ ଖାପରୋଭା ଭାରତୀ ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖି ଓ ଉପ- ଜାତୀୟ ନିରପତ୍ତା ଉପଦେଷ୍ଟା ବିକ୍ରମ ମିସ୍ରୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସମ୍ବାଦପତ୍ର ‘ଦି ହିନ୍ଦୁ’ ରିପୋର୍ଟ ଅନୁସାରେ, ଗସ୍ତ ସମୟରେ ଝାପ୍‌ରୋଭା ଭାରତରୁ ମାନବୀୟ ସହାୟତା ଏବଂ ରୁଷ୍‌ ଆକ୍ରମଣ ସମୟରେ ନଷ୍ଟ ହୋଇଯାଇଥିବା ଶକ୍ତି ଭିତ୍ତିଭୂମି ମରାମତି କରିବା ଲାଗି ଯନ୍ତ୍ରପାତି ଲୋଡ଼ିପାରନ୍ତି। କିବ୍‌ ଗସ୍ତ କରିବା ଲାଗି ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ନିମନ୍ତ୍ରଣ କରିପାରନ୍ତି।