ବ୍ୟାଙ୍କକୁ ଆସୁଛି ଭତା ଟଙ୍କା: ୫ଶହ ଟଙ୍କା ଆଣିବା ପାଇଁ ଯିବା-ଆସିବା କରିବାକୁ ପଡୁଛି ୫୦ କିଲୋମିଟର ରାସ୍ତା

154

କନକ ବ୍ୟୁରୋ: ସରକାର ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମଙ୍କୁ ମାସିକ ଭତା ଦେଉଛନ୍ତି । ଏବେ ଏହି ଭତା ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟକୁ ପଠାଯାଉଛି । ଅନେକ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଂଟ ନଥିବା ବେଳେ ଯେଉଁମାନଙ୍କ ବ୍ୟାଙ୍କ ଆକାଉଂଟକୁ ଟଙ୍କା ଯାଉଛି, ସେମାନେ ଟଙ୍କା ଉଠାଇବା ପାଇଁ ବହୁ ଅସୁବିଧା ଭୋଗୁଛନ୍ତି । ବ୍ୟାଙ୍କରୁ ଉଠାଇବା ପାଇଁ ଯିବା ଆସିବା କରିବା ବାଟରେ ୨ ଶହ ଟଙ୍କା ଖର୍ଚ ହେଉଛି । ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କୁଜାସିଂ ପଂଚାୟତର ହିତାଧିକାରୀ ଏଭଳି ଅଭିଯୋଗ କରିଛନ୍ତି । ବାର୍ଦ୍ଧକ୍ୟ ଭତା ପାଉଥିବା ହିତାଧିକାରୀ କହିଛନ୍ତି, ସରକାର ୫ଶହ ଟଙ୍କା ଭତା ଦେଉଥିବା ବେଳେ ବ୍ୟାଙ୍କ ଯିବା ବାଟରେ ୨ ଶହ ଟଙ୍କା ଖର୍ଚ ହୋଇଯାଉଛି ।

କୁଜାସିଂ ପଂଚାୟତରେ ୬୨୧ ଜଣ ହିତାଧିକାରୀ ଭତା ପାଉଛନ୍ତି । ସେମାନଙ୍କ ମଧ୍ୟରୁ ୪୮ ଜଣଙ୍କର ବ୍ୟାଙ୍କ ଆକାଉଂଟ ନାହିଁ । ଆଉ କିଛି ବ୍ୟାଙ୍କରୁ ଟଙ୍କା ଉଠାଣ ବାବଦରେ ଜାଣି ନାହାନ୍ତି । କିଛି ହିତାଧିକାରୀକଙ୍କ ଆକାଉଂଟ ପାରଳାଖେମୁଣ୍ଡି ବ୍ୟାଙ୍କରେ ରହିଛି । ତେଣୁ ଟଙ୍କା ଉଠାଇବା ପାଇଁ ଗୁମ୍ମା କୁଜାସିଂରୁ ପାରଳାଖେମୁଣ୍ଡି ଯିବାକୁ ପଡୁଛି । ଆଉ ଏଥିପାଇଁ ପ୍ରତିମାସରେ ବସ୍ରେ ଗୁମ୍ମାରୁ ପାରଳାଖେମୁଣ୍ଡି ଯିବା ଆସିବା କରିବା ଓ ବାହାରେ ଓଳିଏ ଖାଇବା ଦ୍ୱାରା ୨ ଶହ ଟଙ୍କା ଖର୍ଚ କରିବାକୁ ପଡୁଛି । ତେଣୁ ପୂର୍ବ ଭଳି ହାତରେ ଭତା ଦେବା ପାଇଁ ହିତାଧିକାରୀ ଦାବି କରିଛନ୍ତି । ହିତାଧିକାରୀଙ୍କ ସମସ୍ୟାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ସରପଂଚ । କହିଛନ୍ତି, ସରକାର ସ୍ଥାନୀୟ ଲୋକଙ୍କ ସ୍ଥିତିକୁ ଦେଖି ନିଷ୍ପତି ନେବା ଜରୁରୀ ହୋଇପଡିଛି ।