ଫାଉଣ୍ଡେସନରୁ ଆଗକୁ ବଢୁନି ବିଦ୍ୟାଳୟ କୋଠା ନିର୍ମାଣ: ଆରଏମସି ଗୋଦାମ ଘରେ ଚାଲିଛି କୁନି କୁନି ପିଲାଙ୍କ ପାଠପଢା

76

କନକ ବ୍ୟୁରୋ: ମୂଳଦୁଆରୁ ଉଠି ପାରୁନାହିଁ ବିଦ୍ୟାଳୟ ଗୃହ । ଆର.ଏମ.ସି ଗୋଦାମ ଘରେ ଚାଲିଛି ପିଲାଙ୍କ ଭବିଷ୍ୟତ ଗଢ଼ା । ଫାଇଭ୍-ଟି କାର୍ଯ୍ୟକ୍ରମରେ ପୁରୁଣା ସ୍କୁଲର ରୂପାନ୍ତରିକରଣ କରାଯାଉଛି । ସ୍ମାର୍ଟ ସ୍କୁଲ ବାବଦରେ କୋଟି କୋଟି ଟଙ୍କା ଖର୍ଚ ହେଉଛି । କିନ୍ତୁ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ସ୍ମାର୍ଟ କ୍ଲାସ ରୁମ୍ ଓ ସ୍ମାର୍ଟ ଲାଇବ୍ରେରୀ ତ ଦୂରର କଥା, ମୁଳଦୁଆରୁ ଉଠି ପାରୁନାହିଁ ବିଦ୍ୟାଳୟ ନିର୍ମାଣ କାମ । ବିଦ୍ୟାଳୟର ନିଜସ୍ୱ ଶ୍ରେଣୀଗୃହ ନଥିବାରୁ ଆର.ଏମ.ସି ଚାଉଳ ଗୋଦାମ ଘରେ କୁନିକୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢା ହେଉଛି । ଶିକ୍ଷୟତ୍ରୀଙ୍କ ଘର ବାରଣ୍ଡା ବସି ମଧ୍ୟାହ୍ନ ଭୋଜନ ଖାଉଛନ୍ତି ପିଲା । ଶିକ୍ଷା ବିଭାଗର ବିକଳ ଚିତ୍ର ଆସିଛି ନବରଙ୍ଗପୁର ଝରିଗାଁରୁ ।

ସରକାରଙ୍କ ଶିକ୍ଷାନୀତିକୁ ବିଦ୍ରୁପ କରୁଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଉଦଳିଆଗୁଡା ପ୍ରାଥମିକ ବିଦ୍ୟାଳୟ । ବ୍ଲକ ଅଫିସ ଠାରୁ ମାତ୍ର ୧ କିଲୋମିଟର ଦୂରରେ ରହିଛି ଏହି ସ୍କୁଲ । ହେଲେ ଏଠି ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ନାହିଁ, ମଧ୍ୟାହ୍ନ ଭୋଜନ ରୋଷେଇ ଗୃହ ନାହିଁ କି ଖେଳ ପଡିଆ ନାହିଁ । ଯେଉଁଠି ଚାଉଳ ଗୋଦାମ ଘରେ ସ୍କୁଲ ଚାଲେ ସେଠି କେମିତି ଶିକ୍ଷା ବ୍ୟବସ୍ଥା କେତେ ସୁଦୃଢ ତାହା ଏହି ଚିତ୍ରକୁ ଦେଖି ଟିକେ ଅନୁମାନ କରନ୍ତୁ । ୨୦୧୪ରୁ ଆରମ୍ଭ ହୋଇଥିବା ଏହି ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଂଚମ ଶ୍ରେଣୀ ଯାଏଁ ୪୮ଜଣ ଛାତ୍ରଛାତ୍ରୀ ପାଠ ପଡୁଛନ୍ତି ।

ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟର ନିଜସ୍ୱ ଶ୍ରେଣୀଗୃହ ନଥିବାରୁ କିଛି ମାସ ଭଡ଼ା ଘରେ ସ୍କୁଲ ଚାଲିଥିଲା । ପରେ ବ୍ଲକ ପ୍ରଶାସନ ନିର୍ଦ୍ଦେଶ କ୍ରମେ ଝରିଗାଁ କଲେଜ ପାଚେରୀ ଭିତରେ ଥିବା ଆରଏମସିର ଏକ ପୁରୁଣା ଗୋଦାମ ଗୃହରେ କୁନିକୁନି ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ । ଏବଂ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଘରେ ମଧ୍ୟାହ୍ନ ଭୋଜନ ରୋଷେଇ କରି ପିଲାଙ୍କୁ ଦିଆଯାଉଛି । ସେପଟେ ୭ ବର୍ଷ ହେଲାଣି ସ୍କୁଲ କୋଠା ନିର୍ମାଣ ପାଇଁ ମୁଳଦୁଆ ପଡିଛି । ତେବେ କୋଠା ନିର୍ମାଣରେ ଜମି ବିବାଦ ଲାଗି ରହିଥିବାରୁ ଆଜି ଯାଏଁ ନିର୍ମାଣ କାମ କେବଳ ଫାଉଣ୍ଡେସନ୍ରେ ସୀମିତ ରହିଛି ।