କେନାଲ ପୁନଃରୁଦ୍ଧାର କାମରେ କୋଟି କୋଟି ଟଙ୍କାର ଦୁର୍ନୀତି: ୩ରୁ ୪ ଫୁଟର କେନାଲ ପାଇଁ ଖର୍ଚ୍ଚ ହୋଇଛି ୫ କୋଟିରୁ ଅଧିକ ଟଙ୍କା

101

କନକ ବ୍ୟୁରୋ: କେନାଲ ପୁନରୁଦ୍ଧାର ନାଁରେ ଖାଇଗଲେ କୋଟିକୋଟି ଟଙ୍କା । ଅଣ ଜଳସେଚିତ ବ୍ଲକର ଚାଷଜମିକୁ ପାଣି ଯୋଗାଇବା ପାଇଁ କେନାଲ ମରାମତି ବାବଦରେ କୋଟିକୋଟି ଟଙ୍କା ଖର୍ଚ ହେଉଛି । ହେଲେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକରେ କେନାଲ ପୁନଃରୁଦ୍ଧାର ନାଁରେ ବିଭାଗୀୟ ଯନ୍ତ୍ରୀ, ଠିକାଦାର ମିଶିମିଶି ସରକାରୀ ଅର୍ଥକୁ ଲୁଟି ନେଉଛନ୍ତି । ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରେ ଜଳ ସମ୍ପଦ ବିଭାଗର ଦୁର୍ନୀତି ସାମ୍ନାକୁ ଆସିଛି । କେନାଲର ତଳଭାଗକୁ ୮ ମିଟର ଅର୍ଥାତ୍ ୨୬ ଫୁଟ ଚଉଡା ଏବଂ ଉପର ଭାଗକୁ ୧୨ ମିଟର ଅର୍ଥାତ ୪୦ ଫୁଟ ଚଉଡା କରାଯାଇଛି । ଅର୍ଥାତ ଚାଷୀଙ୍କୁ ପାଣି ଯୋଗାଇ ଦେବା ପାଇଁ ନଈ ଭଳି ଚଉଡାର କେନାଲ ଖୋଳାଯାଇଛି ।

ମାତ୍ର ବାସ୍ତବରେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । କେଉଁଠି ୩ ଫୁଟ ଗଭୀର ୧୦ ଫୁଟ ଚଉଡା ତ ଆଉ କେଉଁଠି ୪ ଫୁଟ ଗଭୀର ୧୪ ଫୁଟ ଚଉଡାର କେନାଲ ଖୋଳି ଠିକାଦାର ଏବଂ ଯନ୍ତ୍ରୀ କୋଟିକୋଟି ଟଙ୍କା ହରିଲୁଟ କରିଛନ୍ତି । ଫଳରେ କେନାଲ ଏବେ ବିଶୁଖିଲା ପଡିଛି । ବର୍ଷା ଏବଂ ଜୁଆର ପାଣି ଏହି କେନାଲ ମଧ୍ୟକୁ ପ୍ରବେଶ କରୁନାହିଁ । କେନ୍ଦ୍ରାପଡା ରାଜନଗରରେ ବ୍ଲକରେ କେନାଲ ପୁନଃରୁଦ୍ଧାର ପାଇଁ ୫ କୋଟି ୩୪ ଲକ୍ଷ ୭୮ ହଜାର ଟଙ୍କା ବ୍ୟୟରେ ଠିକାଦାର ନିଯୁକ୍ତି ନିଯୁକ୍ତି କରାଯାଇଛି । କେନାଲ ପୁନଃରୁଦ୍ଧାର ସହିତ କେନାଲକୁ ଚଉଡା କରିବା ଏବଂ କେନାଲର ଦୁଇ ପାଶ୍ୱର୍ର୍ହୁଡାକୁ ସମତୁଲ କରିବା ପାଇଁ ୨ କୋଟି ଟଙ୍କା ଦିଆଯାଇଛି । ଅବଶିଷ୍ଟ ଟଙ୍କା ପାଦ ଚଲାସେତୁ, ସ୍କୁଇସ୍ କଲର୍ଭଟ, ରାସ୍ତାରେ ମୋରମ ବିଛାଇବା, ବାଲି ଫିଲିଂ ଆଦି କାମ ପାଇଁ ଏଷ୍ଟିମେଂଟରେ ରଖାଯାଇଛି । ହେଲେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ଦୁର୍ନୀତିଖୋର ମନୋଭାବ ଯୋଗୁଁ କୋଟି କୋଟି ଟଙ୍କା ଖର୍ଚ ହୋଇଥିଲେ ବି ଚାଷୀଙ୍କ କାମରେ ଆସୁନାହିଁ କେନାଲ ।