କନକ ବ୍ୟୁରୋ: ମହାନଦୀରେ ଆସୁଛି ବନ୍ୟା । ପ୍ରଥମେ ଛୋଟ ବନ୍ୟାର ଆକଳନ କରାଯାଇଥିଲା, ପରେ ମଧ୍ୟମ ଧରଣର ବନ୍ୟା ଆକଳନ କରିଥିଲେ ସରକାର । ଏବେ ଅଧିକ ବନ୍ୟା ଜଳ ହୀରାକୁଦକୁ ପ୍ରବେଶ କରୁଛି, ଅବଶ୍ୟ ପୂର୍ବରୁ ୩୪ଟି ଗେଟ୍ରେ ପାଣି ଛଡ଼ାଯାଉଥିଲା, ବନ୍ୟା ପରିଚାଳନା କରିବା ପାଇଁ ୮ଟି ଗେଟ୍କୁ ବନ୍ଦ କରାଯାଇଛି । କିନ୍ତୁ ତେଲ୍ ନଦୀ ଓ ଅନ୍ୟାନ୍ୟ ଉପନଦୀର କ୍ୟାଚ୍ମେଂଟ ଏରିଆରେ ପ୍ରବଳ ବର୍ଷା ହୋଇଥିବାରୁ ମହାନଦୀକୁ ମାଡ଼ି ଆସୁଛି ପାଣି । ତେଣୁ ବଡ଼ ବନ୍ୟା ହେବାର ଆଶଙ୍କା ବଢ଼ିଯାଇଛି । ବିଶେଷ କରି ମହାନଦୀ ତଳି ଅଂଚଳକୁ ବିପଦ ବଢ଼ିଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି । ଅପରାହ୍ଣ ୩ଟା ବେଳେ ହୀରାକୁଦ ଡ୍ୟାମ୍ର ଜଳସ୍ତର ୬୨୧.୫୪ ଫୁଟ ରହିଥିଲା । ପ୍ରତି ସେକେଣ୍ଡକୁ ୯ ଲକ୍ଷ ୮୫ ହଜାର ଘନଫୁଟ ଜଳ ଡ୍ୟାମ ଭିତରକୁ ପ୍ରବେଶ କରୁଛି, ୨୪ଟି ଗେଟ୍ ନେଇ ସେକେଣ୍ଡକୁ ୪ ଲକ୍ଷ ୪୬ ହଜାର ଘନଫୁଟ ପାଣି ନିଷ୍କାସନ ହେଉଛି । ତେଣୁ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି । ତେଣୁ ସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି । ବଡ଼ ବନ୍ୟା ହେବାର ଆଶଙ୍କାରେ ଉଦ୍ଧାର କାର୍ଯ୍ୟ ପାଇଁ ଅଧିକ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ମୂତୟନ କରାଯାଇଛି ।
ସମୟ ଯେତିକି ଗଡୁଛି, ଭୟ ସେତିକି ବଢୁଛି । କାରଣ ମହାନଦୀରେ ଜଳପ୍ରବାହ ବଢ଼ିବାରେ ଲାଗିଛି । ଏ ହେଉଛି କଟକ ମୁଣ୍ଡଳୀର ଚିତ୍ର । ଆଜି ଅପରାହ୍ଣରେ ୧୦ ଲକ୍ଷ ୨୬ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ସମୟ ଗଡିବା ସହ ପାଣିର ପରିମାଣ ବଢ଼ିବ । ଆସନ୍ତାକାଲି ସଂଧ୍ୟା ପର୍ଯ୍ୟନ୍ତ ପାଣିର ପ୍ରବାହ ବଢ଼ି ବଢ଼ି ଚାଲିବ ବୋଲି ପୂର୍ବାନୁମାନ କରାଯାଇଛି ।
ଉପରମୁଣ୍ଡରେ ପ୍ରବଳ ବର୍ଷର୍ ହୋଇଥିବାରୁ ପାଣିର ଇନ୍ଫ୍ଲୋ ବଢୁଛି, ୮ଟି ଗେଟ୍ ବନ୍ଦ ହୋଇଥିବାରୁ ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ିବାରେ ଲାଗିଛି । ନଜର ପକାଇବା – ମହାନଦୀରେ ବଡ଼ ବନ୍ୟା ସମୟରେ କେତେ ରହିଥିଲା ଜଳସ୍ତର, କେତେ ରହିଛି ଜଳ ପ୍ରବାହ –
ଅଗଷ୍ଟ ୩୦, ୨୦୦୩
ହୀରାକୁଦ ଜଳସ୍ତର ରହିଥିଲା ୬୨୯.୧୯ ଫୁଟ୍
ଖୋଲିଥିଲା ୪୩ ଗେଟ୍ ମୁଣ୍ଡଳୀରେ ଯାଇଥିଲା ୧୩.୫ ଲକ୍ଷ କ୍ୟୁସେକ
ସେପ୍ଟେମ୍ବର ୨୦ ,୨୦୦୮
ହୀରାକୁଦ ଜଳସ୍ତର ରହିଥିଲା ୬୩୦ ଫୁଟ୍
ଖୋଲିଥିଲା ୪୦ ଗେଟ୍, ମୁଣ୍ଡଳୀ ଦେଇ ଯାଇଥିଲା ୧୫.୮୧ ଲକ୍ଷ କ୍ୟୁସେକ
ସେପ୍ଟେମ୍ବର ୧୧ ,୨୦୧୧
ହୀରାକୁଦ ଜଳସ୍ତର ରହିଥିଲା ୬୨୮.୪୧ ଫୁଟ୍
ଖୋଲାଥିଲା ୪୯ ଗେଟ୍, ମୁଣ୍ଡଳୀ ଦେଇ ଯାଇଥିଲା ୧୩.୬୭ ଲକ୍ଷ କ୍ୟୁସେକ
ଅଗଷ୍ଟ ୩୧ ,୨୦୨୦
ହୀରାକୁଦ ଜଳସ୍ତର ରହିଥିଲା ୬୨୭.୨୧ ଫୁଟ୍
ଖେଲାଥିଲା ୩୬ ଗେଟ୍, ମୁଣ୍ଡଳୀ ଦେଇ ଯାଇଥିଲା ୧୦.୨୧ ଲକ୍ଷ କ୍ୟୁସେକ ଜଳ
ଏବେ ଆକଳନ କରାଯାଉଛି, ଆସନ୍ତାକାଲି ସଂଧ୍ୟା ସୁଦ୍ଧା ମୁଣ୍ଡଳୀରେ ପାଖାପାଖି ସାଢ଼େ ୧୨ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହୋଇପାରେ । ଏହାକୁ ୧୧ ଲକ୍ଷ କ୍ୟୁସେକ୍ ଭିତରେ ରଖିବାକୁ ଉଦ୍ୟମ କରାଯାଉଥିବା କହଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର ।
ଯେତିକି ପାଣି ଛତିଶଗଡ଼ ବା ମହାନଦୀର ଉପରମୁଣ୍ଡରୁ ଆସୁଛି, ଯେତିକି ତେଲ ନଦୀ ଭଳି ଶାଖା ନଦୀରୁ ଆସି ମହାନଦୀରେ ମିଶୁଛି, ତାହା ବଡ଼ଧରଣର ବନ୍ୟା କରିବା ଆଶଙ୍କା କରାଯାଉଛି । ତେଣୁ ଏହାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର ।
ମହାନଦୀ ଓ ଏହାର ଶାଖା ନଦୀର ତଳି ଅଂଚଳ ଉପରେ ବିପଦ ଘନଉଛି । ବିଶେଷ କରି ଅନଗୁଳ – ଆଠମଲ୍ଲିକ, କଟକ – ବାଙ୍କୀ, ଆଠଗଡ଼, ବଡ଼ମ୍ବା, ନରସିଂହପୁର, କେନ୍ଦ୍ରାପଡ଼ା – ଡେରାବିଶ, ମାର୍ଶାଘାଇ, ମହାକାଳପଡ଼ା, ଗରଦପୁର, ଜଗତସିଂହପୁର – ତିର୍ତ୍ତୋଲ, କୁଜଙ୍ଗ, ବାଲିକଣୀ, ସାମନ୍ତରାପୁର, ଯୋଗଣିଆ, ଶଙ୍ଖେଶ୍ୱର । ଆଦି ଅଂଚଳ ଉପରେ ଅଧିକ ନଜର ରହିଛି ।