ବିଭିନ୍ନ ପ୍ରସଙ୍ଗରେ ବିଚାରପତିଙ୍କୁ କରାଯାଉଥିବା ସମାଲୋଚନା ଉପରେ ଭାବି ମୁଖ୍ୟ ବିଚାରପତିଙ୍କ ବୟାନ, ଜାଣନ୍ତୁ କ’ଣ କହିଲେ ଜଷ୍ଟିସ ଉମେଶ ଉଦୟ ଲଲିତ

229

କନକ ବ୍ୟୁରୋ : ଚଳିତମାସ ୨୭ ତାରିଖରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେବାକୁ ଯାଉଛନ୍ତି ଜଷ୍ଟିସ ଉମେଶ ଉଦୟ ଲଲିତ । ଏହା ପୂର୍ବରୁ ସେ ଆଜି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନ୍ୟାୟପାଳିକା ଉପରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ପରାମର୍ଶମାନ ଦେଇଛନ୍ତି । ସାକ୍ଷାତକାର ବେଳେ ଜଷ୍ଟିସ ଲଲିତ କହିଛନ୍ତି କି ଆମ ସମ୍ବିଧାନ ମୁତାବକ ଦେଶର ପ୍ରତିଟି ନାଗରିକଙ୍କର ନ୍ୟାୟ ପାଇବାର ଅଧିକାର ରହିଛି । ହେଲେ ଏହି ଲକ୍ଷ୍ୟପ୍ରାପ୍ତି ପାଇଁ ଗରୀବ ଓ ଧନୀଙ୍କ ମଧ୍ୟରେ ଥିବା ଦୂରତା ପ୍ରଥମେ ଦୂର ହେବା ଦରକାର । ସେପଟେ ଜେଲରେ ବିଚାରଧିନ ଭାବେ ରହିଥିବା କଏଦୀଙ୍କୁ ନେଇ ସେ ଚିନ୍ତାପ୍ରକଟ କରିଛନ୍ତି । ସେ କହିଛନ୍ତି କି, ନ୍ୟାୟପାଳିକା ପାଇଁ ଏହା ସବୁଠାରୁ ଚିନ୍ତାଜନକ ବିଷୟ ଓ ଏହାକୁ ଖୁବଶୀଘ୍ର ସମାପ୍ତ ହେବା ଦରକାର । ସେ କହିଛନ୍ତି କି, ଜେଲରେ ଥିବା ସମସ୍ତ କଏଦୀଙ୍କ ମଧ୍ୟରୁ ୯୦ ପ୍ରତିଶତ କଏଦୀ ବିଚାରଧିନ । ସେପଟେ ନ୍ୟାୟପାଳିକାର ଇତିହାସ କହିବାକୁ ଯାଇ ସେ କହିଛନ୍ତି କି ୯୦ ପ୍ରତିଶତ ବିଚାରଧିନ କଏଦୀଙ୍କ ମଧ୍ୟରୁ ସର୍ବାଧିକ ୩୦ ପ୍ରତିଶତ କଏଦୀଙ୍କୁ ଦଣ୍ଡବିଧାନ ହେବ । ବାକି ୭୦ ପ୍ରତିଶତଙ୍କୁ ଦଣ୍ଡ ମିଳିବ ନାହିଁ ।

ସେପଟେ ବିଭିନ୍ନ ମାମଲାରେ ବିଚାରପତିଙ୍କ ରାୟକୁ ନେଇ ଯେଭଳି ଭାବେ ସମାଲୋଚନା ଓ ବ୍ୟକ୍ତିଗତ ଆକ୍ରମଣ କରାଯାଉଛି ତାହା ଉପରେ ପ୍ରଶ୍ନ ଉଠାଇଛନ୍ତି ଜଷ୍ଟିସ ଲଲିତ । ସେ କହିଛନ୍ତି କି, ଯଦି ଜଣେ ବିଚାରପତି ଉଚିତ ନ୍ୟାୟ ପ୍ରଦାନ କରିବେ ତେବେ ତାଙ୍କ ଉପରେ କୌଣସି ଚାପ ରହିବ ନାହିଁ । ଏହାସହ ବିଚାରପତି ମାମଲାର ତଥ୍ୟ ଆଧାରରେ ରାୟ ଦେଇଥାନ୍ତି ବୋଲି ସେ କହିଛନ୍ତି ।

କହିରଖୁ କି ସୁପ୍ରିମକୋର୍ଟର ୪୯ ତମ ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ ଉମେଶ ଉଦୟ ଲଲିତ । ସେ ଚଳିତମାସ ୨୭ ତାରିଖରେ ଶପଥ ନେବେ । ଏବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏନଭି ରମନ୍ନାଙ୍କ କାର୍ଯ୍ୟକାଳ ଅଗଷ୍ଟ ୨୬ ତାରିଖରେ ସମାପ୍ତ ହେବାକୁ ଯାଉଛି ।