ପରୀକ୍ଷାର୍ଥୀଙ୍କ ଉପରୁ କମିବ ଚାପ! ଶିକ୍ଷାନୀତିରେ ଆସିବ ସଂଶୋଧିତ ନିୟମ, ଏନସିଏଫ ଦେଲା ନୂଆ ପ୍ରସ୍ତାବ।

470

କନକ ବ୍ୟୁରୋ: ପରୀକ୍ଷାର୍ଥୀଙ୍କ ଉପରୁ କେମିତି କମିବ ପରୀକ୍ଷା ଚାପ । ପରୀକ୍ଷା ସମୟ ଆସିଲେ ଏ ସମ୍ପର୍କରେ ବିଭିନ୍ନ ଉପାୟ ଓ ସରଳ ପନ୍ଥା ବତାଇଥାନ୍ତି ବିଶେଷଜ୍ଞ । ହେଲେ ଏଥର ସ୍କୁଲ ପିଲାଙ୍କ ଉପରେ ପରୀକ୍ଷା ଚାପ କମାଇବା ପାଇଁ ପ୍ରସ୍ତାବ ଦେଇଛି ଏନସିଏଫ ବା ନ୍ୟାସନାଲ କରିକୁଲମ ଫ୍ରେମୱାର୍କ । ଏନସିଏଫ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଅଭିଭାବକ ଓ ଜନସାଧାରଣଙ୍କ ମତାମତ ଲୋଡାଯାଇଛି । ଏନସିଏଫର ପ୍ରସ୍ତାବ ଅନୁସାରେ ସ୍କୁଲ ପିଲାଙ୍କ ବାର୍ଷିକ ପରୀକ୍ଷା ବର୍ଷରେ ଥରେ ହେଉଥିବାରୁ ପିଲାଙ୍କ ଉପରେ ପରୀକ୍ଷାକୁ ନେଇ ମାନସିକ ଚାପ ରହୁଛି । ବିଶେଷ କରି ମାଟ୍ରିକ ଓ ପ୍ଲସ-ଟୁ ବୋର୍ଡ ଏକଜାମକୁ ନେଇ ପିଲାଙ୍କ ଭୟ ରହୁଛି । ତେଣୁ ମାଟ୍ରିକ ଓ ପ୍ଲସଟୁ ପାଇଁ ବର୍ଷକୁ ଅତିକମରେ ଦୁଇଟି ସେମିଷ୍ଟାର ପରୀକ୍ଷା କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଦୁଇଟି ସେମିଷ୍ଟାରର ମାର୍କକୁ ମିଶାଇ ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହେବ । ଏପରି ହେଲେ ପିଲାଙ୍କ ମନରୁ ପରୀକ୍ଷା ଭୟକୁ ଦୂରେଇ ଦିଆଯାଇପାରିବ ବୋଲି ଏନସିଏଫ ପ୍ରସ୍ତାବ ଦେଇଛି ।
ପିଲାଙ୍କ ଉପରୁ ଉଠୁ ପରୀକ୍ଷା ଚାପ:
– ମାଟ୍ରିକ ପରୀକ୍ଷାରେ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ହେବ
– ଦୁଇଟି ବୋର୍ଡ ପରୀକ୍ଷାର ମାର୍କ ମିଶି ଚୂଡାନ୍ତ ଫଳ ପ୍ରକାଶ ପାଇବ
– ପାଠ୍ୟଖସଡା ଅନୁସାରେ ପିଲା ପ୍ରସ୍ତୁତ ହୋଇପାରିବେ
– ଯୁକ୍ତ ଦୁଇ ପରୀକ୍ଷା ପାଇଁ ୪ଟି ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତାବ
– ପ୍ଲସ-ଟୁରେ ଆଠଟି ବିଷୟ ଚୟନ କରିପାରିବେ ଛାତ୍ରଛାତ୍ରୀ
– ୧୬ଟି ବିଷୟରୁ ଯେକୌଣସି ୮ଟି ଚୟନ କରିପାରିବେ ଛାତ୍ରଛାତ୍ରୀ
– ପସନ୍ଦର ପାଠ ପଢିବା ନିଷ୍ପତି ନିଜେ ନେଇ ଉପକୃତ ହୋଇପାରିବେ ପିଲା
– ହ୍ୟୁମାନିଟିଜରେ – ଭାଷା, ସାହିତ୍ୟ ଓ ଦର୍ଶନ ଶାସ୍ତ୍ର ପଢାଯିବ
– ସାମାଜିକ ବିଜ୍ଞାନରେ- ଇତିହାସ, ଭୁଗୋଳ, ରାଜନୀତି ବିଜ୍ଞାନ, ମନୋବିଜ୍ଞାନ, ଅର୍ଥନୀତି ଓ ସାମାଜିକ ବିଜ୍ଞାନ ପଢିବେ ପିଲା
– ବିଜ୍ଞାନରେ- ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ବାୟୋଲୋଜି
– ଗଣିତ ଓ କମ୍ପୁଟର – ଗଣିତ, କମ୍ପୁଟର ସାଇନସ, ବିଜନେସ ମ୍ୟାଥ
– କଳା – ସଙ୍ଗୀତ, ନୃତ୍ୟ, ମଂଚ କଳା, ଚିତ୍ରାଙ୍କନ ପଢିବେ ପିଲା

ସ୍କୁଲ ପାଠ୍ୟକ୍ରମରେ ସବୁ ବିଷୟ ଠାରୁ ଗଣିତ ବିଷୟ ପ୍ରତି ଅଧିକାଂଶ ପିଲାଙ୍କ ଭୟ ରହିଥାଏ । ହେଲେ ଆଗକୁ ଗଣିତ ବିଷୟକୁ ପିଲାଙ୍କ ପାଇଁ ସହଜ କରିବାକୁ ପ୍ରସ୍ତାବ ଦେଇଛି, ଏନସିଏଫ ବା ନେସନାଲ କରିକୁଲମ ଫ୍ରେମୱାର୍କ । ଗଣିତକୁ ସହଜରେ କେମିତି ପିଲାଙ୍କ ବୁଝା ଯାଇପାରିବ ।
ଗଣିତ ହେବ ସହଜ:
– ପିଲାଙ୍କୁ ଗଣିତ ବିଷୟ ଉପରୁ ଭୟ ଦୂରେଇବା ପାଇଁ ପଦକ୍ଷେପ
– ଗଣିତକୁ ଏକ ଖେଳ ଭଳି ରୋଚକ ଢଙ୍ଗରେ ପିଲାଙ୍କୁ ପଢାଯିବ
– ସୋପାନ ପରେ ସୋପାନ, ପିଲା ବୁଝିଲା ଭଳି ଗଣିତ ପଠାଇବାକୁ ପ୍ରସ୍ତାବ
– ଗଣିତ ଶିକ୍ଷା ପ୍ରଥମେ ସଂଖ୍ୟା ପଦ୍ଧତି ଅର୍ଥାତ୍ ନମ୍ବର ସିଷ୍ଟମରୁ ଆରମ୍ଭ ହେବ
– ଏହାପରେ ଯୋଗ, ବିୟୋଗ, ହରଣ, ଗୁଣନ ପଢାଯିବ
– ପରବର୍ତ୍ତୀ ସୋପାନରେ ପିଲାଙ୍କୁ ମାପ ଓ ପରେ ଗଣିତର ସୂତ୍ର ପଠାହେବ
– ପ୍ୟାଟର୍ନ ଖୋଜିବା, ତର୍କ ସହ ସିଦ୍ଧ କରିବା, ଗଣିତ ସମସ୍ୟାର ସମାଧାନ ଶିକ୍ଷା ଦିଆଯିବ
– ପିଲାଙ୍କୁ ସୂତ୍ର ଘୋଷାଇବା ବଦଳରେ ଗଣିତ ବୁଝିବା ଉପରେ ଫୋକସ କରାଯିବ

ଏହି ଡ୍ରାପ୍ଟ ପୂର୍ବତନ ଇସ୍ରୋ ମୁଖ୍ୟ କେ,କସ୍ତୁରୀରଙ୍ଗନଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଷ୍ଟିଅରିଂ କମିଟି ପ୍ରସ୍ତୁତ କରିଛନ୍ତି । ପରୀକ୍ଷାର ଏହି ସରଳୀକରଣ ନିୟମ ଲାଗୁ ହେଲେ ପରୀକ୍ଷାର୍ଥୀଙ୍କୁ ନିଜ ପସନ୍ଦର ସିଲାବସ ବାଛିବା ପାଇଁ ମୌକା ମିଳିବ ଓ ସେହି ଆଧାରରେ ନିଜ ଦକ୍ଷତା ବୃଦ୍ଦି ପାଇଁ ସ୍ୱାଧୀନତା ପାଇପାରିବେ ।