ଆଦାନୀ ଗ୍ରୁପକୁ ସମର୍ଥନ, ହିଣ୍ଡେନବର୍ଗକୁ ସମାଲୋଚନା କଲେ ଶରଦ ପାୱାର : କହିଲେ, ଏକ ଶିଳ୍ପଗୋଷ୍ଠୀକୁ ବିଦେଶୀ ସଂସ୍ଥା ଦ୍ୱାରା କରାଯାଉଛି ଟାର୍ଗେଟ୍

1,131

କନକ ବ୍ୟୁରୋ : ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ପାଇଁ ବାରମ୍ବାର କଂଗ୍ରେସ ସମେତ ବିରୋଧୀ ଦାବି କରିଆସୁଛନ୍ତି । କିନ୍ତୁ ଏନସିପି ସୁପ୍ରିମୋ ଶରଦ ପାୱାର ଏହାକୁ ନେଇ ଭିନ୍ନ ମତ ଦେଇଛନ୍ତି । ଶରଦ ପାୱାର ଆଦାନୀ ଗ୍ରୁପକୁ ସମର୍ଥନ କରିଛନ୍ତି । ଏହାସହ ସେ କହିଛନ୍ତି ଯେ ଏହି ମାମଲାରେ କୌଣସି ପ୍ରକାରର ତଦନ୍ତର ଆବଶ୍ୟକ ନାହିଁ । ଏନସିପି ମୁଖ୍ୟ କହିଛନ୍ତି, ପୂର୍ବରୁ ମଧ୍ୟ ଏଭଳି ପ୍ରସଙ୍ଗ ଉଠିଛି, କିନ୍ତୁ ଏଥର ଏହି ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି ।

ଏକ ସାକ୍ଷାତକାରରେ ଶରଦ ପାୱାର ଏଭଳି ବୟାନ ଦେଇଛନ୍ତି । ଆଦାନୀ ଗ୍ରୁପ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ପାୱାର ଗୌତମ ଆଦାନୀଙ୍କୁ ସମର୍ଥନ କରି କହିଛନ୍ତି, ଏକ ଶିଳ୍ପସଂସ୍ଥାକୁ ଟାର୍ଗେଟ୍ କରାଯାଉଛି । ଏନସିପି ମୁଖ୍ୟ ଆହୁରି କହିଛନ୍ତି, ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି ସମ୍ପୂର୍ଣ୍ଣ ବ୍ୟର୍ଥ । ହିଣ୍ଡେନବର୍ଗ ରିପୋର୍ଟରୁ ଆବଶ୍ୟକତାଠାରୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଆମେ କେବେବି ହିଣ୍ଡେନବର୍ଗ ବିଷୟରେ ଶୁଣିବାକୁ ପାଇନାହୁଁ ।

ବାସ୍ତବରେ ଏହାର ବ୍ୟାକଗ୍ରାଉଣ୍ଡ କ’ଣ, ତାହା ଜାଣିବା ଆଗ ଦରକାର । ଯେତେବେଳେ ଏଭଳି କୌଣସି ପ୍ରସଙ୍ଗ ଉଠିଥାଏ, ଏହାର ସିଧାସଳଖ ପ୍ରଭାବ ଦେଶର ଅର୍ଥନୀତି ଉପରେ ପଡ଼ିଥାଏ । ତେଣୁ ଆମେ ଏହାକୁ ଅଣଦେଖା କରିପାରିବା ନାହିଁ । ମୋ ମତରେ ଏହି ମାମଲାର ତଦନ୍ତ ସୁପ୍ରିମକୋର୍ଟଙ୍କ କମିଟି କରିବା ଦରକାର । କୋର୍ଟଙ୍କ ନିଷ୍ପତି ପରେ ଜେପିସି ତଦନ୍ତର କୌଣସି ଆବଶ୍ୟକତା ପଡ଼ିବ ନାହିଁ ବୋଲି ଶରଦ ପାୱାର କହିଛନ୍ତି ।

ସେପଟେ ଶରଦ ପାୱାରଙ୍କ ମନ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛି କଂଗ୍ରେସ । ଦଳର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି, ଏହା ଶରଦ ପାୱାରଙ୍କ ବ୍ୟକ୍ତିଗତ ବିଚାରଧାରା । ଆଦାନୀ ପ୍ରସଙ୍ଗରେ ୧୯ଟି ବିରୋଧୀ ଦଳ ଏକାଠି ହୋଇଛନ୍ତି । ଆମେ ସମସ୍ତେ ଏହି ମାମଲାକୁ ଗୁରୁତ୍ୱର ସହ ନେଉଛୁ । ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ବିଜେପି ବିରୋଧରେ ଏନସିପି ସମେତ ୨୦ ବିରୋଧୀ ଦଳ ଏକାଠି ଅଛନ୍ତି ।