ସ୍ମାର୍ଟ ହେଉଛି ରାଜଧାନୀ: ଏପଟେ ବିଷାକ୍ତ ବାୟୁରେ ଅଣନିଶ୍ୱାସୀ ହେଉଛନ୍ତି ଭୁବନେଶ୍ୱରବାସୀ

158

କନକ ବ୍ୟୁରୋ: ଦିଲ୍ଲୀ ଭଳି ବଡ ସହରରେ ବାୟୁ ପ୍ରଦୂଷଣ ଅଧିକ ରହିଥାଏ । ଶୀତ ଦିନ ଆସିଲେ, କୁହୁଡି ପଡିଲେ ବାୟୁ ପ୍ରଦୂଷଣକୁ ନେଇ ଦିଲ୍ଲୀ ବାସୀ ଚିନ୍ତାରେ ପଡନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆମ ରାଜଧାନୀ ଭୁବନେଶ୍ୱରର ବାୟୁ ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି । ବିଷାକ୍ତ ବାୟୁ ଯୋଗୁଁ ଅସ୍ୱାସ୍ଥ୍ୟକର ହୋଇ ପଡୁଛି ପରିବେଶ । ଆଉ ଏହାର ପ୍ରଭାବରେ ଯକ୍ଷ୍ମା, ହୃଦଘାତ, ବ୍ରେନଷ୍ଟ୍ରୋକ ଭଳି ବଡ ବଡ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ଯୋଗୀ ଦାସ । ବୟସ ୭୦ ଟପିଲାଣି । ଭୁବନେଶ୍ୱରକୁ ସ୍ମାର୍ଟ ସିଟି ହେବା ପ୍ରକ୍ରିୟାକୁ ସେ ନିଜେ ଦେଖିଛନ୍ତି । ଚକାଚକ ହେଉଥିବା ଭୁବନେଶ୍ୱରର ପୁରୁଣା ଦିନକୁ ସେ ଝୁରି ହେଉଛନ୍ତି । ସେତେବେଳେ ନା ଥିଲା କୋଠା, ନା ଥିଲା ଏତେ ଗାଡି, ନା ଥିଲା ଏତେ ପ୍ରଦୂଷଣ । କିନ୍ତୁ ଭଲରେ ବିତୁଥିଲା ଜୀବନ । ଏବେ ବିଷାକ୍ତ ବାୟୁରେ ହୋଇପଡିଲେଣି ଅଣନିଶ୍ୱାସୀ ।

ଉକ୍ରଳ ବିଶ୍ୱବିଦ୍ୟାଳୟର ଉଦ୍ଭିଦ ବିଭାଗର ଆସିଷ୍ଟାଂଟ ପ୍ରଫେସର ସରୋଜ ସାହୁ ଓ ତାଙ୍କ ସହଯୋଗୀ ଭୁବନେଶ୍ୱରର ପ୍ରଦୂଷଣ ଉପରେ କରିଥିବା ଗବେଷଣା ସୂଚାଇ ଦେଉଛି ଯେ ଦିନକୁ ଦିନ ବିଷାକ୍ତ ହୋଇଚାଲିଛି ଭୁବନେଶ୍ୱରର ବାୟୁମଣ୍ଡଳ । ଏହି ଗବେଷଣାରେ ଭୁବନେଶ୍ୱରର ୧୦ଟି ହଟ୍ ସ୍ପଟକୁ ଚିହ୍ନଟ କରାଯାଇଛି ।

ରସୁଲଗଡ, ୟୁନିଟ ୯, ଖାରବେଳ ନଗର, ଲକ୍ଷ୍ମୀସାଗର, ୟୁନିଟ ୪, ଗଜପତି ନଗର, ଆଇଆରସି ଭିଲେଜ ନୟାପଲ୍ଲୀ, ଖଣ୍ଡଗିରି, ମଂଚେଶ୍ୱର ଓ ପଟିଆରେ ସବୁଠାରୁ ଅଧିକ ପ୍ରଦୁଷଣ ହେଉଛି ।
ସାଧାରଣତଃ ପ୍ରଦୂଷଣ କହିଲେ ଆମ ଆଖି ଆଗରେ ବଡ ବଡ କାରଖାନାର ନିର୍ଗତ ଧୂଆଁ ସାମ୍ନାକୁ ଆସିଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଆପଣ ଯେଉଁ ରାସ୍ତା ଦେଇ ଯାଉଛନ୍ତି ସେହି ରାସ୍ତାରେ ଉଡୁଥିବା ଧୂଳି ବି ଘାତକ ହୋଇପାରେ । ଗବେଷଣାରୁ ଜଣାପଡିଛି ଯେ, ଭୁବନେଶ୍ୱରରେ ବଢୁଥିବା ପ୍ରଦୂଷଣ ତାଲିକାରେ ପ୍ରଥମରେ ରହିଛି
ପ୍ରଦୂଷଣର ପ୍ରମୁଖ କାରଣ
ରାସ୍ତାରେ ଉଡୁଥିବା ଧୂଳି
ପରିବହନ ବା ଯାନବାହାନ ପ୍ରଦୂଷଣ
ନିର୍ମାଣଜନିତ ପ୍ରଦୂଷଣ
ଡିଜେଲ ଜେନେରେଟର ଧୂଆଁ
ଏପରିକି ଧୂପକାଠି, ମଶା ଧୂପ ଓ ସିଗାରେଟରୁ ନିର୍ଗତ ଧୂଆଁ ବି ପ୍ରଦୂଷଣ ବଢାଉଥିବା ରିପୋର୍ଟ କହୁଛି ।

ବାୟୁ ପ୍ରଦୂଷଣ ଯୋଗୁଁ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି । ବାୟୁମଣ୍ଡଳରେ ଧୂଳିକଣା ଜମି ରହିବା ସହ ପ୍ରଦୂଷଣ ଯୋଗୁଁ ରାତିରେ କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି । ଦୂଷିତ ବାୟୁ ଯୋଗୁଁ ଥଣ୍ଡା, କାଶ ଓ ଛିଙ୍କ ଭଳି ରୋଗ ବ୍ୟାପୁଛି । ଭୁବନେଶ୍ୱର ସହରବାସୀ ଯେତିକି ଅମ୍ଳଜାନ ନେଉ ନାହାନ୍ତି, ତା’ଠାରୁ ଅଧିକ ସଲଫର ଡାଇ-ଅକ୍ସାଇଡ୍, ନାଇଟ୍ରୋଜେନ୍ ଡାଇ-ଅକ୍ସାଇଡ୍, କାର୍ବନ ମନୋକ୍ସାଇଡ୍ ଏବଂ ଦୂଷିତ ଧୂଳିକଣା ନେଉଛନ୍ତି । ଯାହାକି ହୃଦଘାତ, ଶ୍ୱାସକ୍ରିୟାଜନିତ ରୋଗ, ଯକ୍ଷ୍ମା ସହ ବ୍ରେନ ଷ୍ଟ୍ରୋକ ହେବାର ସମ୍ଭାବନା ବଢୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।
ଦିନକୁ ଦିନ ଭୁବନେଶ୍ୱରର ବାୟୁମଣ୍ଡଳ ଦୂଷିତ ହେବାରେ ଲାଗିଛି । ଏବେଠାରୁ ଧ୍ୟାନ ନଦେଲେ ଦିଲ୍ଲୀ ଭଳି ଅବସ୍ଥା ହେବାକୁ ବେଶୀ ସମୟ ଲାଗିବନି ବୋଲି ଚେତାଇ ଦେଇଛନ୍ତି ପରିବେଶବିତ ।