କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ତେଜିଲା ରାଜନୀତି: ବିଜେଡି-ବିଜେପି କଥା କଟାକଟି

186

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ଏବେଠାରୁ ଆରମ୍ଭ ହେଲାଣି ବୟାନବାଜି । ଆଉ ସରଗରମ ହେଲାଣି ରାଜନୀତି । ଅମିତ ଶାହଙ୍କ ଓଡିଶା ଦଖଲ ନେଇ ବୟାନ ପରେ ଆଉ ଜଣେ କେନ୍ଦ୍ରମନ୍ତ୍ରଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି । ସୋମବାର ଓଡିଶା ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ଏନଡିଏ ସହ ମେଂଟ କରିବାକୁ ବିଜେଡିକୁ ଆହ୍ୱାନ ଦେଇଛନ୍ତି , ଯାହାକୁ ନେଇ ବିଜେଡି କହିଛି, ଦଳର ସ୍ୱତନ୍ତ୍ରତା ରହିିଛି । ସବୁ ନିଷ୍ପତି ସୁପ୍ରିମୋ ନିଅନ୍ତ । ମେଂଟ ବିସର୍ଜନ ପାଇଁ ନୁହେଁ ବିକାଶ ପାଇଁ । ସଂଘୀୟ ବ୍ୟବସ୍ଥାରେ ନିଜର ହକ ପାଇଁ କେନ୍ଦ୍ର ବିଲକୁ ସମର୍ଥନ କରିଛି ବିଜେଡି । କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ତେରଛା ବାଣ ମାରିଛି ବିଜେପି । ଦଳ କହିଛି, ଅଠାୱଲେ ବିଜେପିର ନୁହନ୍ତି, ସେ ତାଙ୍କ ସ୍ୱାର୍ଥ ପାଇଁ କହିଥିବେ ।

ଏଭଳି ବୟାନବାଜି ଭିତରେ କଂଗ୍ରେସ ସିଧାସିଳଖ ବିଜେପି-ବିଜେପିକୁ ଟାର୍ଗେଟ କରିଛି । ଦଳ କହିଛି, ଦୁଇ ଦଳ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱ । ଆଉ ବୁଝାମଣାରେ ଚାଲିଛି ଅଘୋଷିତ ମେଂଟ । ସେପଟେ ଆପ କହିଛି, ବିଜେଡି, ବିଜେପି ସମଦୂରତା ନୁହେଁ ସମର୍ପଣ ରାଜନୀତିରେ ବିଶ୍ୱାସ କରୁଛନ୍ତି ।

ଦିନକୁ ଦିନ ଏନଡିଏ ମେଂଟରୁ ଆଚଂଳିକ ଦଳଗୁଡିକ ଓହରିଯାଉଛନ୍ତି । ପୂର୍ବରୁ ଶିବସେନା ଓ ଅକାଳୀ ଦଳ ମେଂଟ ହାତ ଛାଡିଥିବାବେଳେ ନିକଟରେ ନୀତିଶ କୁମାର ଏନଡିଏର ହାତ ଛାଡିଛନ୍ତି । ଆଉ ଏଭଳି ସମୟରେ କେନ୍ଦ୍ରମନ୍ତ୍ରୀ ବିଜେଡିକୁ ନେଇ ବିବୃତିକୁ ରାଜନୈତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।