ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । କାଲି ଲଘୁଚାପ, ୨୪ରେ ଅବପାତ ସମ୍ଭାବନା । ବାତ୍ୟା ନେଇ ସ୍ପଷ୍ଟ ହୋଇନି ଚିତ୍ର

1,596

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ଘାରିଛି ବର୍ଷାର ଭୟ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । କାଲି ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାପରେ ୨୪ତାରିଖ ସୁଦ୍ଧା ଅବପାତରେ ପରିଣତ ହୋଇପାରେ । ତେଣୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ତେବେ ଆଗାମୀ ୫ଦିନରେ ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି ।

  • ୨୩ ତାରିଖରୁ ଅଶାନ୍ତ ରହିବ ସମୁଦ୍ର!
  • ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା
  • ୭୦ କିଲୋମିଟର ବେଗରେ ଝଟକା ଦେବ ପବନ!

ରାଜ୍ୟର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଥିବା ବେଳେ ବଙ୍ଗୋପସାଗରରେ ଦାନା ବନ୍ଧୁଛି ଲଘୁଚାପ । ସାଟେଲାଇଟ୍ ଦ୍ୱାରା ଉଠା ଯାଇଥିବା ଚିତ୍ରରେ ସ୍ପଷ୍ଟ ହେଇଛି ଯେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ଘେରି ରହିଛି ବାଦଲ । ଘୂର୍ଣ୍ଣିବଳୟ ସୃଷ୍ଟି ପାଇଁ ବାତାବରଣ ଅନୁକୂଳ ରହିଛି ।

  • ୨୨ ତାରିଖରେ ଲଘୁଚାପ!
  • ୨୪ରେ ନେଇପାରେ ଅବପାତ ରୂପ

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରିବ । କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନିଭୂତ ହୋଇ ନେଇପାରେ ଅବପାତ ରୂପ । ବାତ୍ୟା ହେବ କି ନାହିଁ, ଯଦି ହେବ ତୀବ୍ରତା କେତେ ରହିବ, ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ କରିନାହିଁ ଭାରତୀୟ ପାଣିପାଗ ବିଭାଗ । କିନ୍ତୁ କିଛି ଅନ୍ତର୍ଜାତୀୟ ମଡେଲ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଛି । ତେବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି…

  • ୨୩ ତାରିଖ ସକାଳୁ ଅଶାନ୍ତ ହୋଇଉଠିବ ସମୁଦ୍ର
  • ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
  • ୨୩ ତାରିଖ ପୂର୍ବରୁ ସମୁଦ୍ରରୁ ଫେରି ଆସିବାକୁ ପରାମର୍ଶ

ମେ’ ମାସରେ ସମ୍ଭାବ୍ୟ ବାତ୍ୟା ନେଇ ଉପକୂଳବାସୀଙ୍କ ମନରେ ଛନକା ସୃଷ୍ଟି ହୋଇଥିବା ବେଳେ ଲଘୁଚାପ ଓ ଅବପାତ ଯୋଗୁଁ ବର୍ଷା ଓ ପବନ ନେଇ ସତର୍କ କରିଛି ପାଣିପାଗ ବିଭାଗ ।

  • ୨୩ ଓ ୨୪ ତାରିଖରେ ଉତ୍ତର ଓଡ଼ିଶାରେ ବର୍ଷା ଆଶଙ୍କା
  • କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଚେତାବନୀ
  • କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା
  • ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଯାଜପୁର, କେନ୍ଦୁଝର, ମୟୂରଭଞ୍ଜରେ ବର୍ଷା ଆଶଙ୍କା

କେବଳ ବର୍ଷା ନୁହେଁ ପବନର ଝଟକା ନେଇ ମଧ୍ୟ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

  • ୨୩ ତାରିଖ ସକାଳୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟା ପ୍ରତି ପବନର ବେଗ ରହିପାରେ ୪୦ରୁ ୫୦ କିଲୋମିଟର
  • ମଝିରେ ମଝିରେ ଦେଇପାରେ ୬୦ କିଲୋମିଟର ବେଗରେ ଝଟ୍କା
  • ୨୪ ତାରିଖରୁ ଉତ୍ତର ବଙ୍ଗୋପସାଗରରେ ପବନର ବେଗ ବୃଦ୍ଧି ପାଇବ
  • ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା
  • ୭୦ କିଲୋମିଟର ବେଗରେ ଦେଇପାରେ ଝଟକା

ସମୁଦ୍ରର ଉପର ଭାଗର ତାପମାତ୍ରା ସ୍ୱାଭାବିକ ଠାରୁ ୨ରୁ ୩ ଡିଗ୍ରୀ ଅଧିକ ରହିଥିବା ବେଳେ ପୂର୍ବ ଦିଗକୁ ଗତି କରୁଛି ବାଦଲ । ଉତ୍ତାପ ସହ ଜଳୀୟ ବାଷ୍ପ ନିରନ୍ତର ଭାବେ ପ୍ରବାହିତ ହେଉଥିବାରୁ ବାତ୍ୟା ପାଇଁ ପାଗ ଅନୁକୂଳ ରହିଛି ।