ସୋନାଲି ଫୋଗାଟଙ୍କ ମୃତ୍ୟୁକୁ ନେଇ ସସପେନ୍ସ। ପରିବାର ଲୋକଙ୍କ ଅଭିଯୋଗ, ମୃତ୍ୟୁ ପଛରେ ରହିଛି ଷଡଯନ୍ତ୍ର!

136

କନକ ବ୍ୟୁରୋ: ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାରଭାବେ ଜଣାଶୁଣା ସୋନାଲୀ ଫୋଗାଟଙ୍କ ହଠାତ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେମିତି କେଉଁ ପରିସ୍ଥିତିରେ ସୋନାଲିଙ୍କ ମୃତ୍ୟୁ ହେଲା, ସେନେଇ ଖୋଳତାଡ କରୁଛି ପୁଲିସ । ଏହା ଭିତରେ ମୃତ ସୋନାଲିଙ୍କ ପରିବାରର ନୂଆ ଅଭିଯୋଗ ପୂରା ଘଟଣାକୁ ନୂଆ ମୋଡ ଦେଇଛି । ସୋନାଲିଙ୍କ ମା ଓ ଭଉଣୀ କହିଛନ୍ତି କି ସୋମବାର ସକାଳେ ଗୋଆରୁ ସୋନାଲି ଫୋନରେ କଥା ହୋଇଥିଲେ ଓ ନିଜ ଦେହ ଅସୁସ୍ଥ ଲାଗୁଥିବା କହିଥିଲେ । ଖାଦ୍ୟ ଖାଇବା ପରେ ତାଙ୍କୁ ହଠାତ ଅସୁସ୍ଥତା ଅନୁଭବ ହୋଇଥିବା ସେ ମାଙ୍କୁ କହିଥିଲେ । ସେ ଖାଇଥିବା ଖାଦ୍ୟରେ କିଛି ଗଡ଼ବଡ଼ ଥିବା କଥା ମଧ୍ୟ ସନ୍ଦେହ ପ୍ରକାଶ କରିଥିଲେ । ତାଙ୍କ ବିରୋଧରେ କୌଣସି ଷଡଯନ୍ତ୍ର ହେଉଥିବା ସେ ଆଶଙ୍କା ପ୍ରକାଶ କରି ବ୍ୟସ୍ତ ମଧ୍ୟ ହୋଇଥିଲେ ।

ନର୍ଥ ଗୋଆର ଅଞ୍ଜୁନା ବିଚ୍ ନିକଟରେ ଥିବା କରଲିଜ ହୋଟେଲରେ ରହିଥିଲେ । ଅସୁସ୍ଥତା ଅନୁଭବ କରିବା ପରେ ତାଙ୍କୁ ନିକଟସ୍ଥ ଆନ୍ଥୋନୀ ହସପିଟାଲକୁ ନିଆଯାଇଥିଲା । ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା । ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ହୃଦଘାତରୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ।

ସୁଟିଂ ପାଇଁ ଗୋଆରେ ଥିବାବେଳେ ସୋମବାର ବିଳମ୍ବିତ ରାତିରେ ହୃଦ୍ଘାତରେ ସୋନାଲିଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ସୋନାଲି ବିଜେପିର ନେତାଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗାଦେବା ପାଇଁ ଗୋଆ ଗସ୍ତରେ ଥିଲେ । ମୃତ୍ୟୁର କିଛି ସମୟ ପୂର୍ବରୁ ସୋନାଲି ନିଜର ଏକ ଭିଡିଓ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଥିଲେ ।

ସୋନାଲି ବିଗ୍ ବସ୍ -୧୪ରେ ମଧ୍ୟ ଭାଗ ନେଇଥିଲେ । ହରିଆଣା ହିସାରର ସୋନାଲୀଙ୍କ ବିବାହ ସଞ୍ଜୟ ଫୋଗାଟଙ୍କସହ ହୋଇଥିଲା । ୨୦୧୬ ମସିହାରେ ସନ୍ଦେହଜନକ ଅବସ୍ଥାରେ କ୍ଷେତରୁ ସଞ୍ଜୟଙ୍କ ମୃତଶରୀର ମିଳିଥିଲା । ଏହା ପରେ ସୋନାଲି ଅଭିନେତ୍ରୀ ହେବା ଇଚ୍ଛା ରଖି ମୁମ୍ବାଇ ଆସିଥିଲେ । ଛୋଟପରଦାର ବିଭିନ୍ନ ସୋରେ ସେ ଅଭିନୟ କରିବା ପରେ କ୍ରମଶଃ ଜଣାଶୁଣା ଅଭିନେତ୍ରୀ ଭାବେ ନୂଆ ପରିଚୟ ପାଇଥିଲେ । କିଛି ଦିନ ପରେ ସେ ରାଜନୀତିରେ ପାଦ ରଖିଥିଲେ । ତେବେ ମାତ୍ର ୪୨ ବର୍ଷ ବୟସରେ ହୃଦ୍ଘାତରେ ମୃତ୍ୟୁବରଣ କରିବା ପରେ ତାଙ୍କ ପ୍ରଶସଂକଙ୍କ ଗହଣରେ ଶୋକର ଛାୟା ଖେଳିଛି