ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପରେ ଆସନ ଜିତିବା ନେଇ ନେତାଙ୍କ ଦାବି । ୩୫ରୁ ୩୦ ଆସନ ଜିତିବା ନେଇ ଦାବି କଲା ବିଜେଡି । ଏପଟେ ବିଜେପିର ଦୃଢ଼ୋକ୍ତି ୩୫ରୁ ୩୦ ବିଧାନସଭା ଓ ୫ ଲୋକସଭା ଜିତିବ ଦଳ ।

223

କନକ ବ୍ୟୁରୋ:ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇସାରିଛି । ଇଭିଏମରେ ନବୀନଙ୍କ ସମେତ ୩୦୫ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି । ଇଭିଏମଗୁଡିକ ବର୍ତ୍ତମାନ କଡା ସୁରକ୍ଷା ବଳରେ ରହିଛି । ଜୁନ ୪ରେ ଗଣତି ହେବ ଆଉ କାହାକୁ ଭୋଟର ସେମାନଙ୍କ ନେତା ବାଛିଛନ୍ତି ତାହା ସ୍ପଷ୍ଟ ହେବ । କିନ୍ତୁ ଏହାରି ଭିତରେ କିଏ କେତେ ଆସନ ଜିତିବ ସେନେଇ ଆରମ୍ଭ ହୋଇଯାଇଛି ବୟାନବାଜି ।

  • କିଏ ଜିତିବ କେତେ ଆସନ?
  • ନେତା ଦେଖାଇଲେ ଦମ୍ଭୋକ୍ତି?

ଜନତା କାହାକୁ ଭୋଟ ଦେଲେ, ତାହା ସ୍ପଷ୍ଟ ହୋଇନଥିବାବେଳେ, କିଏ କେତେ ଆସନ ଜିତିବ ସେ ରାଜନୈତିକ ଦଳମାନେ ନିଜ ନିଜ ଢ଼ଙ୍ଗରେ ଆକଳନ କରିଛନ୍ତି । କେତେ ଆସନରେ ଜିତିବେ ସେନେଇ ଦମ୍ଭୋକ୍ତି ଦେଖାଇଛନ୍ତି ନେତା । ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ୩୫ ବିଧାନସଭା ଆସନରୁ ୩୦ଟି ଜିତିବ ତାଙ୍କ ଦଳ । ଏଥିସହ ବିଜେଡି ଲୋକସଭାରେ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି । ସେହିପରି ବିଜେପି କହିଛି, ୩୫ ବିଧାନସଭା ଆସନରୁ ୩୦ ଆସନରେ ଜିତିବ ଭାରତୀୟ ଜନତା ପାର୍ଟି । ଏଥିସହ ୫ଟି ଯାକ ଲୋକସଭା ଆସନରେ ବିଜୟୀ ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି । ଅନ୍ୟପଟେ କଂଗ୍ରେସ ସଂଖ୍ୟା କହି ନଥିଲେ ବି ଭଲ ପ୍ରଦର୍ଶନ କରିବ ବୋଲି କହିଛନ୍ତି ବିଜୟ ପଟ୍ଟନାୟକ ।

ସଂଖ୍ୟାକୁ ନେଇ ଯିଏ ଯେତେ ଆକଳନ କଲେ ବି ଚଳିତ ନିର୍ବାଚନ ସବୁ ଦଳର ଟେନସନକୁ ବଢ଼ାଇ ଦେଇଛି । ନେତା ମୁହଁରେ ଦମ୍ଭୋକ୍ତି ଦେଖାଉଥିଲେ ବି ମନ ଭିତରେ କିନ୍ତୁ ଭୟ ରହିଛି । କାଳେ ଅଙ୍କ ଗଡବଡ ହୋଇଯିବ ସେନେଇ ଚିନ୍ତାରେ ଅଛନ୍ତି । ରାଜନୀତି ସମୀକ୍ଷକ ମଧ୍ୟ ସମାନ ଆକଳନ କରିଛନ୍ତି । ୨୦୧୯ ନିର୍ବାଚନଠାରୁ ୨୦୨୪ ନିର୍ବାଚନରେ ଭିନ୍ନତା ରହିଛି ବୋଲି କହିଛନ୍ତି । ଅଧିକାଂଶ ଆସନରେ କଡା ଟକ୍କର ହେଉଛି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ । ସୂଚନାଯୋଗ୍ୟ ଯେ, ଆଗକୁ ଆହୁରି ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି ଥିବାବେଳେ ନେତାଙ୍କ ଏଭଳି ଦମ୍ଭୋକ୍ତି ଚର୍ଚ୍ଚାର ବିଷୟ ହୋଇଛି । ତେବେ ନେତାଙ୍କ ଦମ୍ଭୋକ୍ତି ପଛରେ କେତେ ସତ୍ୟତା ରହିଛି ତାହା ଜୁନ୍ ୪ ତାରିଖରେ ସ୍ପଷ୍ଟ ହେବ ।