ନିର୍ବାଚନୀ ପ୍ରସଙ୍ଗ ପାଲଟିଲା ରତ୍ନଭଣ୍ଡାର ଚାବି: ଅମିତ୍ ଶାହା କହିଲେ, ବିଜେପି ସରକାର ଆସିଲେ ଭଣ୍ଡାର ଖୋଲିବା ସହ ସାର୍ବଜନୀନ ହେବ ରିପୋର୍ଟ

44

କନକ ବ୍ୟୁରୋ: ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀଙ୍କ ଏହି ବୟାନ ପରେ, ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ପୁଣି ଥରେ ନୂଆ ରୂପରେ ନୂଆ ବିବାଦ ହୋଇ ସାମ୍ନାକୁ ଆସିଛି । ରତ୍ନଭଣ୍ଡାର ଚାବି ତାମିଲନାଡୁ ଚାଲି ଯାଇଥିବା ନେଇ ନିର୍ବାଚନୀ ସଭାମଂଚରେ ମୋଦୀ ସନ୍ଦେହ ପ୍ରକାଶ କରିବା ପରେ ବିବାଦ ଆହୁରୀ ତୀବ୍ର ହୋଇଛି । ବିଜେଡି ନେତା ଭି.କେ ପାଣ୍ଡିଆନ୍, ପ୍ରଧାନମନ୍ତ୍ରୀ ଉଠାଇଥିବା ପ୍ରଶ୍ନ ଉପରେ ଜବାବ୍ ରଖିଛନ୍ତି । ପିଟିଆଇକୁ ସାକ୍ଷାତକାର ଦେଇ କହିଛନ୍ତି- ପ୍ରଧାନମନ୍ତ୍ରୀଙ୍କ ଯଥେଷ୍ଟ ଜ୍ଞାନ ରହିଛି, ଚାବି କୁଆଡ଼େ ଗଲା ସେ ଖୋଜିବା ଆବଶ୍ୟକ । ତାଙ୍କ ଅଧିନରେ ଅନେକ ସଂସ୍ଥା ଓ ସଂଗଠନ ରହିଛି, ସେ ଓଡ଼ିଶା ଲୋକଙ୍କୁ ଅବଗତ କରିବା କଥା, ଚାବି କୁଆଡେ ଗଲା? ଏହା ଏକ ରାଜନ÷ତିକ ମନ୍ତବ୍ୟ ବୋଲି ମଧ୍ୟ କହିଛନ୍ତି ବିଜେଡି ନେତା ଭି.କେ ପାଣ୍ଡିଆନ ।

ଏସବୁ ଭିତରେ କିନ୍ତୁ ରତ୍ନଭଣ୍ଡାର ପ୍ରସଙ୍ଗରେ ଘନଘନ ଆକ୍ରମଣ ଜାରି ରଖିଛି ଭାରତୀୟ ଜନତା ପାର୍ଟି । ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ନିର୍ବାଚନୀ ଅଭିଭାଷଣରେ କହିଛନ୍ତି-

– ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିଗଲାଣି, ନକଲି ଚାବି ବାହାରିଲାଣି
– ବିଜେପି କ୍ଷମତାକୁ ଆସିଲେ ରତ୍ନଭଣ୍ଡାରର ସବୁ ତଥ୍ୟ ସାମ୍ନାକୁ ଆସିବ
– ରତ୍ନଭଣ୍ଡାର ଯାଂଚ ରିପୋର୍ଟ ସାର୍ବଜନୀନ ହେବ
– ଶ୍ରୀମନ୍ଦିରର ୪ ଦ୍ୱାର ଖୋଲାଯିବ

ଏପଟେ ବିଜେଡି ନେତା ଭିକେ ପାଣ୍ଡିଆନ୍ ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ପିଟିଆଇକୁ ସାକ୍ଷତକାର ଦେଇ କହିଛନ୍ତି ।

– ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ ହୋଇଛି
– ଗଜପତଙ୍କ ତତ୍ୱାବଧାନରେ ଶ୍ରୀମନ୍ଦିର ପ୍ରଶାସନ ରତ୍ନଭଣ୍ଡାର ଖୋଲିବା ପାଇଁ ସ୍ଥିର କରିଛି
– ନୀତିକାନ୍ତି ପ୍ରଭାବିତ ନହେବା ଦୃଷ୍ଟିରୁ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲାଯିବ
– ଦୀର୍ଘ ୪୦ ବର୍ଷପରେ ରତ୍ନଭଣ୍ଡାର ଖୋଲିବାକୁ ଯାଉଛି

ପ୍ରଧାନମନ୍ତ୍ରୀଙ୍କୁ ରତ୍ନଭଣ୍ଡାର ଖୋଲିବା ସମୟରେ ଉପସ୍ଥିତ ରହିବା ପାଇଁ ତାଙ୍କୁ ନିମନ୍ତ୍ରଣ ଦିଆଯାଉଛି ବୋଲି ଭିକେ ପାଣ୍ଡିଆନ୍ କହିବା ସହ ବିଜେପିକୁ କଟାକ୍ଷ କରିଛନ୍ତି । କହିଛନ୍ତି, ବିଜେପି ସବୁବେଳେ ଜଗନ୍ନାଥଙ୍କ ନାଁରେ ରାଜନୀତି କରୁଛି । ତେବେ ରତ୍ନଭଣ୍ଡାରକୁ ନେଇ ରାଜନୈତିକ ବୟାନବାଜି ତୀବ୍ରରୁ ତୀବ୍ରତର ହେବାରେ ଲାଗିଛି ଯେତେବେଳେ ଜଣେ ପରେ ଜଣେ କେନ୍ଦ୍ରୀୟ ନେତା, ଓଡ଼ିଶା ଆସି, ବୟାନବାଜି କରୁଛନ୍ତି ।