ଓଡିଶା ଆସିବେ ‘ରାମ’ ଏବଂ ‘ଯୋଗୀ’ । ଭାଷଣରେ ଭୋଟ ଟାଣିବେ ୟୁପି ମୁଖ୍ୟମନ୍ତ୍ରୀ, ଏବଂ ଟିଭି ଦୁନିଆର ରାମ ।

462

କନକ ବ୍ୟୁରୋ: ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଗକୁ ଦୁଇଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ଅଛି । ଗତ କିଛି ଦିନ ହେଲା ରାଜ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ରତ୍ନଭଣ୍ଡାର ଚାବିକୁ ନେଇ ବିଜେଡି-ବିଜେପି ମଧ୍ୟରେ ବାକଯୁଦ୍ଧ ଚାଲିଛି । ଆଉ ଏହି ସମୟରେ ଓଡିଶା ଆସୁଛନ୍ତି ବିଜେପିର ହିନ୍ଦୁତ୍ୱ ଚେହେରା ଯୋଗୀ ଆଦିତ୍ୟନାଥ । ନିଜ ଭାଷଣରେ ସବୁବେଳେ ହିନ୍ଦୁତ୍ୱ ଏଜେଣ୍ଡାକୁ ନେଇ ବିରୋଧୀଙ୍କୁ ହରଡଘଣାରେ ପକାଇଥାନ୍ତି ୟୁପି ମୁଖ୍ୟମନ୍ତ୍ରୀ ।

  • ଓଡିଶା ଆସିବେ ‘ରାମ’ ଏବଂ ‘ଯୋଗୀ’
  • ଭାଷଣରେ ଭୋଟ ଟାଣିବେ ୟୁପି ମୁଖ୍ୟମନ୍ତ୍ରୀ?

ତେବେ ମୋଦି, ଶାହାଙ୍କ ପରେ ବିଜେପିର ବଡ ନେତା ହେଉଛନ୍ତି ଯୋଗୀ ଆଦିତ୍ୟନାଥ । କୁହାଯାଏ, ସେ ହେଉଛନ୍ତି ବିଜେପିର ଫାୟାରବ୍ରାଣ୍ଡ ନେତା । ହିନ୍ଦୁତ୍ୱ ପ୍ରସଙ୍ଗରେ ସବୁବେଳେ ସିଧାକଥା କହୁଥିବା ଏହି ନେତାଙ୍କ ଓଡିଶା ଗସ୍ତକୁ ନେଇ ଉତ୍ସାହିତ ଅଛି ରାଜ୍ୟ ବିଜେପି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ଆଗାମୀ ୨୩ ତାରିଖ ଗୁରୁବାର ଦିନ ଓଡିଶା ଆସିବେ, ପ୍ରଥମେ ଚିଲିକା ଓ ପରେ ମାହାଙ୍ଗାର କୁଳିଆରେ ତାଙ୍କର ସଭା ହେବ ।

ଚିଲିକାରେ ବିଜେପିର ଭଲ ପ୍ରଭାବ ରହିଛି । ଏଠାରୁ ଲଢୁଛନ୍ତି ପୃଥ୍ୱୀରାଜ ହରିଚନ୍ଦନ । ଆଉ ପରେ ମାହାଙ୍ଗାରେ ଯୋଗୀଙ୍କ ଜନସଭା ରହିଛି । ଏବେ ରତ୍ନଭଣ୍ଡାରକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଆଉ ଏହି ସମୟରେ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର କଟକ ଓ କେନ୍ଦ୍ରପଡା ଆସନ ଉପରେ ପ୍ରଭାବ ପକାଇବ ବୋଲି ଆକଳନ କରୁଛି ବିଜେପି ।

  • ଓଡିଶାରେ ପ୍ରଚାର କରିବେ ‘ରାମ’
  • ବିଜେପି ପାଇଁ ଭୋଟ ମାଗିବେ ଅରୁଣ ଗୋଭିଲ

୮୦ ଦଶକର ରାମାୟଣରେ ରାମଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ଅରୁଣ ଗୋଭିଲ । ଏବେ ବି ଅନେକ ଲୋକ ତାଙ୍କୁ ଦେଖିଲେ ରାମ ବୋଲି ଭାବି ପ୍ରଣାମ କରିଥାନ୍ତି । ଅରୁଣ ଗୋଭିଲଙ୍କୁ ୟୁପି ମୀରଟରୁ ପ୍ରାର୍ଥୀ କରିଛି ବିଜେପି । ଜଗନ୍ନାଥଙ୍କ ସହ କୋଟି କୋଟି ଓଡିଆଙ୍କ ଭାବାବେଗ ଯୋଡି ହୋଇ ରହିଛି । ଆଉ ଜଗନ୍ନାଥଙ୍କୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିବାବେଳେ ଓଡି଼ଶା ଆସିବେ ଅରୁଣ ଗୋଭିଲ । ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ଜୟଦେବରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ଅରୁଣ ଗୋଭିଲ ।

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଫାୟାରବ୍ରାଣ୍ଡ ନେତା ଓଡିଶା ଆସୁଥିବାବେଳେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନଡ୍ଡାଙ୍କ ଭଳି ଅନ୍ୟ ନେତାଙ୍କୁ ପ୍ରଚାର ପାଇଁ ଆଣିବାକୁ ଯୋଜନା କରୁଛି ବିଜେପି ।