୮ ଜଣ ଅଭିଯୁକ୍ତ ଥାନାରେ ଅଟକ: ଗାଁରେ ଏବେ ବି ଚାପା ଉତ୍ତେଜନା

290

କନକ ବ୍ୟୁରୋ: ବରଗଡ଼ ସରସରା ଗାଁରେ ହତ୍ୟାକାଣ୍ଡ ପରେ ସ୍ତବ୍ଧ ହୋଇଯାଇଛି ପୂରା ଗାଁ । ପୋଲିସ ଏହି ଘଟଣାରେ ୮ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ କାନ୍ଦବୋବାଳି ଫାଟିପଡ଼ୁଛି ଘର । ହତ୍ୟାକାରୀକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ପରିବାର । ସେପଟେ ସରସରା ଗାଁ ହତ୍ୟାକାଣ୍ଡକୁ ନେଇ ରାଜନୈତିକ ବୟାନବାଜି ତେଜିଛି ।

ଖାଁ ଖାଁ ପଡିଛି ଗାଁ ରାସ୍ତା । ଗାଁ ଦାଣ୍ଡରେ କିଛି ବୟୋଜ୍ୟୋଷ୍ଠଙ୍କୁ ଛାଡିଦେଲେ କେହି କୁଆଡେ ନାହନ୍ତି । ସୋମବାର ମତଦାନ ବେଳେ ଅଟୋ ଡ୍ରାଇଭର ବିଶ୍ୱନାଥ ମିର୍ଦ୍ଧାଙ୍କୁ ବିଭତ୍ସ ହତ୍ୟା ପରେ ବରଗଡ ଜିଲ୍ଲାର ସରସରା ଗାଁ ସ୍ତବ୍ଧ ହୋଇଯାଇଛି ।

ବରଗଡ଼ ହତ୍ୟା ମାମଲାରେ ପୁଲିସର କାର୍ଯ୍ୟାନୁଷ୍ଠାନ । ୮ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ପୁଲିସ ଚଢାଉ ଜାରି ରଖିଛି । ଆଇଜି ହିମାଂଶୁ ଲାଲ, ଏସପି ପ୍ରହ୍ଲାଦ ମୀନା ମାମଲାର ତଦାରଖ କରୁଛନ୍ତି । ସମ୍ବଲପୁର ଆରଡିସି ସଦର ଥାନାରେ ପହଂଚି ଥାନା ଅଧିକାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଛନ୍ତି । ଅନ୍ୟପଟେ ସରସରା ଗାଁରେ ସ୍ଥିତି ପରଖିବାକୁ ପହଂଚିଥିଲା କନକନ୍ୟୁଜ ଟିମ୍ । ପୁରା ଗାଁରେ ଭୟର ବାତାରଣ ରହିଛି । କ୍ୟାମେରା ଆଗରେ ଗାଁ ଲୋକ ଘଟଣା ସଂପର୍କରେ ମୁହଁ ଖୋଲୁ ନାହାନ୍ତି ।

ହତ୍ୟାକାଣ୍ଡର ଦିନକ ପରେ ବିଶ୍ୱନାଥ ମିର୍ଦ୍ଧାଙ୍କ ଘରେ ଶୋକାକୂଳ ପରିବେଶ । ଘରେ କାନ୍ଦ ବୋବାଲି ପଡିଛି । କାନ୍ଦି କାନ୍ଦି ମାଟିରେ ଲୋଟିଯାଉଛନ୍ତି ବିଶ୍ୱନାଥଙ୍କ ପତ୍ନୀ । ହତ୍ୟାକାରୀକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି । ଭୋଟକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ସେପଟେ ସରସରଗାଁ ହତ୍ୟାକାଣ୍ଡକୁ ନେଇ ରାଜନୈତିକ ବୟାନବାଜି ତେଜିଛି । ବିଜେପି ଓ ବିଜେଡି ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି । ରାଜନୈତିକ ଆକ୍ରୋଶରେ ବଳି ପଡିଲେ ସରସରା ଗାଁର ଅଟୋ ଚାଳକ ବିଶ୍ୱନାଥ ମିର୍ଦ୍ଧା । ଗଣତାନ୍ତ୍ରିକ ରାଷ୍ଟ୍ରର ମହାନପର୍ବ ନିର୍ବାଚନ ସମୟରେ ବୁଥକୁ ନିଜ ଅଟୋରେ ଭୋଟରଙ୍କୁ ବସାଇ ନେବା ସତେ ଯେମିତି ବିଶ୍ୱନାଥଙ୍କ ଭୁଲ ଥିଲା । ଯେଉଁଥି ପାଇଁ ତାଙ୍କୁ ଜୀବନ ଦେବାକୁ ପଡିଛି ।