ପ୍ରଧାନମନ୍ତ୍ରୀଙ୍କ ପରେ ଜନସଭାରୁ ଅମିତ ଶାହାଙ୍କ ରଣହୁଙ୍କାର: ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ ଓ ନୟାଗଡରେ ନବୀନ ଓ ପାଣ୍ଡିଆନଙ୍କୁ ଜୋରଦାର ଟାର୍ଗେଟ

84

କନକ ବ୍ୟୁରୋ: ଆଜି ଗୋଟିଏ ଦିନରେ ୪ଟି ସ୍ଥାନକୁ ଗସ୍ତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଉ ଯେଉଁଠାକୁ ଯାଇଛନ୍ତି ବିଜେଡି ସରକାର ବିରୋଧରେ ବର୍ଷିଛନ୍ତି । ଦିନକୁ ଦିନ ବେଶ ଆକ୍ରମଣାତ୍ମକ ହେଉଛି ବିଜେପିର ଏହି ଶୀର୍ଷ ରଣନୀତିକାରଙ୍କ ସ୍ୱର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ବିଜେଡି ଉପରେ ଜୋରଦାର ବର୍ଷିଛନ୍ତି ଶାହା । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ଚିଟଫଣ୍ଡ ଟଙ୍କା, ଓଡିଆ ଅସ୍ମିତା କଥା ଉଠାଇ ସରକାର ବଦଳାଇବାକୁ ଦେଇଛନ୍ତି ଆହ୍ୱାନ ।

ଦିନକୁ ଦିନ ଉଗ୍ର ହେଉଛି ବିଜେପିର ଆକ୍ରମଣ । ଖଣି, ପାଣି, ଭ୍ରଷ୍ଟାଚାର, ପ୍ରସଙ୍ଗ ଉଠାଇ ବିଜେଡିକୁ ପ୍ରଧାନମନ୍ତ୍ରୀ ଘେରିବା ପରେ ଆଜି ପୁଣି ଗୃହମନ୍ତ୍ରୀ ଅମିତ ଶାହା ସିଧାସଳଖ ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ଚିଟଫଣ୍ଡ ଟଙ୍କା, ଓଡିଆ ଅସ୍ମିତା, ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ବିଜେଡିର ଶୀର୍ଷ ନେତୃତ୍ୱଙ୍କ ଉପରେ ଜୋରଦାର ବର୍ଷିଛନ୍ତି । କଂଗ୍ରେସକୁ ମଧ୍ୟ କଡା ସମାଲୋଚନା କରିଛନ୍ତି । ଏଥିସହ ଓଡିଶାରେ ବିଜେପି ସରକାର ଗଢ଼ିଲେ କଣ କରିବ, ସେ ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

ବିଜେଡି ବିରୋଧରେ ବିଜେପିର ଆକ୍ରମଣ ଧିରେ ଧିରେ ଆହୁରି ତୀବ୍ର ହେଉଛି । ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବୀନ ଓ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ କରିବା ପରେ, ମଂଗଳବାର ମଂଚ ଉପରୁ ଜୋରଦାର ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ବୋଲି ବିଜେଡି ପ୍ରଶ୍ନ କରୁଥିବାବେଳେ, ଶାହା ଓଡିଆ ଅସ୍ମିତାର କଥା କହି ବର୍ଷିଛନ୍ତି । ବିଜେଡି ସରକାରକୁ ଓପାଡି ଫୋପାଡି ଦେବାକୁ ଆହ୍ୱାନ ଦେଇଛନ୍ତି ।

ଶାହାଙ୍କ ସମ୍ବୋଧନ..
– ‘କୌଣସି ତାମିଲ ଲୋକ ଶାସନ କରିପାରିବ ନାହିଁ’
– ‘ବିଜେପିକୁ ଭୋଟ ଦିଅନ୍ତୁ, ଓଡିଶାର ସନ୍ତାନ ଏଠି ଶାସନ କରିବ’
– ‘ନବୀନ ବାବୁ ଓଡିଶାକୁ ପଛକୁ ଠେଲି ଦେଇଛନ୍ତି’
– ‘୨ବର୍ଷରେ ସମସ୍ତଙ୍କୁ ପାଣି, ଗରିବଙ୍କୁ ଘର ମିଳିବ’
– ‘ଧାନ କ୍ୱିଣ୍ଟାଲ ୩୧ଶହ ଟଙ୍କାରେ କିଣାଯିବ’
– ‘ମହିଳାଙ୍କୁ ୫୦ ହଜାରର ଭାଉଚର ମିଳିବ’
– ‘ଶହେ ଦିନରେ ଚିଟଫଣ୍ଡ ଟଙ୍କା ଫେରିବ’

ମଂଚ ଉପରୁ ମାଗଣା ଚାଉଳ କଥା ଉଠାଇ ନବୀନଙ୍କୁ ଟାର୍ଗେଟ କରିଛନ୍ତି ଶାହା । ମାଗଣା ଚାଉଳ ମୋଦୀ ଦେଉଛନ୍ତି ଓ ନବୀନ ଖାଲି ଅଖା ଦେଉଥିବା କହି କଟାକ୍ଷ କରିଛନ୍ତି । ସେହିପରି ଢ଼େଙ୍କାନାଳରେ ବିଜେଡି ସରକାରକୁ ଓପାଡି ଫିଙ୍ଗି ଦେବାକୁ ଆହ୍ୱାନ ଦେଇଛନ୍ତି । ଏଥିସହ ଭ୍ରଷ୍ଟାଚାରୀଙ୍କୁ ଜେଲରେ ପୁରାଯିବ ବୋଲି ଚେତାବୀନ ଦେଇଛନ୍ତି । ବେକାରୀ ସମସ୍ୟା ପ୍ରସଙ୍ଗ ଉଠାଇ ବିଜେପି ସରକାର ଗଢ଼ିଲେ ଯୁବବର୍ଗଙ୍କୁ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଦିନକ ପରେ, ଗୋଟିଏ ଦିନରେ ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ ଓ ନୟାଗଡରେ ଶାହାଙ୍କ ମାରାଥନ ପ୍ରଚାର ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି । ଓଡିଶାରେ ଆସନ ସଂଖ୍ୟା ବଢ଼ିବା ସମ୍ଭାବନା ଦେଖିବା ପରେ ବିଜେପି ଓଡିଶା ଉପରେ ଫୋକସ କରୁଥିବା ଚର୍ଚ୍ଚା ହେଉଛି । ଆଉ ଦୁଇଟି ପର୍ଯ୍ୟାୟ ମତଦାନ ବାକି ଥିବାବେଳେ, ବିଜେପିର ବଡ ନେତାଙ୍କ ଆକ୍ରମଣ, ରାଜନୈତିକ ଉଷ୍ଣତାକୁ ଆହୁରି ବଢ଼ାଇ ଦେଇଛି ।