ମନ୍ମଥଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ: ନାଁ ନନେଇ ଅପରାଜିତାଙ୍କୁ ଟାର୍ଗେଟ କଲେ, ମୁଖ୍ୟମନ୍ତ୍ରୀଙ୍କୁ ଜବାବ ଦେଲେ ଅପରାଜିତା

430

କନକ ବ୍ୟୁରୋ: ମେ ୨୫ରେ ଭୋଟ ଦେବ ଭୁବନେଶ୍ୱର । ବିଜେପି ଭୁବନେଶ୍ୱର ସାଂସଦ ପ୍ରାର୍ଥୀଙ୍କ ପାଇଁ ରାଜଧାନୀରେ ରୋଡ ସୋ କରି ଭୋଟ ମାଗିଥିଲେ ପ୍ରଧାନମନ୍ତ୍ରୀ । ଏହା ପରେ ଦୁଇ ଦୁଇ ଥର ରୋଡ ସୋ କରି ରାଜଧାନୀରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟ ରାଜଧାନୀର ସଂସଦୀୟ ଆସନ ଦୁଇ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ରୋଡ ସୋ ପରେ ଆଉ ପାଦେ ଆଗେଇ ଯାଇ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତା ଜାରି କରି ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥଙ୍କ ପାଇଁ ଭୋଟ ମାଗିଛନ୍ତି । ଏଥିସହ ନାଁ ନନେଇ ଅପରାଜିତା ଷଡଙ୍ଗୀଙ୍କୁ ଶାଣିତ ଢଙ୍ଗରେ ଆକ୍ରମଣ କରିଛନ୍ତି ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେଡି ସୁପ୍ରିମୋଙ୍କ ପ୍ରଚାର ଶୈଳୀ ବଦଳୁଛି । ରାଜଧାନୀରେ ଦୁଇ ଦୁଇ ଥର ରୋଡ ସୋ‘ କରିବା ପରେ ଭିଡିଓ ବାର୍ତା ଜାରି କରି ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ।

ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଭୋଟ ଦେବାକୁ ଭୁବନେଶ୍ୱରବାସୀଙ୍କୁ ଅପିଲ କରିଛନ୍ତି ନବୀନ ପଟ୍ଟନାୟକ । କହିଛନ୍ତି କେବଳ ଲୋକଙ୍କ ସେବା କରିବାକୁ ପାଇଲଟ ଚାକିରୀ ଛାଡି ମନ୍ମଥ ନିଜ ମାଟିକୁ ଫେରିଛନ୍ତି । ଭୁବନେଶ୍ୱରବାସୀଙ୍କ ଉନ୍ନତି ପାଇଁ ଦିନ ରାତି କାମ କରିବେ । ଏଥିସହ ନା ନନେଇ ଅପରାଜିତା ଷଡଙ୍ଗୀଙ୍କୁ ଶାଣିତ ଢଙ୍ଗରେ ଆକ୍ରମଣ କରିଛନ୍ତି ବିଜେଡି ସୁପ୍ରିମୋ । କହିଛନ୍ତି
ଗତ ୫ବର୍ଷରେ ବର୍ତମାନର ସାଂସଦ କିଛି ବଡ଼ କାମ କରିନାହାନ୍ତି
ଏକାମ୍ର ଓ ଲିଙ୍ଗରାଜ ମନ୍ଦିରର ରୂପାନ୍ତରିକରଣ କାମକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ

ମୁଖ୍ୟମନ୍ତ୍ରୀଙ୍କ ଆକ୍ରମଣର ଜବାବ ରଖିଲେ ବିଜେପିର ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । କହିଛନ୍ତି, ଲିଙ୍ଗରାଜ ମନ୍ଦିର ଏବଂ ଏକାମ୍ର ପ୍ରକଳ୍ପ ବନ୍ଦ ନେଇ ସେ କୌଣସି ମତ ମନ୍ତବ୍ୟ ଦେଇ ନାହାନ୍ତି । ମୌଖିକ କି ଲିଖିତ ଭାବରେ କହିଥିବାର କୌଣସି ପ୍ରମାଣ ନାହିଁ । ସେହିପରି ସେ କଣ କାମ କରିଛନ୍ତି କିମ୍ବା କରି ନାହାନ୍ତି ତାଙ୍କର ରିପୋର୍ଟ କାର୍ଡ ଦେଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଏହାଛଡା ବିଜେଡି ସାଂସଦଙ୍କ ରିପୋର୍ଟ କାର୍ଡ ସାର୍ବଜନୀନ କରିବାକୁ ଅପିଲ କରିଛନ୍ତି ଅପରାଜିତା ।

ଭୁବନେଶ୍ୱର ସଂସଦୀୟ ଆସନ ଉଭୟ ବିଜେପି ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇରହିଛି । ୧୯୯୮ମସିହାରୁ ଭୁବନେଶ୍ୱର ସଂସଦ ଆସନ ଦୀର୍ଘ ୨୫ ବର୍ଷ ବିଜେଡି କବଜାରେ ରହିଥିଲା । ୨୦୧୯ରେ ସମସ୍ତଙ୍କୁ ଚମକାଇ ଦେଇ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବିଜୟୀ ହୋଇଥିଲେ । ଏବେ ବିଜେପି ପାଇଁ ଗଡ ବଂଚାଇବା ଯେମିତିି ସମ୍ମାନର ପ୍ରଶ୍ନ ବିଜେପି କବଜାରୁ ଭୁବନେଶ୍ୱର ଆସନ ଛଡାଇ ଆଣିବା ବିଜେଡି ପାଇଁ ମଧ୍ୟ ସମ୍ମାନର ପ୍ରଶ୍ନ ।