ଅଭିଯୁକ୍ତକୁ ଧରିବାକୁ ଯାଇ ମାଡ଼ ଖାଇ ଫେରିଲେ ପୁଲିସ ବାବୁ । ବନ୍ଧୁକ ଛଡାଇନେଇଥିବା ଅଭିଯୋଗ

184

କନକ ବ୍ୟୁରୋ : ଅଭିଯୁକ୍ତକୁ ଧରିବା ପାଇଁ ଯାଇଥିଲେ, ହେଲେ ମାଡ଼ ଖାଇ ଫେରିଲେ ପୁଲିସ ବାବୁ । ଏକ ମାମଲାରେ ଅଭିଯୁକ୍ତକୁ ଧରିବା ପାଇଁ ତିଗିରିଆ ଥାନା ପଙ୍କାଳ ଗାଁକୁ ଯାଇଥିଲେ ଢେଙ୍କାନାଳ ସଦର ଥାନା ଏସଆଇ ଚନ୍ଦ୍ରକାନ୍ତ ସେଠୀ । ଅଭିଯୁକ୍ତଙ୍କ ସଂପର୍କୀୟଙ୍କ ଘରେ ଚଢ଼ାଉ କରିଥିଲେ । ଫେରୁଥିବା ବେଳେ ନୂଆପାଟଣା ବଜାର ଠାରେ ଅଭିଯୁକ୍ତଙ୍କ ଜଣେ ସଂପର୍କୀୟକୁ ଉଠାଇ ନେଇଥିଲେ । ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଉତେଜନା ସୃଷ୍ଟି ହୋଇଥିଲା ।

ତେବେ ଏହାକୁ ନେଇ ଘଟଣାସ୍ଥଳରେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା । ପୁଲିସକୁ ମାଡ଼ ମାରିଥିଲେ ଲୋକେ । ସବ-ଇନ୍ସପେକ୍ଟର ଚନ୍ଦ୍ରକାନ୍ତ ସେଠୀଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ତାଙ୍କଠାରୁ ବନ୍ଧୁକ ଛଡ଼ାଇ ନିଆଯାଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ତିଗିରିଆ ପୁଲିସ ପହଁଚି ତାଙ୍କୁ ଉଦ୍ଧାର କରିଛି ।

ତେବେ ଜାଣିବାକୁ ମିଳିଛି ଯେ ଚଢ଼ାଉ ସଂପର୍କରେ ସ୍ଥାନୀୟ ପୋଲିସକୁ କିଛି ସୂଚନା ନଦେଇ ଏକ ପ୍ରାଇଭେଟ କାରରେ ଆସିଥିଲେ ଏସଆଇ ଚନ୍ଦ୍ରକାନ୍ତ ସେଠୀ । ଆଠଗଡ଼ ଏସଡିପିଓ ବିଜୟ କୁମାର ବିଶି ଘଟଣାସ୍ଥଳରେ ପହଁଚି ତଦନ୍ତ ଚଳାଇଛନ୍ତି ।