୩ ଆସନରେ ଛିଡୁନି ବିଜେଡି ଅଙ୍କ । ବିଜେପିର ୭ ଆସନ ଅଡୁଆ । ଏପଟେ ନୀଳଗିରି ବିଧାନସଭା ପାଇଁ କଂଗ୍ରେସ ମଧ୍ୟ ଘୋଷଣା କରିନି ପ୍ରାର୍ଥୀ

2,909

କନକ ବ୍ୟୁରୋ: ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ବି ଛିଣ୍ଡୁନି ରାଜନୈତିକ ଦଳର ଅଙ୍କ । ବିଜେଡି ୧୪୪ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଖଣ୍ଡପଡା, ନୀଳଗିରି ଓ କୋରେଇରୁ ଏଯାଏଁ ନାଁ ଘୋଷଣା କରାଯାଇନାହିଁ । ସେହିପରି ବିଜେପିର ୭ଟି ଆସନରେ କାହାକୁ ମିଳିବ ଟିକେଟ, ତାକୁ ନେଇ ଲାଗିରହିଛି ଦ୍ୱନ୍ଦ୍ୱ । ସେପଟେ କଂଗ୍ରେସ କେବଳ ନୀଳଗିରିରେ ପ୍ରାର୍ଥୀ ଘୋଷଣା କରିନାହିଁ ।

  • ୩ ଆସନରେ ବିଜେଡି ଅଙ୍କ ଅଛିଣ୍ଡା
  • ଖଣ୍ଡପଡା, ନୀଳଗିରି ଓ କୋରେଇକୁ ନେଇ ସସପେନ୍ସ

୧୪୪ ବିଧାନସଭା ଆସନର ପ୍ରାର୍ଥୀ ଘୋଷଣା ହେଲା । କିନ୍ତୁ ଆଉ ୩ଟି ଆସନରେ ବିଜେଡିର ପ୍ରାର୍ଥୀ ଘୋଷଣା ବାକି ଅଛି । ନବୀନ ନିବାସରେ ବୈଠକ ପରେ ବୈଠକ ବସୁୁଛି, ହେଲେ ପ୍ରାର୍ଥୀ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇପାରୁନି ।

ନୀଳଗିରି ଆସନ

୨୦୧୪ରେ ବିଜେଡିରୁ ବିଧାୟକ ହୋଇଥିଲେ ସୁକାନ୍ତ । ୨୦୧୯ରେ ବିଜେପିରୁ ଜିତିଥିଲେ ସୁକାନ୍ତ ନାୟକ । ଏବେ ୨୦୨୪ ନିର୍ବାଚନ ପୂର୍ବରୁ ପୁଣି ଦଳବଦଳ କରି ବିଜେଡିରେ ମିଶିଛନ୍ତି । ଆଉ ଏହା ବିଜେଡିର ସ୍ଥାନୀୟ ରାଜନୀତିକୁ ଗୋଳମାଳ କରିଛି । ଏଠାରୁ ସନ୍ତୋଷ ଖଟୁଆ ଦାବିଦାର ଥିବାରୁ ଦଳର ଅଙ୍କ ଛିଡୁନି ।

କୋରେଇ ଆସନ

ଯାଜପୁରର କୋରେଇ ଆସନରେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦବଦବା ରହିଛି । ଟିକେଟ ଘୋଷଣା ନ ହେବାରୁ ବର୍ତମାନର ବିଧାୟକ ଅଶୋକ ବଳ ଦ୍ୱନ୍ଦରେ ଅଛନ୍ତି । କୁହାଯାଉଛି, ପ୍ରଣବ ପ୍ରକାଶ ଦାସ ସମ୍ବଲପୁରରୁ ଲୋକସଭା ପ୍ରାର୍ଥୀ ହୋଇଥିବାରୁ ତାଙ୍କ ପରିବାରରୁ କାହାକୁ ଟିକେଟ ମିଳିପାରେ । ସେହିଭଳି ଖଣ୍ଡପଡା ଆସନରେ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇନାହିଁ । କୁହାଯାଉଛି, ନୀଳଗିରି ଆସନ ପାଇଁ ବିଜେଡି ନିଷ୍ପତ୍ତି ନେଇପାରୁନାହିଁ । ସୁକାନ୍ତ ଓ ଦ୍ୱିତୀୟ ପ୍ରାର୍ଥୀଙ୍କ ମଧ୍ୟରେ କାହାକୁ ବଛାଯିବ ତାହା ସ୍ଥିର ହୋଇପାରୁନାହଁ ।

  • ବିଜେପିର ୭ଆସନ ଅଡୁଆ
  • ନୀଳଗିରି, ଭୋଗରାଇ, ବାରବାଟୀ-କଟକ ବଢାଉଛି ଟେନସନ

ବିଜେପିର ୭ ବିଧାନସଭା ଆସନ ବେଗୁନିଆ-ବୋଲଗଡ, ବାରବାଟୀ-କଟକ. ଭଣ୍ଡାରୀପୋଖରୀ, ବରୀ, ଭୋଗରାଇ. ନୀଳଗିରି ଓ ଘଷିପୁରାରେ ପ୍ରାର୍ଥୀ ଘୋଷଣା ବାକି ରହିଛି । ନୀଳଗିରିରେ ସୁକାନ୍ତ ନାୟକ ବିଜେଡିରେ ମିଶିବା ପରେ ପ୍ରାର୍ଥୀ ଖୋଜୁଛି ବିଜେପି । ସେହିପରି ବାରବାଟୀ-କଟକରେ ଅନୁଭବ ମହାନ୍ତି ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି । ଏହାଛଡା ବିଜେପିର ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ବି ଟିକେଟ ଦୌଡରେ ଅଛନ୍ତି ।

ଭଣ୍ଡାରୀପୋଖରୀକୁ ନେଇ ବିଜେପି ଏବେ ବି ଅଙ୍କ କଷୁଛି । ରାଜୁ ଦାସଙ୍କୁ ଏଠାରୁ ଲଢାଇବା ପାଇଁ ଚିନ୍ତା କରୁଛି ବିଜେପି । ତାଙ୍କୁ ସୋରରୁ ଟିକେଟ ମିଳିଥିବାବେଳେ ଶେଷ ମୂହୂର୍ତରେ ବଦଳିପାରେ ବୋଲି ଚର୍ଚ୍ଚା ହେଉଛି । ସେହିଭଳି ବେଗୁନିଆ, ବରୀ, ଘଷିପୁରା ଓ ଭୋଗରାଇରେ ପ୍ରାର୍ଥୀ ଘୋଷଣା ବାକିଅଛି ।

ନୀଳିଗିରି ପାଇଁ ଛକାପଞ୍ଝାରେ ଅଛନ୍ତି ବିଜେଡି-ବିଜେପି । ଏଠାରେ ଉଭୟ ଦଳ ପରସ୍ପରର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରିଛନ୍ତି । କଂଗ୍ରେସରେ କେବଳ ନୀଳିଗିରି ଆସନ ଘୋଷଣା ହୋଇନାହିଁ ।