ପଦ୍ମପୁରରେ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ୩ ନିର୍ବାଚନୀ ସଭାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଅପିଲ୍ କରିବେ ନବୀନ

164

କନକ ବ୍ୟୁରୋ : ପଦ୍ମପୁରରେ ଆଜି ପାୱାର ସୋ କରିବ ବିଜେଡି । ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡିର ନମ୍ବର ୱାନ ଷ୍ଟାର ପ୍ରଚାରକ ନବୀନ ପଟ୍ଟନାୟକ । ଗୋଟିଏ ଦିନରେ ତିନି ତିନି ଜନସଭାରେ ପଦ୍ମପୁରବାସୀଙ୍କୁ ସମ୍ବୋଧିତ କରିବେ ନବୀନ । ପଦ୍ମପୁରର ତିନୋଟି ବ୍ଲକ ପାଇକମାଲ, ଝାରବନ୍ଧ ଓ ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ନିର୍ବାଚନୀ ସଭା କରିବାର କାର୍ଯ୍ୟକ୍ରମ ରହିଛି । ନବୀନ ଦିନ ୧୧ଟା ୨୫ରେ ଝାରବନ୍ଧରେ ସଭା କରିବେ । ଏହାପରେ ଦିନ ୧୨ଟା ୩୦ରେ ମୁଖ୍ୟମନ୍ତ୍ରୀ ପାଇକମାଳ ହାଇସ୍କୁଲ ପଡ଼ିଆ ଓ ଅପରାହ୍ନ ୩ଟା ୩୦ରେ ପଦ୍ମପୁର ହାଇସ୍କୁଲ ପଡ଼ିଆରେ ସଭା କରିବେ । ଏ ନେଇ ବ୍ୟାପକ ଆୟୋଜନ କରିଛି ବିଜେଡି ।
ନବୀନ ନିଜେ ପଦ୍ମପୁର ଯାଇ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ପ୍ରଚାର କରିବା ଉପରେ ରାଜନୈତିକ ସମୀକ୍ଷକଙ୍କ ନଜର ଅଟକିଛି । କାରଣ ଧାମନଗର ଉପନିର୍ବାଚନ ହେଉ କିମ୍ବା ୨୦୧୯ ପରେ ହୋଇଥିବା ଅନ୍ୟ କୌଣସି ଉପନିର୍ବାଚନରେ ପ୍ରଚାର ପାଇଁ ନିଜେ ଯାଇନଥିଲେ ମୁଖ୍ୟମନ୍ତ୍ରୀ । ବରଂ ଭର୍ଚୁଆଲ୍ ସମାବେଶରେ ଭୋଟ ଅପିଲ କରିଥିଲେ । ଧାମନଗରରେ ପରାଜୟ ଓ ପଦ୍ମପୁର ଜିତିବାକୁ ବିଜେପି ଜୋରଦାର ପ୍ରୟାସ କରୁଥିବାରୁ ଏଥର ନିଜେ ମଇଦାନକୁ ଓହ୍ଲାଇଛନ୍ତି ନବୀନ । ସେପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଆଜି ପ୍ରଚାର ପାଇଁ ପଦ୍ମପୁରରେ ପହଁଚିବେ । ସେ ଗୋଟିଏ ଦିନରେ ବିଭିନ୍ନ ସ୍ଥାନରେ ରୋଡ ସୋ ଓ ସଭା କରି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ଅପିଲ କରିବେ ।