ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ମନ୍ମଥ ରାଉତରାୟଙ୍କ ନାମାଙ୍କନ: ବିରାଟ ପଟୁଆର ସହ ପତିଆରା ଦେଖାଇଲେ ବିଜେପି ଓ ବିଜେଡି ପ୍ରାର୍ଥୀ

339

କନକ ବ୍ୟୁରୋ: ହାଇପ୍ରୋଫାଇଲ ଭୁବନେଶ୍ୱର ଲୋକସଭା ଆସନରୁ ଆଜି ନାମାଙ୍କନ ଦାଖଲ ସହ ଶକ୍ତି ପ୍ରଦର୍ଶନ କରିଛନ୍ତି ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀ । ପାଇକ ବେଶରେ ସଜେଇ ହୋଇ, ହାତରେ ଯୋଡି ଶଂଖ ଧରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମନ୍ମଥ ମିଶ୍ର । ସେପଟେ ବରମୁଣ୍ଡା ପଡ଼ିଆରୁ ଶୋଭାଯାତ୍ରାରୁ ବାହାରିଥିଲେ ଅପରାଜିତା ଷଡଙ୍ଗୀ । ଉଭୟ ନେତା ନାମାଙ୍କନ ଦାଖଲ କରିବା ପୂର୍ବରୁ ଇଶ୍ୱରଙ୍କ ଆଶୀର୍ବାଦ ନେଇଥିଲେ ।

ରାଜଧାନୀ ଭୁବନେଶ୍ୱରରୁ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ରାଜପଥ ବିଜେଡି ଓ ବିଜେପି କର୍ମୀଙ୍କ ଶୋଭାଯାତ୍ରାରେ ଲୋକାରଣ୍ୟ ହୋଇ ଯାଇଥିଲା । କର୍ମୀଙ୍କ ନାରାବାଜିରେ କମ୍ପୁଥିଲା ପୂରା ଅଂଚଳ ।

ବହୁ ଚର୍ଚ୍ଚିତ ଭୁବନେଶ୍ୱର ଲୋକସଭା ଆସନରେ ନାମାଙ୍କନ ଭରିବା ପୂର୍ବରୁ ଦମ୍ ଦେଖାଇଥିଲେ ଦୁଇ ପ୍ରାର୍ଥୀ । ଗୋଟିଏ ପଟେ ବରମୁଣ୍ଡା ପଡିଆରୁ ଶୋଭାଯାତ୍ରାରେ ବାହାରି ଖୋର୍ଦ୍ଧା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଡକୁ ଯାଇଥିଲେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ । ପାରମ୍ପରିକ ପଗଡି ଭିଡି ତାଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବହୁ ସଂଖ୍ୟାରେ ମହିଳା । ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପହଁଚିବା ପୂର୍ବରୁ ପଦଯାତ୍ରା କରିଥିଲେ । ତାପରେ ନାମାଙ୍କନ ଦାଖଲ କରିଛନ୍ତି । .. ଅନ୍ୟପଟେ, ଗୋଡିପୋଖରୀରୁ ଶଗଡ ଗାଡିରେ ଚାଷୀ ବେଶରେ, ପଟୁଆର ସହ ଶୋଭାଯାତ୍ରା କରି ଖୋର୍ଦ୍ଧା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ବିଜେଡି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ । ପାଇକ ବେଶରେ ସଜେଇ ହୋଇ, ହାତରେ ଯୋଡି ଶଂଖ ଧରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମନ୍ମଥ । ହଜାର ହଜାର ମନ୍ମଥଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶେଷରେ ଖୋର୍ଦ୍ଧା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଥିଲେ ମନ୍ମଥ ।

ନାମାଙ୍କନ କରିବାକୁ ଯିବା ପୂର୍ବରୁ ଦୁଇ ନେତା ଭଗବାନଙ୍କ ଆଶୀର୍ବାଦ ନେଇଥିଲେ । ମନ୍ମଥ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବା ସହ ଏକ ମାରାଥନ ଦୌଡରେ ବାହାରିଥିଲେ । ଅନ୍ୟପଟେ ଅପରାଜିତା ଭୁଆଶୁଣି ମନ୍ଦିର ଯାଇ ଆର୍ଶୀବାଦ ନେଇଥିଲେ ।

ଭୁବନେଶ୍ୱର ଲୋକସଭା ଆସନ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଗତ ୨୦୧୯ ନିର୍ବାଚନରେ ଏହି ଆସନକୁ ବିଜେଡି ହାତରେ ବିଜେପି ଛଡାଇ ନେଇଥିବାରୁ ଏଥର ସ୍ୱତନ୍ତ୍ର ରଣନୀତି ସହ ମଇଦାନକୁ ଓହ୍ଲାଇଛନ୍ତି ଦୁଇ ଦଳ ।

୨୦୧୯ରେ ବିଜେଡିର ଗଡ କୁହାଯାଉଥିବା ଭୁବନେଶ୍ୱର ଲୋକସଭା ଚିତ୍ର ବଦଳି ଯାଇଥିଲା । ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କୁ ପାଖାପାଖି ୨୩ ହଜାର ଭୋଟରେ ପରାସ୍ତ କରିଥିଲେ । ଯାହାକି ବିଜେଡିକୁ ବଡ ଝଟକା ବୋଲି କୁହାଯାଉଥିଲା । କିନ୍ତୁ ୨୦୨୪ରେ ଭୁବନେଶ୍ୱରକୁ କୌଣସି ବି ପରିସ୍ଥିତିରେ ହାତଛଡା କରିବାକୁ ଚାହୁଁନାହିଁ ବିଜେଡି । ହେଲେ, ବିଜେପି ପୁଣି ଥରେ ବାଜିମାତ କରିବାକୁ ଲକ୍ଷ୍ୟ ରଖିଛି ।