ହେଭିୱେଟଙ୍କ ନାମାଙ୍କନ: ଜୁଏଲ ଓ କୁସୁମଙ୍କ ପ୍ରାର୍ଥୀପତ୍ର ଦାଖଲ

176

କନକ ବ୍ୟୁରୋ: ଜାରି ରହିଛି ହେଭିୱେଟ ନେତାଙ୍କ ନାମାଙ୍କନ ଦାଖଲ । ନାମାଙ୍କନ ପୂର୍ବରୁ ନିଜର ସମର୍ଥକଙ୍କ ସହ ରୋଡ ସୋ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ନେତା । ସୁନ୍ଦରଗଡ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଓ ସୁନ୍ଦରଗଡ ବିିଧାନସଭା ଆସନ ପାଇଁ କୁସୁମ ଟେଟେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ବିରାଟ ପଟୁଆରରେ ଆସି କନ୍ଧମାଳ ଆସନ ପାଇଁ ବିଜେଡି ଲୋକସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ପୁରୀରୁ ଅରୂପ ପଟ୍ଟନାୟକ ସମର୍ଥକଙ୍କ ସହ ଯାଇ ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥୀପତ୍ର ଦାଖଲ କରିଛି ।

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନର ଆଜି ସପ୍ତମ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ହେଭିୱେଟ । ସୁନ୍ଦରଗଡ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଜୁଏଲ ଓରାମ ନାମାଙ୍କନ ଭରିଛନ୍ତି । ଜୁଏଲଙ୍କ ସହ ସୁନ୍ଦରଗଡ ବିିଧାନସଭା ଆସନ ପାଇଁ କୁସୁମ ଟେଟେ, ତଳସରା ବିଧାନସଭା ଆସନ ପାଇଁ ଭବାନୀ ଶଙ୍କର ଭୋଇ ଏବଂ ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ନରସିଂହ ମିଞ୍ଜ ବି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସୁନ୍ଦରଗଡ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇଙ୍କ ମନ୍ଦିର ରୁ ହଜାର ହଜାର କର୍ମୀ ଏବଂ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ ଅଫିସ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବିରାଟ ପଟୁଆରରେ କନ୍ଧମାଳ ଆସନ ପାଇଁ ବିଜେଡି ଲୋକସଭା ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତାଙ୍କ ସହ ଫୁଲବାଣୀ ବିଧାନସଭାର ବିଜେଡି ପ୍ରାର୍ଥୀ ଜୟଶ୍ରୀ କଅଁର ବି ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପୂର୍ବରୁ ଉଭୟ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଛନ୍ତି ।

ସେହିଭଳି ପୁରୀ ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକ ସମର୍ଥକଙ୍କ ସହ ଯାଇ ଜିଲ୍ଲାପାଳଙ୍କ ଅଫିସରେ ପ୍ରାର୍ଥୀପତ୍ର ଦାଖଲ କରିଛି । ନବୀନଙ୍କ ବିକାଶ ଧାରାକୁ ନେଇ ସେ ଆଗକୁବଢିବେ ବୋଲି କହିଛନ୍ତି ଅରୂପ । ସେହିଭଳି ପୁରୀ ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ମଧ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପୁରୀରେ ଜୟନ୍ତଙ୍କ ଶୋଭାଯାତ୍ରା ଦେଖିବା ଭଳି ଥିଲା ।

ଝାରସୁଗୁଡା ଜିଲ୍ଲାର ବ୍ରଜରାଜନଗର ବିଧାନସଭା ଲଢେଇ ପାଇଁ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଛନ୍ତି ଅଳକା ମହାନ୍ତି । ଆଜି ସେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବେହେରାମାଲରୁ କର୍ମୀମାନଙ୍କ ସହ ରାଲିରେ ଯାଇ ଝାରସୁଗୁଡା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ନାମାଙ୍କନ ଭରିଛନ୍ତି ବିଜେଡି ବିଧାନସଭା ପ୍ରାର୍ଥୀ । ଝାରସୁଗୁଡାରେ ବରିଷ୍ଠ ବିଜେଡି ନେତା ସୁରେଶ ପୂଜାରୀ ଓ କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟ୍ଟନାୟକଙ୍କ ସହ ବିଜେଡିର ଅଳକାଙ୍କ ଲଢେଇ ହେବ ।

ନାମାଙ୍କନ ଦାଖଲ କଲେ ଓ ଦମ୍ ଦେଖାଇଲେ । ବରଗଡ଼ ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟ ନାମାଙ୍କନ ଭରିବା ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଛନ୍ତି । ବିରାଟ ଶୋଭାଯାତ୍ରରେ ହଜାର ହଜାର କର୍ମୀଙ୍କ ସହ ରୋଡ ସୋ କରିଛନ୍ତି ଦେବେଶ ଆଚାର୍ଯ୍ୟ । ନଦୀପଠାରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଥିଲେ ଦେବେଶ ଆଚାର୍ଯ୍ୟ ।