ନାମାଙ୍କନରେ ନାରା ଲଢେଇ: ଜୟ ଜଗନ୍ନାଥ ବନାମ ଜୟ ଶ୍ରୀରାମ

109

କନକ ବ୍ୟୁରୋ: ନିର୍ବାଚନ ନୁହେଁ ନାମାଙ୍କନରୁ ଦେଖିବାକୁ ମିଳିଲାଣି ଉତେଜନା । ବିଜେପି ଓ ବିଜେଡି କର୍ମୀ ନାରାବାଜି ପ୍ରତିଯୋଗିତାରୁ ଉତେଜନା ବଢି ଧସ୍ତାଧସ୍ତି ଯାଏଁ କଥା ପହଂଚିଥିଲା । ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିଜେପି-ବିଜେଡି ସାଂସଦ ପ୍ରାର୍ଥୀଙ୍କ ନାମାଙ୍କନ ବେଳେ ଦେଖିବାକୁ ମିଳିଥିଲା ଏଭଳି ଦୃଶ୍ୟ । ଅବଶ୍ୟ ପୁଲିସ ହସ୍ତକ୍ଷେପ କରି ଦୁଇ ଦଳର କର୍ମୀଙ୍କୁ ବୁଝାସୁଝା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ନାମାଙ୍କନରେ ବିଜେପି- ବିଜେଡି ମଧ୍ୟରେ ଉତେଜନା ପୁଲିସ ପ୍ରଶାସନ ପାଇଁ ସତର୍କ ଘଂଟି ।

ବନ୍ଧୁ, ସାଙ୍ଗଙ୍କୁ ଦେଖିଲେ ସମ୍ଭାଷଣରୁ ଦେଉଥିବା ଜୟ ଜଗନ୍ନାଥ ହେଉ କି ଜୟ ଶ୍ରୀରାମ ଜୟ ଧ୍ୱନି ଏବେ ରାଜନୈତିକ ନାରା ପାଲଟିଛି । ଆଉ ଚଳିତ ନିର୍ବାଚନରେ ଏହାର ବହୁଳ ବ୍ୟବହାର ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି କରୁଛି ।

ନାମାଙ୍କନ ସମୟରେ ନାରାବାଜିକୁ ନେଇ ବିଜେଡି ବିଜେପି ମଧ୍ୟରେ ଉତେଜନା । ବିଜେପି ଓ ବିଜେଡିର ସାଂସଦ ପ୍ରାର୍ଥୀ ନାମାଙ୍କନ ଦାଖଲ ବେଳେ ବାହାରେ ଦୁଇ ଦଳର ସମର୍ଥକଙ୍କ ଗୋଷ୍ଠୀ ମଧ୍ୟରେ ନାରାବାଜିର ଲଢେଇ । ବିଜେଡି ସମର୍ଥକ ଜୟଜଗନ୍ନାଥ ନାରା ଦେଉଥିବା ବେଳେ ବିଜେପି ସମର୍ଥକ ଜୟଶ୍ରୀରାମ ନାରା ଦେଇ କାଉଁଟର କରୁଥିଲେ । ଖାଲି ଏତିକି ନୁହେଁ ବିଜେଡି କର୍ମୀ ଯୋଡି ଶଙ୍ଖ ନାରା ଦେଉଥିବା ବେଳେ ବିଜେପି ସମର୍ଥକ ଯୋଡି ପଦ୍ମ ନାରା ଦେଉଥିଲେ । ଯାହାକୁ ନେଇ ଉତେଜନାମୂଳକ ବଢିଥିଲା ଆଉ ଦୁଇ ଦଳର ସମର୍ଥକ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ଯାଏଁ କଥା ପହଂଚିଥିଲା ।

ବିରାଟ ପଟୁଆର ଓ ହଜାର ହଜାର ସମର୍ଥକ କର୍ମୀଙ୍କୁ ସାଙ୍ଗରେ ନେଇ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ନାମାଙ୍କନ ଦାଖଲ କରିବାକୁ ପହଂଚିଥିଲେ । ପରେ ବିଶାଳ ରାଲି କରି ହଜାର ହଜାର ସମର୍ଥକ, କର୍ମୀଙ୍କ ସହ ପହଂଚିଥିଲେ ଅପରାଜିତା ଷଡଙ୍ଗୀ । ଦୁଇ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ ପାଇଁ କାର୍ଯ୍ୟାଳୟକୁ ଯିବା ପରେ ଆରମ୍ଭ ହୋଇଥିଲା ନାରାବାଜିର ଲଢେଇ । ଯାହା ପ୍ରାୟ ଏକଘଂଟା ଧରି ଚାଲିଥିଲା ।ଉତେଜନା ବଢୁଥିଲେ ମଧ୍ୟ ସମର୍ଥକଙ୍କୁ ନିୟନ୍ତ୍ରଣ କରିବାକୁ ଆବଶ୍ୟକ ସଂଖ୍ୟା ବଳ ନଥିବାରୁ ଚୁପ ରହିଥିଲା ଉପସ୍ଥିତି ପୁଲିସ । ପରେ ଖୋର୍ଦ୍ଧା ଏସପି ଅଧିକ ଫୋର୍ସ ମଗାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ସେପଟେ ଏଭଳି ପରିସ୍ଥିତି ପାଇଁ ଉପସ୍ଥିତ ଥିବା ପୁଲିସ ଅଧିକାରୀଙ୍କୁ ଦାୟୀ କରିଛନ୍ତି ପୂର୍ବତନ ପୁଲିସ ଡିଜି ।

ଦୁଇ ଦିନ ତଳେ ପୁରୀରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ । ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ନାମାଙ୍କନ କରିବାକୁ ଆସିଥିବା ବେଳେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ପହଂଚିଥିଲେ ବିଜେଡି ବିଧାୟକ ପ୍ରାର୍ଥୀ ସଂଜୟ ଦାସ ବର୍ମା । ସେଠାରେ ଦୁଇ ଦଳର କର୍ମୀଙ୍କ ମଧ୍ୟରେ ଜୟ ଜଗନ୍ନାଥ ଓ ଜୟଶ୍ରୀରାମ ନାରା ଜୋରସୋରରେ ଦେବାରୁ ଉତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।