ଡିପଫେକ ଭିଡିଓକୁ ନେଇ ଟେନସନରେ ନେତା: ସାଇବର ସୈତାନଙ୍କ ଉପରେ ପୁଲିସର ନଜର

67

କନକ ବ୍ୟୁରୋ: ନିର୍ବାଚନ ମାହୋଲ ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡିପଫେକ ଭିଡିଓ ଆସିବା ପରେ ନେତାଙ୍କ ଚିନ୍ତା ବଢ଼ିଯାଇଛି । କେତେବେଳେ ଯେ କାହାର ଫେକ୍ ଭିଡିଓ ଆସିବ କିଛି କହିହେବ ନାହିଁ । ଏଭଳି ଆଶଙ୍କା ଭିତରେ ସାଇବର ଠକଙ୍କ ଉପରେ ନଜର ରଖିଛି କମିଶନରେଟ ପୁଲିସ । ଏନଜିଓ, ସାଇବର ଏକ୍ସପର୍ଟକୁ ନେଇ ସଚେତନତା କାର୍ଯ୍ୟକ୍ରମ କରିଛି କମିଶନରେଟ ପୁଲିସ ।

ଆଗକୁ ସାଧାରଣ ନିର୍ବାଚନ । ଗୋଟିଏ ପଟେ ଜିତିବା ପାଇ ମୈଦାନରେ ଚାଲିଛି କଡା ଟକ୍କର । ଏହାରି ଭିତରେ ଡିପଫେକ ଭିଡିଓକୁ ନେଇ ଏବେ ନେତାଙ୍କ ଭିତରେ ଛନକା ପଶିଛି । କେତେ ବେଳେ ଯେ କାହା ଭିଡିଓ ଭାଇରାଲ ହେବ? କିଏ ଭାଇରାଲ କରିଦେବ? ସେ ନେଇ ମୁଣ୍ଡବିନ୍ଧିବା ଆରମ୍ଭ ହୋଇଗଲାଣି । ଏପରିକି ସାଇବର ଫ୍ରଡଷ୍ଟରଙ୍କୁ ବ୍ୟବହାର କରି ଶତ୍ରୁପକ୍ଷ ଡିପିଫେକ୍ ଭିଡିଓ ସାହାଯ୍ୟରେ ନେତାଙ୍କୁ ବଦନାମ କରିଦେବାର ଆଶଙ୍କା ରହିଛି । ତେବେ କଣ ଏହି ଡିପ୍ ଫେକ ଭିଡିଓ?

– ଏଆଇ ବା ଆର୍ଟିଫିସିଆଲ ଇଂଟିିଲିଜେନ୍ସରେ ତିଆରି ହୁଏ ଏହି ଡିପଫେକ ଭିଡିଓ
– ଜଣେ ବ୍ୟକ୍ତିଙ୍କ ଶରୀରରେ ଅନ୍ୟଜଣେ ବ୍ୟକ୍ତିଙ୍କ ମୁହଁକୁ ଲଗାଇ ପ୍ରସ୍ତୁତ ହୁଏ ଭିଡିଓ
– ଏପରି କି ଏଆଇ ଟେକ୍ନୋଲୋଜି ଜରିଆରେ ଅଶ୍ଲୀଳ ଭିଡିଓ ପ୍ରସ୍ତୁତ କରାଯାଇପାରେ
– ଡିପଫେକ ଭିଡିଓର ଭାଇରାଲ ଭୟକୁ ନେଇ ଏବେ ଚାଂଚଲ୍ୟ

ତେବେ ଏଭଳି ସମ୍ଭାବନା ଥିବାରୁ ସାଇବର ଠକଙ୍କ ଉପରେ ନଜର ରଖିଛି କମିଶନରେଟ ପୁଲିସ । କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମଧ୍ୟ ଛାଡି ନାହାନ୍ତି ସାଇବର ଠକ । ନିକଟ ଅତିତରେ ଅମିତ ଶାହା, ଅଭିନେତ୍ରୀ ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କେଫଙ୍କ ଭଳି ବଲିଉଡ ଷ୍ଟାରଙ୍କ ଡିପଫେକ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏଆଇର ବ୍ୟବହାରକୁ ନେଇ ଚିନ୍ତା ବଢିଛି । ଇଂଟରନେଟରେ ଲକ୍ଷ ଲକ୍ଷ ଡିପଫେକ ପର୍ଣ୍ଣ ଭିଡିଓ ମହଜୁଦ ଥିବା ବେଳେ ବେଶ କିଛି ଦିନ ହେବ ପ୍ରତିଦିନ ଶତାଧିକ ଭିଡିଓ ଅପଲୋଡ କରୁଥିବା ନଜିର ରହିଛି । ଏମାନଙ୍କୁ ସାବାଡ କରିବା ପାଇଁ ଏନଜିଓ, ସାଇବର ଏକ୍ସପର୍ଟ, ୱାଇଆଇ ଭୁବନେଶ୍ୱର ଏବଂ ଟିମ ହରକୁ ନେଇ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସାଇବର ଠକଙ୍କ ଦ୍ୱାରା ଠକେଇର ଶିକାର ହେଲେ ପ୍ରଥମ ଏକ ଘଂଟା ବା ଗୋଲଡେନ ଆୱାର ଭିତରେ ଥାନାକୁ ନଯାଇ ମଧ୍ୟ ଚକ୍ଷୁ ଆପ ଜରିଆରେ ମାମଲା ରୁଜୁ କରିପାରିବେ ଅଭିଯୋଗକାରୀ । ନିର୍ବାଚନ ସମୟରେ ସାଇବର ଅପରାଧ ରୋକିବା କମିସନରେଟ ପୁଲିସ ପାଇଁ ଗୋଟେ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।