ବାପା-ମା’ଙ୍କ ପାଇଁ ବାହାରିଲେ ପୁଅ ଝିଅ: ନାମାଙ୍କନ ରାଲିରେ ନେତାଙ୍କ ଦାୟଦ

579

କନକ ବ୍ୟୁରୋ: କୁହାଯାଏ, ପିଲାଙ୍କ ସଫଳତା ପାଇଁ ବାପା-ମା’ ଦିନରାତି ଏକ କରି ଦିଅନ୍ତି । ପାଖରେ ଛାଇ ଭଳି ଠିଆ ହୋଇ ପୁଅ-ଝିଅଙ୍କୁ ସମର୍ଥନ ଦିଅନ୍ତି, ସହଯୋଗ କରନ୍ତି । କିନ୍ତୁ ରାଜନୀତିରେ କିଛି ଓଲଟା ଦେଖିବାକୁ ମିଳୁଛି । ବାପା-ମାଙ୍କ ସଫଳତା ପାଇଁ ପୁଅ-ଝିଅ ଆଗେଇ ଆସିଛନ୍ତି । ୨୪ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବାପା-ମା, ଆଜି ଯେତେବେଳେ ନାମାଙ୍କନ ଦାଖଲ କରିବାକୁ ଯାଉଥିଲେ ସାଥୀରେ ଥିଲେ ପୁଅ ଓ ଝିଅ ।

ପିଲାମାନେ ଯେତେବେଳେ ପରୀକ୍ଷା ଦେଉଥିଲେ, ହୁଏତ ଠିକ୍ ଏମିତି ବାପା-ମାମାନେ ବ୍ୟସ୍ତ ରହୁଥିଲେ । ପିଲାମାନେ କେମିତି ପାଠ ପଢ଼ିବେ ଏବଂ ସଫଳ ହେବେ ସେଥିପାଇଁ ବ୍ୟସ୍ତ ରହୁଥିଲେ । ଆଉ ଏବେ ଯେତେ -ବେଳେ ବାପା-ମା’ମାନେ ନିର୍ବାଚନୀ ମୈଦାନରେ ପ୍ରାର୍ଥୀ ହୋଇ ପରୀକ୍ଷା ଦେବାକୁ ଯାଉଛନ୍ତି, ନେତାଙ୍କ ଦାୟଦମାନେ ପିତାମାତାଙ୍କୁ ସମର୍ଥନ ଦେଉଥିବା ଦେଖିବାକୁ ମିଳିଛି । ସମ୍ବଲପୁର ଲୋକସଭା ପାଇଁ ବିଜେପି ପ୍ରାର୍ଥୀ ଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ନାମାଙ୍କନ ଶୋଭାଯାତ୍ରା ସମୟରେ, କେନ୍ଦ୍ରମନ୍ତ୍ରୀଙ୍କ ପୁଅ ନିଶାନ୍ତ ପ୍ରଧାନଙ୍କୁ ଦେଖିବାକୁ ମିଳିଥିଲା । ବାପାଙ୍କ ପାଇଁ ବାହାରିଥିଲେ ପୁଅ ।

ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ନାମାଙ୍କନ ଦାଖଲ ସମୟରେ ମଧ୍ୟ ତାଙ୍କ ପୁଅ ଶିଖର ଷଡ଼ଙ୍ଗୀଙ୍କୁ ଦେଖିବାକୁ ମିଳିଛି । ନାମାଙ୍କନ ଦାଖଲ କରିବା ପାଇଁ ଅପରାଜିତା ଷଡଙ୍ଗୀ ରାଲି କରିବା ଯିବା ସମୟରେ ମା’ଙ୍କ ପାଖରେ ପାଖରେ ଥାଇ ସମର୍ଥନ ଓ ଉତ୍ସାହ ଦେଇଥିଲେ ଶିଖର ଷଡ଼ଙ୍ଗୀ ।

କେବଳ ପୁଅମାନେ କାହିଁକି ଝିଅମାନେ ମଧ୍ୟ ବାପା-ମାଙ୍କ ପାଇଁ ଛିଡ଼ା ହୋଇଛନ୍ତି । ବଲାଙ୍ଗୀର ଲୋକସଭା ଆସନର ବିଜେପି ପ୍ରାର୍ଥୀ ସଂଗୀତା ସିଂଦେଓଙ୍କ ପାଇଁ ପ୍ରଚାର କରିଛନ୍ତି ଝିଅ ନିବୃତି କୁମାରୀ ସିଂଦେଓ । ନାମାଙ୍କନ ଦାଖଲ ସମୟରେ ମା’ଙ୍କ ସହ ଉପସ୍ଥିତ ଥିବା ବେଳେ ପ୍ରଚାର ସମୟରେ ବି ମା’ଙ୍କ ପାଇଁ ପ୍ରଚାର କରୁଛନ୍ତି ।

ଆଠଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପାଇଁ ମଧ୍ୟ ବାହାରିଛନ୍ତି ପୁଅ, ଆଦିତ୍ୟ ପ୍ରତାପ ସ୍ୱାଇଁ । ବାପାଙ୍କ ନାମାଙ୍କନ ସମୟରେ ସାଥିରେ ଯାଇଥିବା ବେଳେ ବାପାଙ୍କ ପାଇଁ ପ୍ରଚାର ମଧ୍ୟ କରୁଛନ୍ତି । ୭-୭ଥର ବିଧାୟକ ରାଜା ସ୍ୱାଇଁଙ୍କ ପାଇଁ ପୁଅ ଆଦିତ୍ୟ ଅନେକ ସମୟରେ ନଜର ଆସୁଛନ୍ତି ।

ବାପା-ମାଙ୍କୁ ସହଯୋଗ କରିବା ହୁଏତ ସ୍ୱାଭାବିକ କଥା । ପିଲାଙ୍କ ଦାୟୀତ୍ୱ ହିସାବରେ ବାପା-ମାଙ୍କୁ ସହଯୋଗ କରୁଥାଇପାରନ୍ତି । କିନ୍ତୁ ଭବିଷ୍ୟତ ପାଇଁ ଅବସର ଅନ୍ୱେଷଣର ଏହା ସୁଯୋଗ ହେବ ନାହିଁ ତ?