ଦେବଗଡରେ କାହିଁକି କଟିଲା ଅରୁନ୍ଧତୀ ଦେବୀଙ୍କ ଟିକେଟ୍? କାହିଁକି ପ୍ରାର୍ଥୀ ପରିବର୍ତ୍ତନ କଲା ବିଜେଡି?

4,738

କନକ ବ୍ୟୁରୋ: ଦେବଗଡରେ କାହିଁକି ପ୍ରାର୍ଥୀ ବଦଳାଇଲା ବିଜେଡି? କାହିଁକି କଟିଗଲା ଅରୁନ୍ଧତୀ ଦେବୀଙ୍କ ଟିକେଟ୍? ଗୁରୁବାର ବିଜେଡିର ଶେଷ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ହେବା ପରେ ଏହି ଚର୍ଚ୍ଚା ଏବେ ଜୋର ଧରିଛି । କାହିଁକି ନା, ସମ୍ବଲପୁର ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ; ଯିଏକି ନିକଟରେ ବିଜେଡିରେ ସାମିଲ ହେଇଥିଲେ, ତାଙ୍କୁ ଟିକେଟ୍ ଦେଇ ପୁଣି ଟିକେଟ୍ କାଟିଦେଇଛି ବିଜୁ ଜନତା ଦଳ । ଏହାବଦଳରେ ଦଳ ସ୍ଥାନୀୟ ନେତା ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପୁଣିଥରେ ଭରସା କରିଛି ।

ଦେବଗଡରେ ବିଜୁ ଜନତା ଦଳ ପ୍ରଥମେ ଦେବଗଡର ରାଣୀ ତଥା ବିଜେପି ସାଂସଦ ନୀତେଶ ଗଙ୍ଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ଟିକେଟ୍ ଦେଇଥିଲା । ଅରୁନ୍ଧତୀଙ୍କୁ ଟିକେଟ୍ ଦେଇ ବଡ ଚାଲ୍ ଖେଳିଥିଲା ବିଜୁ ଜନତା ଦଳ । ହେଲେ ସେହି ଚାଲ୍ କିନ୍ତୁ ବିଜେଡିର ସଫଳ ହେଇନଥିଲା । ଅରୁନ୍ଧତୀ ଦେବୀଙ୍କୁ ଟିକେଟ୍ ମିଳିବା ପରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ସମର୍ଥକମାନେ ତାଙ୍କୁ ସମର୍ଥନ ଦେଇନଥିଲେ । ଏପରିକି ଅନେକ ସମୟରେ ତାଙ୍କୁ ଗ୍ରାଉଣ୍ଡ ଜିରୋରେ ବିରୋଧରେ ସାମ୍ନା କରିବାକୁ ପଡିଥିଲା ।

ଅନ୍ୟପଟେ ଅରୁନ୍ଧତୀ ଦେବୀ ବିଜେଡିରେ ସାମିଲ ହେବା ପରେ ବିଜେପି ସାଂସଦ ନୀତେଶ ଗଙ୍ଗଦେବ ମଧ୍ୟ ଚଳିତ ନିର୍ବାଚନରେ ବିଜେଡିକୁ ସମର୍ଥନ ଦେବେ ବୋଲି କୁହାଯାଉଥିଲା । ହେଲେ ନୀତେଶଙ୍କ ସମର୍ଥନ ମଧ୍ୟ ଅରୁନ୍ଧତୀ ଦେବୀଙ୍କୁ ମିଳିନଥିଲା । ଏପରିକି ସୋସିଆଲ୍ ମିଡିଆରେ ନୀତେଶ ବିଜେପି ଛାଡିଥିବା ନେଇ ପୋଷ୍ଟ ସେୟାର କରିବା ସହ, ପରେ ତାଙ୍କର ସୋସିଆଲ୍ ମିଡିଆ ଆଇଡି ହ୍ୟାକ୍ ହେଇଥିଲା ବୋଲି ସ୍ପଷ୍ଟୋକ୍ତି ରଖିଥିଲେ । ଯାହା ପରେ ରାଜପରିବାର ଭିତରେ ସବୁକିଛି ଠିକ୍ ନଥିବା ସ୍ପଷ୍ଟ ହେଇଥିଲା । ତେଣୁ ଉପରୋକ୍ତ କଥା ସବୁକୁ ଦୃଷ୍ଟିରେ ରଖି ଦେବଗଡରେ ପ୍ରାର୍ଥୀ ବଦଳାଇଛି ବିଜେଡି ।

ଦେବଗଡରେ ଏବେ ବିଜେଡି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିଛି । ଏହି ଆସନରେ ସେ ଗତଥର ମଧ୍ୟ ନିର୍ବାଚନ ଲଢିଥିଲେ । ୨୦୧୯ରେ ଏହି ଆସନରୁ ସେ ବିଜେପି ପ୍ରାର୍ଥୀ ସୁବାସ ପାଣିଗ୍ରାହୀଙ୍କ ଠାରୁ ଅଳ୍ପ ବ୍ୟବଧାନରେ ହାରିଯାଇଥିଲେ । ହେଲେ ଏହାପରେ ମଧ୍ୟ ପୌର ଓ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ସଫଳତା ଦେବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେଣୁ ସାଧାରଣ ନିର୍ବାଚନରେ ପୁଣିଥରେ ରୋମାଞ୍ଚ ବିଶ୍ୱାଳଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିବା ସହିତ, ଦେବଗଡ ଦାୟିତ୍ୱ ଦେଇଛି ।