ବିଜେପି ପ୍ରାର୍ଥୀ ତାଲିକାରେ ନାହିଁ ଅନୁଭବ ମହାନ୍ତି ଓ ଦେବାଶିଷ ନାୟକଙ୍କ ନାମ । ପ୍ରାର୍ଥୀ ଘୋଷଣା ପରେ ନିରାଶ ହେଲେ ଦୁଇ ଆଶାୟୀ

4,421

କନକ ବ୍ୟୁରୋ : ବିଜେପି ଆଜିକୁ ମିଶାଇ ୧୪୬ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଏହି କ୍ରମରେ ନୂଆ କରି ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ଅନୁଭବ ମହାନ୍ତିଙ୍କୁ ବିଜେପି ଟିକେଟ ଦେଇନାହିଁ । ତାଙ୍କୁ ଦଳ କଟକ ବାରବାଟୀ ଆସନରୁ ପ୍ରାର୍ଥୀ କରିବା ନେଇ କଳ୍ପନା କରାଯାଉଥିବା ବେଳେ ଦଳ ବାରବାଟୀ ଆସନୀରୁ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ବରି ବିଧାନସଭା କ୍ଷେତ୍ରର ପୂର୍ବତନ ବିଧାୟକ ଦେବାଶିଷ ନାୟକଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି । ଏହି ଆସନରୁ ଦଳ ଉମେଶ ଚନ୍ଦ୍ର ଜେନାଙ୍କୁ ପ୍ରାର୍ଥୀ କରିଛି । ବରୀ ବିଧାନସଭା ଆସନରୁ ଦେବାଶିଷ ନାୟକ ୨୦୦୯ ଓ ୨୦୧୪ ମସିହା ନିର୍ବାଚନରେ ବିଜେଡି ଟିକେଟରୁ ଲଢି ବିଜୟୀ ହୋଇଥିଲେ । ହେଲେ ୨୦୧୯ ମସିହାରେ ବିଜେଡି ଏହି ଆସନରୁ ସୁନନ୍ଦା ଦାସଙ୍କ ପ୍ରାର୍ଥୀ କରିଥିଲା । ୨୦୧୯ ରେ ଦେବାଶିଷଙ୍କୁ ଟିକେଟ ନ ମିଳିବାରୁ ସେ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ଆଶା କରାଯାଉଥିଲା କି ବିଜେପି ତାଙ୍କୁ ବରୀ ଆସନରୁ ପ୍ରାର୍ଥୀ କରିବ  । ହେଲେ ୨୦୨୪ ନିର୍ବାଚନରେ ମଧ୍ୟ ଦେବାଶିଷଙ୍କୁ ନିରାଶ ହେବାକୁ ପଡିଛି ।