ପ୍ରଣବ ପ୍ରକାଶଙ୍କ ମା’ଙ୍କୁ ପ୍ରାର୍ଥୀ କଲା ବିଜେଡି । କିନ୍ତୁ କୋରେଇରୁ କାହିଁକି ମୈଦାନକୁ ଓହ୍ଲାଇଲା ଦଳ?

4,550

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ବଳକା ୩ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ତେବେ କୋରେଇ ଆସନରେ ସରପ୍ରାଇଜ କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ । ସନ୍ଧ୍ୟାରାଣୀ ଦାସଙ୍କୁ ଏହି ଆସନରୁ ମୈଦାନକୁ ଓହ୍ଲାଇଛି ଦଳ । ତେବେ ଅନେକଙ୍କ ପାଇଁ ଅଜଣା ଓ ଅଚିହ୍ନା ଥିବା ସନ୍ଧ୍ୟାରାଣୀ କିଏ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଉଠିଥିଲା । କିନ୍ତୁ ପ୍ରାର୍ଥୀ ଘୋଷଣାର କିଛି ସମୟ ମଧ୍ୟରେ ହିଁ ସନ୍ଧ୍ୟାରାଣୀଙ୍କ ପରିଚୟ ସାମ୍ନାକୁ ଆସିଥିଲା ।

କୋରେଇ ଆସନରୁ ପ୍ରାର୍ଥୀ ହୋଇଥିବା ସନ୍ଧ୍ୟାରାଣୀ ଦାସ ହେଉଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ମା’ । ସନ୍ଧ୍ୟାରାଣୀଙ୍କ ଅନ୍ୟ ଏକ ପରିଚୟ ହେଲା, ଓଡ଼ିଶା ରାଜନୀତିର ଟାଣୁଆ ଦିବଙ୍ଗତ ଅଶୋକ ଦାସଙ୍କ ପତ୍ନୀ । ତେବେ ହଠାତ୍ କୋରେଇ ଆସନରୁ ସନ୍ଧ୍ୟାରାଣୀଙ୍କୁ ବିଜେଡି ପ୍ରାର୍ଥୀ କରିବା ପଛର କାରଣ କଣ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

୨୦୨୪ ନିର୍ବାଚନ ପୂର୍ବରୁ କୋରେଇ ଆସନ ପାଇଁ ବିଜେଡିରୁ ଅନେକ ଦାବିଦାର ରହିଥିଲେ । କିନ୍ତୁ ଟିକେଟ ନ ମିଳିବା ଜାଣିବା ପରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇ ଟିକେଟ ହାତେଇଥିଲେ ପୂର୍ବତନ ବିଧାୟକ ଆକାଶ ଦାସ ନାୟକ । ସେହିଭଳି କୋରେଇ ବିଧାୟକ ଅଶୋକ ବଳ ମଧ୍ୟ ଏହି ଆସନରୁ ଲଢିବାକୁ ଦାବିଦାର ଥିଲେ । ଅନ୍ୟପଟେ କୋରେଇ ଆସନରେ ପୂର୍ବରୁ ଘଡେଇ ପରିବାରର ଦବଦବା ଥିଲା । ତେଣୁ ଏହି ଆସନରୁ ପ୍ରାର୍ଥୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ ପ୍ରୀତିରଞ୍ଜନ ଘଡାଇଙ୍କ ସ୍ତ୍ରୀ ତଥା ପ୍ରଫୁଲ୍ଲ ଘଡାଇଙ୍କ ବୋହୂ ଝିଲିକ୍ ଭଟ୍ଟାଚାର୍ଯ୍ୟ । ଏପରିକି ମୁଖ୍ୟମନ୍ତ୍ରୀ ସୁଯୋଗ ଦେଲେ ଲଢିବାକୁ ଆଗ୍ରହୀ ବୋଲି କହିଥିଲେ ଝିଲିକ୍ । ଏଭଳି ଏକ ରୋଚକ ସ୍ଥିତି ଭିତରେ କୋରେଇରୁ ପ୍ରାର୍ଥୀ ହୋଇଛନ୍ତି ସନ୍ଧ୍ୟାରାଣୀ । କୋରେଇରୁ ସନ୍ଧ୍ୟାରାଣୀଙ୍କୁ ବିଜେଡି ପ୍ରାର୍ଥୀ କରିବା ପଛର ବଡ କାରଣ ହେଉଛି, ଏହି ଆସନରୁ ପୂର୍ବରୁ ଦିବଙ୍ଗତ ସ୍ୱାମୀ ଅଶୋକ ଦାସ ନିର୍ବାଚନ ଲଢିବା ସହ ବିଜୟୀ ହୋଇଥିଲେ । ତେଣୁ ଏହି ଆସନରେ ଅଶୋକଙ୍କ ନାଁରେ ଏକ ଭୋଟବ୍ୟାଙ୍କ ମଧ୍ୟ ରହିଛି । ଯାହାକୁ ଆଧାର କରି ସନ୍ଧ୍ୟାରାଣୀଙ୍କୁ ଟିକେଟ ଦିଆଯାଇଥିବା ଚର୍ଚ୍ଚା ହେଉଛି । ଦଳରେ ଯେପରି ଅସନ୍ତୋଷ ସୃଷ୍ଟି ନହେବ ସେଥିପାଇଁ ସନ୍ଧ୍ୟାରାଣୀଙ୍କ କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ । ଅନ୍ୟପଟେ ଚଳିତଥର ପ୍ରଣବ ପ୍ରକାଶ ସମ୍ବଲପୁର ଲୋକସଭା ଆସନରେ ନିର୍ବାଚନ ଲଢୁଛନ୍ତି । ତେଣୁ ଯାଜପୁର ଜିଲ୍ଲା ସଙ୍ଗଠନ ଯେପରି ହାତରୁ ଖସିନଯାଏ ତେଣୁ ନିଜ ପରିବାରରୁ ଜଣକୁ ପ୍ରାର୍ଥୀ କରିଥିବା ଚର୍ଚ୍ଚା ହେଉଛି ।