ବିହାର ସରକାରଙ୍କୁ ହାଇକୋର୍ଟଙ୍କ ଝଟକା, ଜାତିଗତ ଜନଗଣନା ଉପରେ ଲଗାଇଲେ ରୋକ

350

କନକ ବ୍ୟୁରୋ : ବିହାରରେ ଚାଲିଥିବା ଜାତିଗତ ଜନଗଣାନା ଉପରେ ପାଟନା ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଛନ୍ତି । ନୀତିଶ କୁମାରଙ୍କ ସରକାର ପାଇଁ ଏହା ବଡ ଝଟକା ବୋଲି କୁହାଯାଉଛି । ବିହାରରେ ଜାତି ଆଧାରିତ ସର୍ଭେକୁ ଜାତିଗତ ଜନଗଣାନା ବା ଜାତୀୟ ଗଣନା ବୋଲି ମଧ୍ୟ କୁହାଯାଉଛି । ସୁପ୍ରିମକୋର୍ଟରେ ଜାତିଗତ ଜନଗଣନା ଉପରେ ରୋକ୍ ଲଗାଇବାକୁ ମଧ୍ୟ ଆବେଦନ ହୋଇଛି । ହେଲେ ତୁରନ୍ତ ଏହି ମାମଲା ଉପରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ । ସୂଚନା ଥାଉକି ନୀତିଶ କୁମାର ଜାତିଗତ ଜନଗଣନା ସପକ୍ଷରେ ଅଛନ୍ତି । ସେ ୨୦୧୯ ଫେବୃଆରୀ ୧୮ ତାରିଖ ଓ ପୁଣି ୨୦୨୦ ଫେବୃଆରୀ ୨୭ ତାରିଖରେ ଏନେଇ ବିହାର ବିଧାନସଭା ଓ ବିଧାନ ପରିଷଦରେ ପାରିତ କରାଇଥିଲେ ।

ସେପଟେ ଜାତିଗତ ଜନଗଣନା ଉପରେ ବିହାର ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇବା ପରେ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି କି ‘ଆମ ସରକାର ଜାତିଗତ ଜନଗଣନା କରିବାକୁ ପ୍ରତିଶ୍ରୁତି ବଦ୍ଧ, ରାଜ୍ୟରେ ଶେଷ ପାହାଚରେ ଥିବା ବ୍ୟକ୍ତିଙ୍କ ନିକଟରେ ସରକାରୀ ଯୋଜନା ପହଂଚାଇବାକୁ ଏହି ସର୍ଭେ କରାଯାଉଛି ’

ବିହାରରେ ଜାତିଗତ ଜନଗଣନାକୁ ନେଇ ଅନେକ ପ୍ରଶ୍ନ ଉଠୁଛି । ବିରୋଧୀ କହିଛନ୍ତି କି, କୌଣସି ରାଜ୍ୟରେ ଜାତିଗତ ଜନଗଣନା କରିବା ସମ୍ବିଧାନର ମୂଳ ଢାଞ୍ଚାର ଉଲଙ୍ଘନ ।