ନୂଆ ପିସିସି ସଭାପତିଙ୍କୁ ଜୋରଦାର ସ୍ୱାଗତ। କଂଗ୍ରେସ ଭବନରେ ବିଧିବଦ୍ଧ ଦାୟିତ୍ୱ ହସ୍ତାନ୍ତର କଲେ ବିଦାୟୀ ସଭାପତି।

231

କନକ ବ୍ୟୁରୋ: ପିସିସି ସଭାପତି ନିଯୁକ୍ତ ହେବା ପରେ ଦିଲ୍ଲୀରୁ ରାହୁଲ ଗାନ୍ଧୀଙ୍କୁ ଭେଟି ଭୁବନେଶ୍ୱର ଫେରିଛନ୍ତି ଶରତ ପଟ୍ଟନାୟକ । ଭୁବନେଶ୍ୱର ବିମାନବନ୍ଦରରେ ନୂଆ ପିସିସି ସଭାପତିଙ୍କୁ ସ୍ୱାଗତ କରିବା ପାଇଁ ବିଶାଳ ପଟୁଆରରେ ପହଁଞ୍ଚିଥିଲେ କଂଗ୍ରେସ ନେତା ଓ କର୍ମୀ । ଏକ ରାଲିରେ ଏୟାରପୋର୍ଟରୁ କଂଗ୍ରେସ ଭବନର ପହଁଚିଥିଲେ ଶରତ ପଟ୍ଟନାୟକ । କଂଗ୍ରେସ ଭବନରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ନୂଆ ପସିସି ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ବିଧିବଦ୍ଧ ଭାବେ ଦାୟିତ୍ୱ ଦେଇଥିଲେ ବିଦାୟୀ ସଭାପତି ନିରଞ୍ଜନ ପଟ୍ଟନାୟକ ।

ଏହି ଅବସରରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଶରତ ପଟ୍ଟନାୟକ । କଂଗ୍ରେସ ଭବନରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଗୋଷ୍ଠୀ କନ୍ଦଳରେ ଲିପ୍ତ ନରହି ଦଳକୁ ମଜବୁତ କରିବାକୁ ଏକାଠି କାମ କରିବାକୁ ଆହ୍ୱାନ ଦେଇଛନ୍ତି ନୂଆ ପିସିସି ସଭାପତି । ବିଶେଷ କରି ୨୦୨୪ ନିର୍ବାଚନକୁ ଫୋକସ କରିବାକୁ ମତ ପ୍ରକାଶ ପାଇଛି ।

ଯଦିଓ ଏହି ଉତ୍ସବରେ ଦଳର ବରିଷ୍ଠ ନେତା ତଥା କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ପ୍ରମୁଖ ଉପସ୍ଥିତ ନଥିଲେ, ତେବେ ନୂଆ ପିସିସି ସଭାପତିକୁ ନେଇ ଦଳୀୟ ନେତା ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା ।