ବାରବାଟୀ କାଉଣ୍ଟରରୁ ଟିକେଟ କିଣାକୁ ନେଇ ଆସିଲା ସାଂଘାତିକ ଅଭିଯୋଗ । ଧନୀଙ୍କ ପାଇଁ ଧାଡିରେ ଲାଗିଥିଲେ ମଜୁରିଆ ।

298

କନକ ବ୍ୟୁରୋ: ଗୁରୁବାର ଦିନ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି ଶେଷ ହୋଇଛି । ୯ ଓ ୧୦ ତାରିଖରେ ବିକ୍ରି ହେବାକୁ ଥିବା ସମସ୍ତ ୧୨ ହଜାର ଟିକେଟ କେବଳ ୯ ତାରିଖରେ ବିକ୍ରି ହୋଇଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଏବେ ବି ଟିକେଟ ମିଳୁଛି ଆଉ କଳାବଜାର କରୁଥିବା ଲୋକେ ଏହି ଟିକେଟ ସବୁକୁ ଚଢାଦରରେ ବିକ୍ରି କରୁଛନ୍ତି ।

  • ବ୍ଲାକରେ ମିଳୁଛି ବାରବାଟୀ ଟିକେଟ୍!
  • ସୋସିଆଲ ମିଡିଆରେ ଟିକେଟ୍ ବିକ୍ରି

ଟିକେଟ ନପାଇ ନିରାଶ ହୋଇଥିବା କ୍ରିକେଟପ୍ରେମୀଙ୍କୁ ଅଧିକ ଟଙ୍କାରେ ଟିକେଟ ବିକ୍ରି କରିବାକୁ ଦଲାଲମାନେ ତରିକା ଆପଣାଇଛନ୍ତି । ସୋସିଆଲ ମିଡିଆ ସହାୟତାରେ ଟିକେଟ ବିକ୍ରି କରିବାକୁ ଖୋଲା ଖୋଲି ପୋଷ୍ଟ କରୁଛନ୍ତି । କେଉଁ ଗ୍ୟାଲେରୀର ଟିକେଟ କେତେ ଟଙ୍କାରେ ବିକ୍ରି ହେବ ତାର ସବିଶେଷ ଦର ଲେଖି ଏହାକୁ ସୋସିଆଲ ମିଡିଆରେ ସେୟାର କରାଯାଉଛି । ଏପରିକି ଯୋଗାଯୋଗ କରିବାକୁ ନମ୍ବର ମଧ୍ୟ ଦିଆଯାଇଛି । ସବୁ ଟିକେଟ ଦର ୪ଗୁଣାରୁ ଅଧିକ ଦାମରେ ବିକ୍ରି ହେଉଛି । ନଜର ପକାନ୍ତୁ କେମିତି ବାରବାଟୀ ଟିକେଟ ବ୍ଲାକରେ ବିକ୍ରି ହେଉଛି ।

          ଗ୍ୟାଲେରୀ ନମ୍ବର          ପ୍ରକୃତ ମୂଲ୍ୟ                  ବିକ୍ରି ମୂଲ୍ୟ

  • ୧ ଓ ୩                      ୯୦୦                           ୫,୫୦୦
  • ୨ ଓ ୪                      ୭୦୦                           ୪,୫୦୦
  • ୫                             ୭୦୦                           ୪,୦୦୦
  • ୬ ଓ ୭                    ୩୦୦/ ୬୦୦                 ୩,୫୦୦

ଟିକେଟ କଳାବଜାରରେ ବିକ୍ରି କରିବା ପାଇଁ ଏଭଳି ସୋସିଆଲ ମିଡିଆରେ ବିଜ୍ଞାପନ ଦେବା ସମସ୍ତଙ୍କ ଚକିତ କରିଛି । ଆଉ ପ୍ରଶ୍ନ ଉଠୁଛି ଏତେ ବଡ ବ୍ୟବସ୍ଥା ଭିତରେ, ହଜାର ହଜାର କ୍ରିକେଟ ପ୍ରେମୀ ଟିକେଟ ପାଉନଥିବାବେଳେ ଦଲାଲଙ୍କ ହାତକୁ ଟିକେଟ ଗଲା କେମିତି ।

କଳାବଜାରର ଟିକେଟ ବିକ୍ରି ଖବର ଭିତରେ ସାମନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଚର୍ଚ୍ଚା ହେଉଛି ଧନୀ ଲୋକମାନେ ଧାଡିରେ ଛିଡା ନହୋଇ ମଜୁରିଆଙ୍କୁ ଟିକେଟ କାଉଣ୍ଟର ବାହାରେ ଛିଡା କରି ଟିକେଟ ହାତେଇଛନ୍ତି । ଏପରିକି ଟିକେଟ କଳାବଜାରୀ କରିବା ଉଦ୍ଦେଶ୍ୟରେ ମଧ୍ୟ ଲୋକ ଲଗାଇ ଟିକେଟ ସଂଗ୍ରହ କରାଯାଇଛି । ଗୁରୁବାର ୧୨ ହଜାର ଟିକେଟ୍ ପାଇଁ ୯ଟି କାଉଣ୍ଟର ଖୋଲା ଯାଇଥିବାବେଳେ ମହିଳାଙ୍କ ପାଇଁ ଦୁଇଟି ସ୍ୱତନ୍ତ୍ର କାଉଣ୍ଟର ଉଦ୍ଦିଷ୍ଟ ଥିଲା । ଆଉ ଏହି ସ୍ୱତନ୍ତ୍ର କାଉଣ୍ଟରରେ ବସ୍ତି ମହିଳାଙ୍କୁ ଛିଡା କରାଇ ଟିକେଟ କିଣିଛନ୍ତି ଦଲାଲ । ଯେଉଁମାନେ କି କ୍ରିକେଟର ଧାର ଧାରନ୍ତି ନାହିଁ ।

ଅଭିଯୋଗ ହେଉଛି ଜଣେ ମହିଳାଙ୍କୁ ୪ ଶହରୁ ୫ ଶହ ଟଙ୍କା ଦେଇ ବସ୍ତି ମହିଳାଙ୍କୁ ଧାଡିରେ ଛିଡା କରାଇଥିଲେ କଳାବଜାରୀ । ତେଣୁ ପଇସା ପାଇ ଏମାନେ ଦାର୍ଘ ସମୟ ଧାଡିରେ ଛିଡା ହେବା ସହ ଟିକେଟ ହାତେଇ ନେଇଥିଲେ ।