ଦିନକୁ ଦିନ ଗମ୍ଭୀର ହେଉଛି ମହାରାଷ୍ଟ୍ର ସଙ୍କଟ: ଉଦ୍ଧବ ଠାକରେ ପାଇଁ ବାହାରିଲେ ପତ୍ନୀ ରଶ୍ମୀ ଠାକରେ

183

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଜାରି ରାଜନୈତିକ ସଂକଟ ଭିତରେ ବିଦ୍ରୋହୀ ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ଗୌହାଟିରେ ଡେରା ପକାଇଥିବା ବିଦ୍ରୋହୀ ଗୋଷ୍ଠୀ ଦିନେ ଦୁଇ ଦିନ ଭିତରେ ମହାରାଷ୍ଟ୍ର ଫେରି ସରକାର ଗଠନ ପାଇଁ ଦାବି କରିବେ ବୋଲି ସୂଚନା ମିଳିଛି । ଉଦ୍ଧବ ଠାକରେଙ୍କ ଆଗରେ ଏବେ ଦୁଇଟି ଚାଲେଞ୍ଜ, ଗୋଟିଏ ସରକାର ବଂଚାଇବା ଅନ୍ୟଟି ଶିବସେନାରେ ନିଜ କର୍ତୃତ୍ୱକୁ ଜାହିର କରିବା ।

ମହାରାଷ୍ଟ୍ରର ରାଜନୈତିକ ସଂକଟ ସୃଷ୍ଟି କରିଥିବା ଶିବସେନାର ବିଦ୍ରୋହୀ ଗୋଷ୍ଠୀ ଗୌହାଟିରେ ଶକ୍ତି ପ୍ରଦର୍ଶନ କରୁଛନ୍ତି । ଏକନାଥ ସିନ୍ଦେ ଓ ବିଦ୍ରୋହୀ ବିଧାୟକ ଗୌହାଟୀର ହୋଟେଲରେ ଛତ୍ରପତି ସାହୁ ମହାରାଜଙ୍କ ଜୟନ୍ତୀ ପାଳନ କରିଛନ୍ତି ।

ପ୍ରଶ୍ନ ହେଉଛି ଗୌହାଟିରେ ଥାଇ ୪୬ ବିଧାୟକଙ୍କ ସମର୍ଥନ ଦାବି କରୁଥିବା ଏକନାଥ ସିନ୍ଦେ ଓ ତାଙ୍କ ଗୋଷ୍ଠୀ ମୁମ୍ବାଇ ଆସି ଏହି ସଂଖ୍ୟା ଗରିଷ୍ଠ ଦାବି କରୁନାହାନ୍ତି କାହିଁକି । ଏହା ପଛର କାରଣ ହେଉଛି ।
– ବିଦ୍ରୋହୀ ବିଧାୟକଙ୍କ ଉପରେ ମୁମ୍ବାଇରେ ଚାପ ପଡିପାରେ
– ସୁରକ୍ଷାକୁ ନେଇ ମଧ୍ୟ ଚିନ୍ତିତ

ଶନିବାର ବିଦ୍ରୋହୀ ବିଧାୟକ କାର୍ଯ୍ୟାଳୟରେ ପଶି ଶିବସେନା କର୍ମୀ ଭଙ୍ଗାରୁଜା କରିବା ପରେ ୧୫ଜଣ ବିଦ୍ରୋହୀ ବିଧାୟକଙ୍କୁ ୱାଇ ପ୍ଲସ ସୁରକ୍ଷା ଯୋଗାଇ ଦେଇଛନ୍ତି କେନ୍ଦ୍ର ସରକାର । ଶିବସେନାର ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ମହାରାଷ୍ଟ୍ର ବିଧାନସଭାର ଉପବାଚସ୍ପତି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସେପଟେ ରାଜ୍ୟପାଳ କରୋନାରୁ ସୁସ୍ଥ ହୋଇ ଫେରିଥିବାରୁ ମହାରାଷ୍ଟ୍ରରେ ଦିନ ଦୁଇଦିନ ଭିତରେ ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ଚର୍ଚ୍ଚା ହେଉଛି ।

ଶିବସେନାର ୧୬ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ମହାରାଷ୍ଟ୍ରର ଉପବାଚସ୍ପତି ପ୍ରକ୍ର୍ରିୟା ଆରମ୍ଭ କରିଥିବା ବେଳେ ଆଇନଗତ ଲଢେଇ ପାଇଁ ପସ୍ତୁତ ହେଉଛନ୍ତି ସିନ୍ଦେଙ୍କ କ୍ୟାମ୍ପ । ସେପଟେ ବିଦ୍ରୋହୀ ବିଧାୟକଙ୍କ ପତ୍ନୀମାନଙ୍କ ସହ କଥା ହୋଉଛନ୍ତି ଉଦ୍ଧବ ଠାକରେଙ୍କ ସ୍ତ୍ରୀ ରଶ୍ମୀ ଠାକରେ । ପତ୍ନୀଙ୍କ ଜରିଆରେ ବିଦ୍ରୋହୀ ବିଧାୟକଙ୍କୁ ବୁଝାଇବାକୁ ଉଦ୍ୟମ ହେଉଛି । ଅନ୍ୟପଟେ ଚର୍ଚ୍ଚା ହେଉଛି, ଏକନାଥ ସିନ୍ଦେ ସହ ଥିବା ବିଦ୍ରୋହୀ ବିଧାୟକଙ୍କ ମଧ୍ୟରୁ ୨୦ ଜଣ ଉଦ୍ଧବ ଠାକରେଙ୍କ ସହ ସଂପର୍କରେ ଅଛନ୍ତି ।

ବିଦ୍ରୋହୀଙ୍କ ବିଦ୍ରୋହ ପରେ ମୁମ୍ବାଇରେ ଉଦ୍ଧବ ଠାକରେଙ୍କ ସମର୍ଥନରେ ରାସ୍ତାକୁ ଓହ୍ଲାଇଛନ୍ତି କର୍ମୀ । ସେପଟେ ସିନ୍ଦେ ସମର୍ଥକ ମଧ୍ୟ ପୁଣେରେ ଏକଜୁଟ ହୋଇ ଶକ୍ତି ପ୍ରଦର୍ଶନ କରିଛନ୍ତି ।