ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଆଜି ଯାଏଁ ପହଞ୍ଚିନଥିଲା ବିଜୁଳି । ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଚାଲିଛି ବିଜୁଳ ସଂଯୋଗ କାମ ।

209

କନକ ବ୍ୟୁରୋ: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ପହଞ୍ଚିନଥିଲା ବିଜୁଳି । ହେଲେ ଏନଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ତାଙ୍କ ଗାଁରେ ପହଞ୍ଚିଥିଲେ ଗଣମାଧ୍ୟମ ପ୍ରତିନିଧି । ଆଉ ଏହାପରେ ସାମ୍ନାକୁ ଆସିଥିଲା ଦ୍ରୋପଦୀଙ୍କ ମୟୂରଭଞ୍ଜ କୁଷୁମ ବ୍ଲକ ଉପରବେଡାର ଗାଁର ଚିତ୍ର । ଗୋଟିଏ ସାହିର ବିଜୁଳି ନଥିବା ଖବର ଗଣମାଧ୍ୟମରେ ପ୍ରସାରଣ ପରେ ଏବେ ବିଜୁଳ ସଂଯୋଗ ଦେବାକୁ ତତ୍ପରତା ପ୍ରକାଶ ପାଇଛି ।

ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଯୁଦ୍ଧକାଳୀନ ଭିତିରେ ଚାଲିଛି ବିଜୁଳି ସଂଯୋଗ । ମେସିନ ଲଗାଇ ଗାତ ଖୋଲା ହେଉଛି, ଇଲେକ୍ଟ୍ରି ଖୁଣ୍ଟ ଆସିଛି । ଶୀଘ୍ର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୋପଦୀ ମୁର୍ମୁଙ୍କ ଗାଁକୁ ବିଜୁଳ ସଂଯୋଗ ଦେବାକୁ ଉଦ୍ୟମ ଚାଲିଛି । ମୟୂରଭଞ୍ଜ କୁଷୁମ ବ୍ଲକ ଉପରବେଡାର କେତେର ଘରକୁ ଆଜି ଯାଏଁ ବିଜୁଳି ସଂଯୋଗ ହୋଇନଥିଲା । ଅବଶ୍ୟ ଦ୍ରୌପଦୀ ମୁର୍ମୁ ଏହି ଗାଁରେ ରୁହନ୍ତି ନାହିଁ । କାରଣ ଗାଁଠାରୁ ୨୦ କିଲୋମିଟର ଦୂର ରାଇରଙ୍ଗପୁର ପୌରାଞ୍ଚଳରେ ରୁହନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ହେଲେ ଏବେ ବି ତାଙ୍କ ଗାଁ ବିଜୁଳି ଆଲୋକଠାରୁ ଦୂରରେ ରହିଥିଲା ।

ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀଙ୍କ ନାଁ ଘୋଷଣା ହେବାପରେ ତତ୍ପରତା ପ୍ରକାଶ ପାଇଛି । ଗଣମାଧ୍ୟମ ଗାଁରେ ପହଞ୍ଚିବା ପରେ ବିଜୁଳ ସଂଯୋଗ କଥା ସାମ୍ନାକୁ ଆସିଥିଲା । ଏହାପରେ ଅଞ୍ଚଳରେ ବିଜୁଳି ବିତରଣ କରୁଥିବା ଟାଟା ପାୱାର କମ୍ପାନି ତତ୍ପରତା ଦେଖାଇ ବିଜୁଳି ସଂଯୋଗ ପାଇଁ କାମ ଆରମ୍ଭ କରିଛନ୍ତି ।

ଦ୍ରୋପଦୀ ମୁର୍ମୁଙ୍କ ଗାଁ ଉପରବେଡାରେ ପ୍ରାୟ ସାଢେ ୩ ହଜାର ଲୋକ ରହୁଥିବାବେଳେ ବଡସାହିରେ ବିଜୁଳି ଅଛି । କିନ୍ତୁ ଡୁଙ୍ଗୁରି ସାହିରେ ଥିବା ୧୪ଟି ଘରକୁ ଆଜିଯାଏଁ ବିଜୁଳି ସଂଯୋଗ ହୋଇନାହିଁ । କୁହାଯାଉଛି ଜଙ୍ଗଲ ଜମିରେ ଘର କରିଥିବାରୁ ଏହି ଘରଗୁଡିକୁ ବିଜୁଳି ଦିଆଯାଇନଥିଲା । ପୂର୍ବରୁ କେବେ ଏନେଇ ଆଲୋଚନା ହେଉନଥିବା ବେଳେ, ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ୱ ପରେ ଗଣମାଧ୍ୟମ ପହଞ୍ଚିବାରୁ ଘଟଣା ଜଣାପଡିଥିଲା । ଜାତୀୟ ଗଣମାଧ୍ୟମରେ ମଧ୍ୟ ଏ ସଂପର୍କରେ ରିପୋର୍ଟ ପ୍ରକାଶ ପାଇଛି ।