ସଙ୍କଟ ବେଳର ସାଥୀ, ବନ୍ୟା ବେଳର ବନ୍ଧୁ । ଜଳବନ୍ଦୀ ଜୀବନ ଭିତରେ ସାଥୀ ପାଲଟିଛନ୍ତି ସାମ୍ବାଦିକ ।

106

କନକ ବ୍ୟୁରୋ: ଭୟଙ୍କର ବନ୍ୟା, ଅକାତକାତ ପାଣି, ଜଳାର୍ଣ୍ଣବ ଜିଲ୍ଲା, ଜଳବନ୍ଦୀ ଜୀବନ । ବୀଭତ୍ସ ବନ୍ୟା, ବିକଟାଳ ବଢିପାଣିରେ ଯେତେବେଳେ ଘରଦ୍ୱାର ବୁଡିଯାଇଛି । ଜୀବନ ଜଳବନ୍ଦୀ ସାଜିଛି । ଠିକ ସେତେବେଳେ ଲୋକଙ୍କ ପାଖରେ ପହଞ୍ଚିଛନ୍ତି ସାମ୍ବାଦିକ । ହଇରାଣ, ହରକତ, ସମସ୍ୟା ଘେରରେ ଥିବା ଲୋକଙ୍କ କଥା ସରକାରଙ୍କୁ ଦେଖାଇବାକୁ ବୁମ୍, କ୍ୟାମେରା ଧରି ବାହାରି ଯାଇଛି ଖବରଦାତାଟିଏ । ସବୁଠି ଭୟ ଆଶଙ୍କାର ଚିତ୍ର । ସବୁଠି ଅଭାବ ଅସୁବିଧାର ଦୃଶ୍ୟ । ସାରା ରାଜ୍ୟ ବନ୍ୟାରେ ବୁଡୁଛି, ନଦୀ ସବୁ ବଢି ପାଣିରେ ଉଛୁଳୁଛି । ଆଉ ଏଭଳି ସମୟରେ ଶୋଇନି ସାମ୍ବାଦିକ, ପେଟ ପୂରା ଖାଦ୍ୟ ବି ଟିକେ ଖାଇନି । ପାଣିରେ ଲୋକେ, ପାଣିରେ ବି ଅଛନ୍ତି ସାମ୍ବାଦିକ । ନଦୀବନ୍ଧରେ ଶୋଇଛନ୍ତିି ଲୋକେ, ରାତି ଅନିଦ୍ରା ହୋଇ ଲୋକଙ୍କୁ ହକ୍ ଦେବାକୁ ଲାଇଭ୍ କରୁଛନ୍ତି ସାମ୍ବାଦିକ ।

ହୀରାକୁଦ ଯେତେବେଳେ ଘୁ ଘୁ ଶବ୍ଦ କରି ପାଣି ଛାଡୁଥିଲା । ତଳିଆ ଅଞ୍ଚଳରେ ଯେତେବେଳେ ପାଣି ପଶୁଥିଲା । ସେତେବେଳେ ଖବର ସଂଗ୍ରହ ପାଇଁ ସାହାସର ସହ ବାହାରି ପଡିଥିଲେ ସାମ୍ବାଦିକ । ନିଜ ଘର, ପରିବାରକୁ ପଛରେ ପକାଇ ଆଗେଇ ଯାଇଥିଲେ, କେବେ ପଛକୁ ଚାହିଁନଥିଲେ । ଲୋକଙ୍କ ପାଇଁ ପ୍ରଶାସନ ସହ ଲଢିଥିଲେ, ଲୋକଙ୍କ କଥାକୁ ଆଗକୁ ଆଣିଥିଲେ । ବନ୍ୟା ଭିତରେ ଅଭାବ, ଅସୁବିଧାର ଚିତ୍ରକୁ ବ୍ରେକିଂ ନ୍ୟୁଜ୍ କରି ଖବର ପ୍ରସାରଣ କରିଥିଲେ ଆମ ସାମ୍ବାଦିକ ଭାଇ ଭଉଣୀମାନେ । ବଢି ପାଣି ଭିତରେ ପଶି ଲୋକଙ୍କ ଅସୁବିଧା ଦେଖାଇବା ହେଉ କି ନଈ ବନ୍ଧରେ ଉଜାଗର ରାତି । ସବୁ ପ୍ରତିକୂଳ ପରିସ୍ଥିତିକୁ ପାର୍ କରି, ରାତି ରାତି ଅନିଦ୍ରା ହେଇ ବନ୍ୟାର ଟିକିନିଖି ଖବରକୁ ସାମ୍ନାକୁ ଆଣିଥିଲେ ସାମ୍ବାଦିକ ।

ବାଙ୍କୀ ହେଉକି ବାଲେଶ୍ୱର, ସମ୍ବଲପୁର ହେଉ କି ସହରର ଉପକଣ୍ଠ । ସବୁଠି ଯେତେବେଳେ ଲୋକ ବନ୍ୟାର ଦୁର୍ଦ୍ଦଶା ଭିତରେ ଜୀବନ ଜିଉଁଥିଲେ । ଘର ଛାଡି ସୁରକ୍ଷିତ ଜାଗା ଖୋଜୁଥିଲେ । ସେତେବେଳେ ଅଟାଂଏ ପାଣିରେ ପଶି ରିପୋର୍ଟିଂ କରୁଥିଲେ । ଆଉ ଲୋକଙ୍କ ସମସ୍ୟାକୁ ଭୋକିଲା ରହି ପ୍ରଶାସନ ପାଖରେ ପହଞ୍ଚାଉଥିଲେ ସାମ୍ବାଦିକ । ଉଦ୍ଧାରକାରୀ ଦଳ ସହ ରହି ରେସ୍କ୍ୟୁ ଅପରେସନର ପ୍ରତିଟି ଅପଡେଟ ଦେଉଥିଲେ ।

କର୍ତ୍ତବ୍ୟ ଭିତରେ ବି ମଣିଷ ପଣିଆକୁ ଭୁଲି ନଥିଲେ କିଛି ପ୍ରତିନିଧି । କୋରାପୁଟରେ ଯେତେବେଳେ ଜଣେ ଅସୁସ୍ଥ ମହିଳାଙ୍କୁ ଭାର କରି ହସ୍ପିଟାଲ ନିଆଯାଉଥିଲା । ସେତେବେଳେ ଏହି କାମରେ ଲାଗିଯାଇଥିଲେ ଜଣେ ସାମ୍ବାଦିକ । କର୍ତବ୍ୟ ଭିତରେ ବି ସେ ତାଙ୍କର ଏହି ମହତ ପଣିଆ ଦେଖାଇଥିଲେ । ସେହିପରି ନଦୀବନ୍ଧରେ ଯେତେବେଳେ ଖାଇବାକୁ ମିଳୁନଥିଲା, ସେତେବେଳେ ପ୍ରଶାସନ ସହ ଲଢିଥିଲେ ଆମ ପ୍ରତିନିଧି ।

ବନ୍ୟାର ଭୟ ଏବେ ବି ଥମିନି । ଆଶ୍ରୟସ୍ଥଳୀରୁ ଭିଡ ଏବେ ବି କମିନି । ଘରୁ ବାହାରି ଆସି ଲୋକମାନେ ଯେମିତି ବାହାରେ ରାତି କାଟୁଛନ୍ତି । ଅନେକ ସାମ୍ବାଦିକ ମଧ୍ୟ ଫିଲ୍ଡ ରିପୋର୍ଟିଂରେ ରହି ସେମିତି ରାତି କାଟୁଛନ୍ତି । ବନ୍ୟା ବିପନ୍ନଙ୍କୁ ନିଦ ନାହିଁ । ସାମ୍ବାଦିକ ବି ସାରା ରାତି ଉଜାଗର । ବନ୍ୟାରେ ଲୋକେ ଓଳିଏ ଖାଇ, ଦି ଓଳି ଉପାସ ରହୁଛନ୍ତି । ରିପୋର୍ଟର ବି ସାରା ଦିନରେ ଥରେ ଖାଇ ସମସ୍ୟା ଦେଖାଇବାରେ ଲାଗିଛନ୍ତି । ଲୋକମାନେ ଭୟ ଭିତରେ ଜୀବନ ବଞ୍ଚେଇବାକୁ ଲାଗିଛନ୍ତି, ସାମ୍ବାଦିକ ବି ବଢି ପାଣିରେ ଲୋକଙ୍କ ସମସ୍ୟା ଦେଖାଇବାରେ ଲାଗିଛନ୍ତି । ଆଉ ଆଗାମୀ ଦିନରେ ଲାଗିଥିବେ ମଧ୍ୟ । ଝଡି ହେଉ କି ବଢି, ବିପତ୍ତି, ବିପର୍ଯ୍ୟୟ ବେଳେ ଲୋକଙ୍କ ଦୁଃଖରେ ସାହସର ସହ ସାମିଲ ହେଉଥିବା ସାମ୍ବାଦିକମାନଙ୍କ ପାଇଁ, ଶେଷରେ ଏତିକି କହିବୁ… ସଲାମ ସାମ୍ବାଦିକ…