୫୦ହଜାର ଟଙ୍କା ଲାଞ୍ଚମାଗିଲା ଡାକ୍ତରଖାନା। ମୃତଦେହ ପାଇଁ ବାପା ମା ମାଗୁଛନ୍ତି ଭିକ୍ଷା।

96

କନକ ବ୍ୟୁରୋ: ଘରକୁ ଘର ବାର ଦୁଆର ବୁଲୁଛନ୍ତି ବୃଦ୍ଧ ଦମ୍ପତି । ଏଠି, ସେଠି ଯେଉଁଠି ଯିଏ ଯାହା ଦେଉଛନ୍ତି ତାକୁ ନେଉଛନ୍ତି । ଖାଲି ପେଟକୁ ଆଖିରେ ଲୁହ, ମନରେ ଅକୁହା କଷ୍ଟ ସାଙ୍ଗକୁ ମୁଣ୍ଡରେ ବଡ ଚିନ୍ତା । କେମିତି କରିବେ ୫୦ହଜାର ଟଙ୍କାର ବନ୍ଦୋବସ୍ତ । ଆପଣ ଭାବୁଥିବେ ହୁଏତ ଏହି ଗରିବ ଦମ୍ପତି ପେଟକୁ ଦୁଇଖଣ୍ଡ ଦାନା ଦେବା ପାଇଁ ହୁଏତ ବୁଲି ବୁଲି ଭିକ ମାଗୁଛନ୍ତି । କିନ୍ତୁ ପ୍ରକୃତ କଥା ଜାଣିଲେ ଆପଣ ବି ଆଶ୍ଚଯ୍ୟ ହେବେ । ବିହାର ସମସ୍ତିପୁରା ଜିଲ୍ଲାର ଏକ ସରକାରୀ ହସପିଟାଲର ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଡାକ୍ତରଖାନା ଏହି ବୁଢା ବାପାମାଙ୍କୁ ନିଜ ପୁଅର ମୃତ ଶରୀରକୁ ହସ୍ତାନ୍ତର ପାଇଁ ମାଗିଛନ୍ତି ପୂରା ୫୦ହଜାର ଟଙ୍କା ।

ଘଟଣାଟି ଜୁନ ୬ ତାରିଖର ବିହାର ସମସ୍ତିପୁରାର ଜଣେ ଯୁବକ ପ୍ରଥମେ ନିଖୋଜ ପରେ ତାଙ୍କର ସନ୍ଦିଗ୍ଧ ଅବସ୍ଥାରେ ଶବ ମିଳିଥିଲା । ତଦନ୍ତ ସରିବା ପରେ ପୁଲିସ ଜିଲ୍ଲାର ସରକାରୀ ହସପିଟାଲକୁ ଶବ ପଠାଇଥିଲେ । ପରେ ସର୍ମ୍ପକୀୟ ପହଁଞ୍ଚିି ଶବକୁ ଚିହ୍ନିଥିଲେ । ଶବ ବ୍ୟବଚ୍ଛେଦ ପରେ ଯେତେବେଳେ ବାପାମା ଏହାକୁ ଆଣିବାକୁ ଯାଇଥିଲେ ସେତେବେଳେ ପୁଅର ଶବ ଦେବାକୁ ରୋକଠୋକ ମନା କରିଥିଲେ ହସପିଟାଲ କର୍ମଚାରୀ । ୫୦ ହଜାର ଟଙ୍କା ଦିଅ, ଶବ ନିଅ ଏଭଳି କିଛି ସର୍ତକ ରଖିବା ପରେ କିଛି ଉପାୟ ନପାଇ ବାପାମା ଏବେ ଘରରୁ ଘର ବୁଲି ଭିକ ମାଗୁଛନ୍ତି ।

ବିହାରର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାପରେ ହସପିଟାଲ କର୍ତ୍ତୃପକ୍ଷ ପରିବାରକୁ ଶବ ହସ୍ତାନ୍ତର କରିଥିବା ଜଣାପଡିଛି । ଘଟଣାକୁ ନେଇ ଚର୍ଚ୍ଚା ଆରମ୍ଭ ହେବା ପରେ ସଫେଇ ରଖିଛନ୍ତି ହସପିଟାଲ କର୍ତ୍ତୃପକ୍ଷ । ଘଟଣାର ତଦନ୍ତ ଚାଲିଛି ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ହସପିଟାଲ । ସେପଟେ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ନିଜର ଟୁଇଟର ପେଜରେ ଏହି ଭିଡିଓ ପୋଷ୍ଟ କରିବା ସହ ବିହାର ସରକାରଙ୍କ ଉପରେ ବର୍ଷିଛନ୍ତି ।

ବେସରକାରୀ ଡାକ୍ତରଖାନାରେ ଏଭଳି ଅନେକ ଘଟଣା ବାରମ୍ବାର ସାମ୍ନାକୁ ଆସିଛି । ଏବେ ଏଥିରୁ ବାଦ ପଡିନି ସରକାରୀ ଡାକ୍ତରଖାନା । ଏହି ଚିତ୍ର ଦେଖିଲେ ଲାଗୁଛି ସତେ ଯେମିତି ହଜିଯାଇଛି ମାନବିକତା, ମରିଯାଇଛି ମଣିଷପଣିଆ