ବନ୍ୟା ଉଜାଡିଦେଲା ସୁନାର ଫସଲ । ଅତି କଷ୍ଟରେ ଧାର କରଜ କରି ନିଜ ଜମିରେ କରିଥିଲେ ଚାଷ । ଚାଷୀର ଅଣ୍ଟା ଭାଙ୍ଗିଦେଲା ପାଞ୍ଚଦିନର ବନ୍ୟା ।

96

କନକ ବ୍ୟୁରୋ: ବନ୍ୟା ଜଳ ନେଇ ଆସିଛି ଚାଷୀଙ୍କ ପାଇଁ ନାହିଁନଥିବା ଦୁଃଖ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ବ୍ଲକ ଅର୍ନ୍ତଗତ ଗହଗାପାଟରେ ଚାଷୀଙ୍କ ପାଇଁ ଦୁଃଖ ଆଣିଛି ବନ୍ୟାଜଳ । ଉଦବୃତ ବର୍ଷା ପାଣି ନିଷ୍କାସିତ ନହୋଇପାରି ଜମି ରହିବା ଫଳରେ ସୃଷ୍ଟି ହୋଇଛି ବନ୍ୟା ଭଳି ପରିସ୍ଥିତି । ଗହଗା ପାଟରେ ଥିବା ଚାଷ ଜମିରେ ଅକାତ କାତ ପାଣି ଲହଡି ମାରୁଥିବା ବେଳେ ଚାଷୀ ଚାଷ କରିଥିବା ପନିପରିବା ଏବଂ ଧାନ ଫସଲ ପାଣିରେ ବୁଡି ରହି ପଚି ଶଢି ନଷ୍ଟ ହୋଇଯାଇଛି । ଧାର କରଜ କରି ଚାଷ କରିଥିବା ଚାଷୀ, ଫସଲ ଉଜୁଡିବା ଦେଖି ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଚିତ୍ରତ୍ପୋଳା ନଦୀରେ ବନ୍ୟାଜଳ ପ୍ରବାହୀତ ହେଉଥିବାରୁ ନାରଣପୁର ଏବଂ ମାଛମରା ସ୍ଲୁଇସ୍ ଗେଟ୍ ବନ୍ଦ ରହିବା କାରଣରୁ ବର୍ଷା ପାଣି ନିଷ୍କାସିତ ହୋଇ ନପାରିବା ଏପରି ସ୍ଥିତି ସୃଷ୍ଟି ହୋଇଛି । ଯାହା ଫଳରେ ପରକୁଳା. ବଛରେଇ, ବନ୍ଧକଟା, ରାଘବପୁର ଏବଂ ଆଖୁଆ ଦକ୍ଷିଣୀ ଇତ୍ୟାଦି ପ୍ରାୟ ୬ ପଞ୍ଚାୟତର ହଜାର ହଜାର ହେକ୍ଟର ଚାଷ ଜମି ବୁଡି ରହିଛି । ଚାଷୀମାନେ ଗହଗା ପାଟ ସମସ୍ୟା ବିଷୟରେ ସରକାର ଓ ବିଭାଗୀୟ ଅଧୀକାରୀଙ୍କୁ ଜଣାଇଥିଲେ ବି ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନି ।

ସେପଟେ ଆଠଗଡ଼ ରାଜନଗର ପଞ୍ଚାୟତର ଦୁଇ ସାଙ୍ଗ ଧାର ଉଦ୍ଧାର କରି ଦେଢ ଏକର ଜମିରେ ବାଇଗଣ, ମାଛ ଓ ଗେଣ୍ଡୁଫୁଲ ଚାଷ କରିଥିଲେ । ମହାନଦୀର ପଛୁଆ ପାଣି ଆସି ୭ ଦିନ ଧରି ଜମି ରହିବା ଯୋଗୁଁ ଜଳମଗ୍ନ ହୋଇଥିଲା ଚାଷ ଜମି । ଫଳରେ ବାଇଗଣ ଓ ଗେଣ୍ଡୁ ଚାଷ ସମ୍ପୁର୍ଣ୍ଣ ନଷ୍ଟ ହେବା ସହ ପୋଖରୀରୁ ମାଛ ବନ୍ୟା ପାଣିରେ ଭାସିଯାଇଛନ୍ତି । ଭାଗରେ ଚାଷ କରିଥିବା ଦୁଇ ସାଙ୍ଗ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିଛନ୍ତି । ପରିବା ଫସଲ ସହ ଧାନ ଚାଷ ମଧ୍ୟ ସମ୍ପୁର୍ଣ୍ଣ ନଷ୍ଟ ହୋଇଛି । ବନ୍ୟା ପାଣିରେ ଧାନ ଗଛ ଗୁଡ଼ିକ ପୋଚା ହୋଇଯାଇଛି । ଆଠଗଡ଼ ବ୍ଲକ ରାଜନଗର, ବାଲିପଦା, ତାରଡ଼ିଖାଲ, ଲିଙ୍ଗାପଦା, ମଂଚେଶ୍ୱର ଓ ଜେନାପୁର ଅଞ୍ଚଳରେ ଚାଷୀଙ୍କ ହେକ୍ଟର ହେକ୍ଟର ଧାନ ଚାଷ ନଷ୍ଟ ହୋଇଛି । ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ବନ୍ୟା ପୀଡ଼ିତ ।