ଆବାସ କାହାର, ପାଉଛି କିଏ: ୧୮ହଜାର ଟଙ୍କା ଦେଇ ନପାରିବାରୁ ଝାଟିମାଟି କୁଡ଼ିଆରେ ଜୀବନ କାଟୁଥିଲେ ବୃଦ୍ଧା

81

କନକ ବ୍ୟୁରୋ: ଚଂଚକତା କରି ଟଙ୍କା ଦେଇ ହାତେଇ ନେଲେ ଘର । ଆଉ ୧୮ ହଜାର ଟଙ୍କା ଦେଇନପାରିବାରୁ ଝାଟି ମାଟି କୁଡ଼ିଆରେ ରହୁଥିବା ବୃଦ୍ଧାଙ୍କୁ ମିଳି ପାରିଲାନି ଘର । ବର୍ଷାରେ ଭୁଶୁଡି ପଡିଲା ଭଙ୍ଗା କୁଡ଼ିଆ ଘର । ଏବେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଅସହାୟ ବୃଦ୍ଧା ମହିଳା । ଆବାସ ଯୋଜନା ବିଫଳତାର ଏହି ଖବର ଆସିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ମୁନିସିପାଲିଟିରୁ । ଘର ପାଇବାରୁ ବଂଚିତ ହୋଇଥିବା ବୃଦ୍ଧା ଜଣକ ହେଉଛନ୍ତି ସାଇବତୀ । ତେବେ ଟଙ୍କା ଦେଇ ଚଂଚକତା କରି ଘର ପାଇଥିବା ବ୍ୟକ୍ତି ଜଣକ ହେଲେ ଭିକାରୀ ଚରଣ ବେହେରା । ଆବାସ ଯୋଜନାରେ ଘର ହାତେଇ ସେ ଏହାକୁ ଦୋକାନ ପାଇଁ ଭଡା ଘର ଲଗାଇଛନ୍ତି ।

ସେପଟେ ଉମରକୋଟ ୭ ନମ୍ବର ୱାର୍ଡ କୁସୁମଗୁଡା ସାହିର ସାଇବତୀ ଭଙ୍ଗା ଦଦରା ଘରେ ନିଜ ଦିବ୍ୟାଙ୍ଗ ଝିଅ ସହିତ ରହୁଛନ୍ତି । ସାଇବତୀ ହରିଜନ ୧୮ ହଜାର ଟଙ୍କା ଫିସ ଦେଇନପାରିବାରୁ ରାଜ୍ୟ ସରକାରଙ୍କ ଜାଗା ମିଶନ ଅନୁକୂଲ୍ୟରେ ପଟ୍ଟା ନ ପାଇ ଆବାସ ଯୋଜନାରୁ ବଂଚିତ ହୋଇଛନ୍ତି । ଏନେଇ ସମ୍ବନ୍ଧୀୟ ଖବର ଗତ ମେ ମାସ ୨୪ ତାରିଖରେ ଖବର ପ୍ରସାରଣ ହୋଇଥିଲା । ଖବର ବାଜିଲା ପରେ ପ୍ରତିଶ୍ରୁତି ମିଳିଲା, କିନ୍ତୁ ମିଳିପାରିଲାନି ବୃଦ୍ଧାଙ୍କୁ ପ୍ରଶାସନିକ ସହାୟତା । ଏବେ ପ୍ରବଳ ବର୍ଷାରେ ସାଇବତୀଙ୍କ ଝାଟି ମାଟି ଘର ଭାଙ୍ଗି ଯାଇ ତାଙ୍କ ଉପରେ ପଡି ଯାଇଛି । ଯାହାଫଳରେ ସାଇବତୀ ଗୁରୁତର ହୋଇ ପଡିଛନ୍ତି । ଦୁଇଟି ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରରେ ଗଭୀର ଆଘାତ ଲାଗିଛି ।