ପଞ୍ଚାୟତ ନିର୍ବାଚନ ସରିବା ପରେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ କସରତ ଆରମ୍ଭ । ନିଜ ପକ୍ଷକୁ ସମିତି ସଭ୍ୟଙ୍କୁ ଆଣିବାକୁ ବିଭିନ୍ନ ଦଳର ପ୍ରତିଯୋଗିତା ।

234

କନକ ବ୍ୟୁରୋ:  ଗାଁ ଭୋଟ୍ ସରିବା ପରେ ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଆରମ୍ଭ ହୋଇଯାଇଛି ଘୋଡ଼ା ବେପାର । ଏବେ କଳ ବଳ କୌଶଳ ଆପଣାଇବାକୁ ପ୍ରତିଯୋଗିତା ଚାଲିଛି । ନିଜ ସଭ୍ୟ ମାନଙ୍କୁ ନିଜ ପାଖରେ ରଖିବା ବି ଚ୍ୟାଲେଞ୍ଜ ହୋଇଯାଇଛି, କାରଣ ଅନ୍ୟ ଦଳ ସବୁ ନଜର ରଖିଛନ୍ତି ।

ବରୀ ବିଧାୟିକା ସୁନନ୍ଦା ଦାସଙ୍କ ଘରେ ବିଜୟୀ ସମିତି ସଭ୍ୟଙ୍କ ବୈଠକ । ପଞ୍ଚାୟତ ନିର୍ବାଚନ ଶେଷ ହେବା ପରେ ଏବେ ଅଧ୍ୟକ୍ଷ ପଦ ହାତେଇବା ପାଇଁ ଆରମ୍ଭ ହୋଇଛି ରଣନୀତି । ଦଳୀୟ ଫୋରମରେ ଲଢେଇ ହୋଇନଥିବାରୁ ବ୍ଲକ ଅଧ୍ୟକ୍ଷ ପଦ ଦଖଲ କରିବାକୁ ବିଭିନ୍ନ ଦଳ ଭିତରେ ଆରମ୍ଭ ହୋଇଯାଇଛି ପ୍ରତିଯୋଗିତା ।

ଅଧ୍ୟକ୍ଷ ପଦ ହାସଲ କରିବାକୁ ଘୋଡା ବେପାର ରାଜ୍ୟରେ କିଛି ନୂଆ କଥା ନୁହେଁ । ତେଣୁ ସମାନ ଧାରାରେ ଏଥର ମଧ୍ୟ ଆର୍ଥିକ ପ୍ରଲୋଭନ ସହ ସମିତି ସଭ୍ୟଙ୍କୁ ବିରୋଧୀ କ୍ୟାମ୍ପରୁ ଦୂରେଇ ରଖିବାକୁ ଅଜଣା ସ୍ଥାନରେ ଏକାଠି କରି ରଖିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ଜଣା ପଡିଛି । ଆଉ ଯାହାକୁ ନେଇ ଅଭିଯୋଗ ଆଣିଛନ୍ତି ବିରୋଧୀ ।

କେବଳ ଯେ, ରାଜନୈତିକ ଦଳ ଭିତରେ ବ୍ଲକ ଅଧ୍ୟକ୍ଷ ପଦ କବଜା କରିବାକୁ ଟଣା ଓଟରା ଚାଲିଛି ତା ନୁହେଁ, ବରଂ ନିଜ ପତିଆରା ଜାହିର କରିବାକୁ ସମାନ ଦଳର ନେତାଙ୍କ ମଧ୍ୟରେ ମଧ୍ୟ ଆରମ୍ଭ ହୋଇଯାଇଛି ଲଢେଇ । ଏହାରି ଭିତରେ କିନ୍ତୁ ଘୋଡା ବେପାର ଅଭିଯୋଗକୁ ଅସ୍ୱୀକାର କରିଛି ପଞ୍ଚାୟତ ଫଳାଫଳରେ ଅହେତୁକ ସଫଳତା ପାଇଥିବା ବିଜେଡି । କେବଳ ବ୍ଲକ ନୁହେଁ ବରଂ ପଞ୍ଚାୟତ ସମିତି ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ହାତେଇବା ପାଇଁ ନିଜ ସମର୍ଥିତ ବିଜୟୀ ପ୍ରାର୍ଥୀଙ୍କୁ ଏକଜୁଟ କରି ରଖିବା ପାଇଁ ଆରମ୍ଭ ହୋଇଛି ଉଦ୍ୟମ । କିନ୍ତୁ ବଡ କଥା ହେଉଛି, ଜିଲ୍ଲା ପରିଷଦ ନିର୍ବାଚନରେ ଶାସକ ବିଜେଡିକୁ ମିଳିଥିବା ସଫଳତା ପରିଷଦ ଗଠନ ପାଇଁ ଦଳକୁ ବାହ୍ୟ ସମର୍ଥନ ଆବଶ୍ୟକତା ଦରକାର କରୁନାହିଁ ।