ଜେଲ ଭିତରେ କଏଦୀଙ୍କୁ ଗପ ଶୁଣାଉଛି ନକଲି ଡାକ୍ତର ରମେଶ ସ୍ୱାଇଁ । ୧୮ ସ୍ତ୍ରୀଙ୍କ ଠକେଇ କାହାଣୀ ଶୁଣିବାକୁ କଏଦୀଙ୍କ ମଧ୍ୟରେ ଉକ୍ରଣ୍ଠା

272

କନକ ବ୍ୟୁରୋ: ଠକ ସର୍ଦ୍ଦାର ରମେଶ ସ୍ୱାଇଁ ଏବେ ଜେଲ କୋଠରୀରେ ଦିନ କାଟୁଥିବା ବେଳେ ତାଙ୍କୁ ନେଇ କଏଦୀଙ୍କ ମଧ୍ୟରେ ଉତ୍ସୁକତା ଭରିଯାଇଛି । କେମିତି ସେ ୧୮ ଜଣ ମହିଳାଙ୍କୁ ଠକିଲେ ଏବଂ ବାହା ହେବାକୁ ପ୍ରବର୍ତ୍ତାଇଲେ, ଏସବୁ ଜାଣିବା ପାଇଁ କଏଦୀମାନେ ରମେଶଙ୍କ ଚାରିପଟେ ଭିଡ଼ ଜମାଉଥିବା ଖବର ମିଳିଛି । ଏସବୁ ପରେ ରମେଶଙ୍କୁ ସ୍ୱତନ୍ତ୍ର ସେଲକୁ ପଠାଇ ଦିଆଯାଇଛି ।

ନକଲି ଡ଼ାକ୍ତର ରମେଶ ସ୍ୱାଇଁଙ୍କ ମୁହଁରୁ ତାଙ୍କ କାହାଣୀ ଶୁଣିବା ପାଇଁ ଜେଲ ଭିତରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ୧୮ ସ୍ତ୍ରୀଙ୍କ ସ୍ୱାମୀର ଠକାମୀର କାହାଣି କେମିତି ହୋଇଥିବ ତାହା ଜାଣିବା ପାଇଁ ସମସ୍ତଙ୍କ ମନରେ କୌତୁହଳ ଥିଲା । ଆଉ ରସିକିଆ ରମେଶ ତାଙ୍କ ଠକେଇ କାହାଣୀକୁ ପ୍ରବଚନ ଦେଲା ଭଳି କହୁଥିଲେ, ସାଥୀ କଏଦୀ ତାକୁ ମନ ଦେଇ ଶୁଣୁଥିଲେ । ମିଳିଥିବା ସୂଚନା ଅନୁସାରେ, ରମେଶ ଓ ତାଙ୍କ କଳାକାରନାମାର କାହାଣୀକୁ ଶୁଣି ବେଶ ମଜା ଉଠାଉଥିଲେ ଜେଲରେ ଥିବା କଏଦୀ । ଆଉ ସାଥୀ କଏଦୀଙ୍କ ଚାହିଦାକୁ ଦେଖି ରସିକିଆ ରମେଶ ମଧ୍ୟ ତାଙ୍କର ଗୋଟିଏ ପରେ ଗୋଟିଏ ଠକ କାହାଣୀ କହିଚାଲିଥିଲେ ।

ଶୁଣିବାକୁ ମିଳିଛି ଯେ, ଜେଲ ଭିତରେ ରମେଶ ଏଭଳି ଭିଡ଼ ଜମାଇବା ଦେଖି ଜଣେ ଜେଲ ଅଧିକାରୀ ତାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଆଉ ରମେଶଙ୍କୁ ଜେଲ ୱାର୍ଡରୁ ବାହାର କରି ହାଇ ସିକ୍ୟୁରିଟି ସେଲ ଭିତରକୁ ପଠାଇଦେଇଥିଲେ । ଝାରପଡ଼ା ଜେଲର ସେଲ ନମ୍ବର ୧୬ ହେଇଯାଇଛି ଠକ ରମେଶର ନୂଆ ଠିକଣା ।

ଏବେ ରମେଶକୁ ପୁଣି ଥରେ ୫ ଦିନିଆ ରିମାଣ୍ଡରେ ଆଣିବ କମିସନରେଟ ପୁଲିସର ପିଙ୍କ ଟିମ୍ । ଗୈାହାଟିରେ ମହିଳା ଡ଼ାକ୍ତରଙ୍କୁ ବିବାହ ଏବଂ ଲୁଟ୍ ମାମଲାରେ ପଚରାଉଚରା କରାଯିବା ସହ ଲାଏ ଡ଼ିଟେକ୍ସନ ଜରିଆରେ ବହୁ ତଥ୍ୟ ଉଗାଳିବ କମିସନରେଟ ପୁଲିସ । ତେବେ ଠକ ସର୍ଦ୍ଦାର ରମେଶ ସାମ୍ରାଜ୍ୟର ଅନ୍ୟ ମୁଖ୍ୟ ଅଭିଯୁକ୍ତ ରମେଶଙ୍କ ଭଉଣୀଙ୍କୁ ପୁଲିସ ଖୁବ ଶୀଘ୍ର ରିମାଣ୍ଡରେ ଆଣିବ । ଅନ୍ୟପଟେ ଫେରାର ଥିବା ରମେଶର ଭିଣୋଈ ଓ ଡ଼୍ରାଇଭରକୁ ଧରିବା ପାଇଁ ବିିଭିନ୍ନ ଜାଗାରେ ଖୋଳତାଡ଼ ଜାରି ରହିଛି ।