ଟିମ୍ ଇଣ୍ଡିଆ ପାଇଁ ବିସିସିଆଇର ନୂଆ ପ୍ଲାନ୍! ତିନି ଫର୍ମାଟରେ ତିନି କ୍ୟାପଟେନ୍, ତିନି ଅଲଗା ଦଳ

1,987

କନକ ବ୍ୟୁରୋ; ଦୀର୍ଘ ୯ ବର୍ଷ ଧରି ଆଇସିସି ଟ୍ରଫି ଅପେକ୍ଷାରେ ଥିବା ଟିମ୍ ଇଣ୍ଡିଆରେ ଏବେ ବଡ ଧରଣର ପରିବର୍ତନ ହୋଇପାରେ । ନୂଆ ବର୍ଷରୁ ଦଳ ନୂଆ ଫର୍ମୁଲା ନେଇ ଆଗକୁ ବଢିବାକୁ ପ୍ଲାନ୍ କରୁଥିବାବେଳେ, ବିସିସିଆଇ ତିନି ଫର୍ମାଟରେ ତିନି କ୍ୟାପଟେନ୍ ଫର୍ମୁଲା ଆପଣାଇପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ତିନି ଫର୍ମାଟରେ ତିନି କ୍ୟାପଟେନ୍ ଏବଂ ତିନୋଟି ଅଲଗା ଅଲଗା ଦଳ ତିଆରି କରିବାକୁ ବିସିସିଆଇ ପ୍ଲାନ୍ ପ୍ରସ୍ତୁତ କରୁଛି । ଯାହାକି ଦଳକୁ ଆଗାମୀ ଦିନରେ ଟ୍ରଫି ଜିତେଇବାକୁ ସାହାଯ୍ୟ କରିପାରେ ।

ନୂଆ ବର୍ଷ ଆରମ୍ଭରୁ ବିସିସିଆଇକୁ ନୂଆ ସିଲେକ୍ସନ କମିଟି ମିଳିବାକୁ ଯାଉଛି । ଏହି ସିଲେକ୍ସନ କମିଟି ଉପରେ, ସବୁ ଫର୍ମାଟରେ ଦଳ ପାଇଁ ନୂଆ କ୍ୟାପଟେନ୍ ବାଛିବା ଦାୟିତ୍ୱ ରହିବ । କୁହାଯାଉଛି ରୋହିତଙ୍କୁ ଦିନିକିଆ ଦଳର କ୍ୟାପଟେନ୍ କରାଯିବା ସହ ପାଣ୍ଡ୍ୟାଙ୍କୁ ଟି-୨୦ ଟିମର କ୍ୟାପଟେନ୍ ପଦ ମିଳିପାରେ । ତେବେ ଟେଷ୍ଟ ଦଳରେ କିଏ ଟିମ୍ ଇଣ୍ଡିଆର କ୍ୟାପଟେନ୍ ହେବ, ତାହା ଏବେ ବି ପ୍ରଶ୍ନ ଚିହ୍ନ ହେଇ ରହିଛି ।

ରୋହିତ ଶର୍ମା ଏବେ ସବୁ ଫର୍ମାଟରେ ଦଳ ରେଗୁଲାର କ୍ୟାପଟେନ୍ ଅଛନ୍ତି । ହେଲେ ଅଧିକାଂଶ ସମୟରେ ଫିଟନେସ୍ ସମସ୍ୟା ଏବଂ ୱାର୍କଲୋଡ୍ କାରଣରୁ ସେ ବ୍ରେକ୍ ନେଉଥିବା ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ତାଙ୍କ ଉପରୁ ଚାପ କମ୍ କରି, ତିନି ଫର୍ମାଟରେ ତିନି କ୍ୟାପଟେନ୍ ନିଯୁକ୍ତ କରିପାରେ ବିସିସିଆଇ । ଅନ୍ୟପଟେ ଆଗକୁ ଦିନିକିଆ ବିଶ୍ୱକପ୍ ଥିବାରୁ ଦଳ, ରୋହିତଙ୍କ ଉପରେ ଅଧିକ ଚାପ ପକାଇବାକୁ ଚାହୁଁନି । ଯେଉଁ କାରଣରୁ ଏହି ନୂଆ ଫର୍ମୁଲା ବିସିସିଆଇ ଆପଣାଇପାରେ ବୋଲି କୁହାଯାଉଛି ।

ଟି-୨୦ରେ କ୍ୟାପଟେନ୍ ପଦ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିପାରେ । ଆଇପିଏଲରେ ସେ ଏହାର ଜଲୱା ଦେଖାଇସାରିଥିବାବେଳେ, ଗୁଜରାଟକୁ ଚାମ୍ପିୟନ୍ ମଧ୍ୟ କରିସାରିଛନ୍ତି । ତେଣୁ ବିସିସିଆଇ ଏବେ ଟି-୨୦ ଟିମର ଭାରତ ପାଣ୍ଡ୍ୟାଙ୍କ କାନ୍ଧକୁ ଦେଇପାରେ । ହେଲେ ତିନି ଫର୍ମାଟରେ ତିନି କ୍ୟାପଟେନ୍ ଫର୍ମୁଲା ଆପଣାଇଲେ, ଟେଷ୍ଟ ଟିମରେ କିଏ ନୂଆ କ୍ୟାପଟେନ୍ ହେବ, ତାକୁ ଚର୍ଚ୍ଚା ଆରମ୍ଭ ହୋଇଛି ।

କେବଳ କ୍ୟାପଟେନ୍ ନୁହେଁ, ଟିମ୍ ଇଣ୍ଡିଆ କୋଚିଂ ଷ୍ଟାଫରେ ମଧ୍ୟ ବଡ ଧରଣର ଅଦଳବଦଳ ହୋଇପାରେ । ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଟି-୨୦ ଫର୍ମାଟ କୋଚ୍ ପଦ, ଧୋନୀ ନହେଲେ ଆଶିଷ ନେହେରାଙ୍କୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ପାଣ୍ଡ୍ୟାଙ୍କ ସହ ଆଶିଷ ନେହେରା ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବାରୁ, ଆଶିଷଙ୍କୁ ଦଳର ଆଗାମୀ ଟି-୨୦ କୋଚ୍ ପଦ ମିଳିପାରେ । ଅନ୍ୟପଟେ ବିଶ୍ୱକପକୁ ଆଖି ଆଗରେ ରଖି ଧୋନୀ ମଧ୍ୟ ଟିମ୍ ଇଣ୍ଡିଆ କୋଚିଂ ଷ୍ଟାଫରେ ଜଏନ୍ କରିପାରନ୍ତି ବୋଲି ସୂଚନା ମିଳୁଛି ।

ଆସନ୍ତା ବର୍ଷ ୨୦୨୩ରେ ଦିନିକିଆ ୱାଲ୍ଡକପ୍ ଏବଂ ୨୦୨୪ରେ ଟି-୨୦ ବିଶ୍ୱକପ୍ ହେବାକୁ ଯାଉଛି । ତେଣୁ ଏଥର ଟ୍ରଫି ଜିତିବାକୁ ଟିମ୍ ଇଣ୍ଡିଆ ଖାଲି ଦଳରେ ନୁହେଁ ବରଂ, କୋଚିଂ ଲେଭଲରେ ମଧ୍ୟ ପରିବର୍ତନ କରିବାକୁ ଯାଉଛି । ହେଲେ ଏହି ପରିବର୍ତନ ଦଳକୁ କେତେ ଫାଇଦା ଦେଉଛି ତାହା ଆଗାମୀ ଦିନରେ ଜଣାପଡିବ ।