ବିରୋଧୀଙ୍କ ମେଳି କରିବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ: ଷ୍ଟାଲିନଙ୍କ ବୈଠକକୁ ବିଜେଡିକୁ ନିମନ୍ତ୍ରଣ

213

କନକ ବ୍ୟୁରୋ: କଂଗ୍ରେସ ନେତା ରାହୁଲଙ୍କ ଗାନ୍ଧିଙ୍କ ଲୋକସଭା ସଭ୍ୟ ପଦ ରଦ୍ଦ ନେଇ ଦେଶର ରାଜନୀତି ସରଗରମ ଥିବାବେଳେ ପୁଣି ବିରୋଧୀଙ୍କୁ ଏକାଠି କରିବାକୁ ଉଦ୍ୟମ ଆରମ୍ଭ ହୋଇଛି । ଆଉ ଏହି ଉଦ୍ୟମ ଆରମ୍ଭ କରିଛନ୍ତି ସବୁ ପ୍ରସଙ୍ଗରେ କଂଗ୍ରେସର ସାଥ ଦେଉଥିବା ଡିଏମକେ ମ୍ରୁଖ୍ୟ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ । ସାମାଜିକ ନ୍ୟାୟ ପ୍ରସଙ୍ଗରେ ଏପ୍ରିଲ ୩ ତାରିଖ ତଥା ଆସନ୍ତା ସୋମବାର ଦିନ ଚେନ୍ନାଇରେ ଏକାଠି ହେବାକୁ ୧୪ ଦଳକୁ ନିମନ୍ତ୍ରଣ କରିଛନ୍ତି ଷ୍ଟାଲିନ । ଆଉ ସବୁଠାରୁ ବଡ କଥା ହେଲା, ବିଜେଡି ଓ ବିଜେପିର ଅତି ନିକଟତର ଥିବା ଆନ୍ଧ୍ରର ୱାଇଏସଆର କଂଗ୍ରେସକୁ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି ।

ପୂର୍ବରୁ ବିରୋଧୀଙ୍କୁ ଏକାଠି କରିବାକୁ ଅନେକ ବୈଠକ ହୋଇଥିଲେ ବି ନିମନ୍ତ୍ରଣ ପାଇ ବିଜେଡି ଏଥିରେ ସାମିଲ ହୋଇନାହିଁ । ବିଜେପି ଓ କଂଗ୍ରେସଠାରୁ ସମଦୂରତ୍ୱ କଥା କହି ସବୁ ବୈଠକରୁ ଦୂରେଇ ରହୁଛି ବିଜେଡି । ଆଉ ଷ୍ଟାଲିନ ଡାକିଥିବା ବୈଠକରେ ବିଜେଡି ସାମିଲ ହେଉଛି ନା ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି ।

କୁହାଯାଉଛି, ଷ୍ଟାଲିଙ୍କ ଏହି ବୈଠକରେ ଇଡି ଓ ସିବିଆଇ ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟର୍ଶୈଳୀ ନେଇ ଆଲୋଚନା ହୋଇପାରେ । ୧୪ଟି ଦଳ କୋର୍ଟ ଯିବା ନେଇ ବୈଠକରେ ଆଲୋଚନା ହୋଇପାରେ । ଷ୍ଟାଲିନଙ୍କ ଶକ୍ତି ପ୍ରଦର୍ଶନରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱ ଯାଦବ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ସମେତ କଂଗ୍ରେସ, ଏନସିପି, ତୃଣମୂଳ କଂଗ୍ରେସ, ବିଆରଏସ, ବାମପନ୍ଥୀ ଦଳର ନେତା ସାମିଲ ହେବେ । ତେବେ ଅନେକ ବିରୋଧୀ ନେତା ମତ ହେଉଛି, ଯଦି ବିଜେଡି ଓ ୱାଇଏସଆର କଂଗ୍ରେସ ଯୋଗଦିଅନ୍ତି ତେବେ ବୈଠକର ପ୍ରଭାବ ଅଧିକ ହୋଇପାରିବ । ଏଭଳି ଚର୍ଚ୍ଚା ଭିତରେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ସମଦୂରତା କଥା କହି ପ୍ରସଙ୍ଗକୁ ଏଡାଇଯାଇଛନ୍ତି ।

କିଛି ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଷ୍ଟାଲିନଙ୍କ ଶକ୍ତି ପ୍ରଦର୍ଶନରେ ବିଜେଡି ନେତା ସସ୍ମିତ ପାତ୍ର ଓ ୱାଇଏସଆର କଂଗ୍ରେସର ପ୍ରତିନିଧି ସାମିଲ ହୋଇପାରନ୍ତି । କିନ୍ତୁ ଏ ନେଇ ବିଜେଡି ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।