ରାଜ୍ୟରେ ମିଳିବ ସରୋଗାସି ସୁବିଧା। ନିଃସନ୍ତାନଙ୍କୁ ଯିବାକୁ ପଡିବନି ଅନ୍ୟ ରାଜ୍ୟ।

36,008

କନକ ବ୍ୟୁରୋ: ନିଃସନ୍ତାନ ଦମ୍ପତିଙ୍କୁ ସନ୍ତାନପ୍ରାପ୍ତି ପାଇଁ ଏବେ ଆଉ ପଡୋଶୀ ରାଜ୍ୟକୁ ଯିବାକୁ ପଡିବ ନାହିଁ । ଏଣିକି ରାଜ୍ୟରେ ସରୋଗାସି ବା ଭଡାରେ ଗର୍ଭଧାରଣ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ୩ଟି ସଂସ୍ଥା ଅବେଦନ କରିଛନ୍ତି । ଗତ ଜୁନରେ ରାଜ୍ୟ ସରକାର ଏଥିପାଇଁ ବୋର୍ଡ ଗଠନ କରିଥିଲେ । ଏହା ପରେ ଉଭୟ ସରୋଗାସି ଓ ଆଇଭିଏଫ ଖୋଲିବା ନେଇ ଆବେଦନପତ୍ର ବଢୁଛି । ଏଥିପାଇଁ ୧୨ ଟି ସଂସ୍ଥା ଅନଲାଇନରେ ଆବେଦନ କରିଛନ୍ତି । ଯଦି ସରୋଗାସି ଓ ଏଆରଟି ବ୍ୟାଙ୍କ ପାଇଁ ଆବେଦନ କରିଥିବା ସଂସ୍ଥାର କାଗଜପତ୍ର ଠିକ ଥାଏ ତାହାହେଲେ ଏଥିପାଇଁ ସେମାନଙ୍କୁ ଅନୁମୋଦନ ମିଳିବ ।

ଏବେ ଆସନ୍ତୁ ଦେଖିବା ସରୋଗାସି କଣ?
-କୌଣସି ଦମ୍ପତ୍ତି ଗର୍ଭଧାରଣ ପାଇଁ ଅକ୍ଷମ ହେଲେ ଅନ୍ୟ ମହିଳାଙ୍କୁ ଭଡାସୁତ୍ରରେ ନେଇପାରନ୍ତି
-ସମ୍ପୃକ୍ତ ମହିଳା ନିଜ ଗର୍ଭରେ ଭ୍ରୁଣ ଧାରଣ କରିପାରିବେ
-ଏଥିପାଇଁ ସମ୍ପୃକ୍ତ ଦମ୍ପତି ଓ ମହିଳାଙ୍କ ମଧ୍ୟରେ ରାଜିନାମା ହେବ
-ଗର୍ଭଧାରଣା ବେଳେ ସମ୍ପୃକ୍ତ ମହିଳାଙ୍କ ଯତ୍ନ ଦମ୍ପତି ନେବେ
-ଛୁଆ ଜନ୍ମ ହେଲା ପରେ ସମ୍ପୃକ୍ତ ଦମ୍ପତି ଏହାର ମାତା-ପିତା ହେବେ

ଏହି ସବୁ ବ୍ୟବସ୍ଥାକୁ ପରିଚାଳନା କରିବା ପାଇଁ ରାଜ୍ୟ ସରକାର ବୋର୍ଡ ଗଠନ କରିଛନ୍ତି । ଏହି ବୋର୍ଡରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ, ସଚିବ, ଶିଶୁରୋଗ ବିଶେଷଜ୍ଞ ଓ କିଛି ସମାଜସେବୀ ରହିଛନ୍ତି ।

ଏବେ ଆପଣଙ୍କ ମନରେ ପଶ୍ନ ଉଠୁଥିବ, ସରୋଗାସି ପାଇଁ ଖର୍ଚ୍ଚ ହେବ କେତେ । ଡାକ୍ତରଙ୍କ କହିବା ଅନୁସାରେ, ବର୍ତମାନ ରାଜ୍ୟରେ ବେସରକାରୀ ଡାକ୍ତରଖାନାରେ ଆଇଭିଏଫ ପାଇଁ ଦେଢ ଲକ୍ଷରୁ ଦୁଇ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ତେବେ ସରୋଗାସି ପାଇଁ ଏହାଠାରୁ ଅଧିକ ଖର୍ଚ୍ଚ ହୋଇପାରେ ।