କନକ ବ୍ୟୁରୋ: ସମ୍ପୂର୍ଣ୍ଣ ଓଡ଼ିଶାର ରାଜନୈତିକ ମାନଚିତ୍ର ଉପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଆଖି । କେବଳ ଓଡ଼ିଶାର ତେଲୁଗୁ ଭାଷାଭାଷୀ ଅଞ୍ଚଳ ନୁହେଁ ବରଂ ବିଧାନସଭାର ୧୪୭ ଆସନ ଏବଂ ଓଡ଼ିଶାର ୨୧ଟି ଲୋକସଭା ଆସନ ଉପରେ ନଜର ରଖିଛି କେସିଆରଙ୍କ ନୂଆ ଦଳ ଭାରତ ରାଷ୍ଟ୍ର ସମିତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏକାଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବଡ଼ ବଡ଼ ଜାତୀୟସ୍ତରର ନେତାଙ୍କୁ ଏକାଠି କରି, କେ. ଚନ୍ଦ୍ରଶେଖର ରାଓ ନିଜର ଶକ୍ତି ପ୍ରଦର୍ଶନ କରିଥିବା ସାରିଥିବା ବେଳେ ଚର୍ଚ୍ଚା ହେଉଛି-ଓଡ଼ିଶା ପାଇଁ ପ୍ରସ୍ତୁତ କରିଛନ୍ତି ସ୍ୱତନ୍ତ୍ର ନକ୍ସା । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କେସିଆରଙ୍କ ଭାରତ ରାଷ୍ଟ୍ର ସମିତି ଦଳ ଓଡ଼ିଶାର ସମସ୍ତ ଆସନରେ ଟିକେଟ୍ ଦେବ । ଏଥିପାଇଁ ଜଣେ ପରେ ଜଣେ ଓଡ଼ିଶାର ନେତାଙ୍କୁ ଡାକି ଆଲୋଚନା କରୁଛନ୍ତି । ଏମିତି କି ବିଜେଡି, ବିଜେପି ଓ କଂଗ୍ରେସର ଅସନ୍ତୁଷ୍ଟ ଓ କୋଣଠେସା ନେତାଙ୍କୁ ନିଜ ଦଳରେ ସାମିଲ କରିବାକୁ ଯୋଜନା ରଖିଛନ୍ତି ।
ପୂର୍ବରୁ କେବଳ, ଓଡ଼ିଶା ତେଲୁଗୁ ଭାଷୀ ଜିଲ୍ଲା ଯଥା- ଗଞ୍ଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲା ଉପରେ ନଜର ରଖୁଥିଲା ଭାରତ ରାଷ୍ଟ୍ର ସମିତି । କିନ୍ତୁ ଏବେ ସମଗ୍ର ଓଡ଼ିଶାର ଭୋଟରଙ୍କୁ ଲକ୍ଷ୍ୟରେ ରଖି ଖସଡ଼ା ପ୍ରସ୍ତୁତ କରିଛି । ୨୦୨୪ ଲଢ଼େଇ ପାଇଁ ମୁଖ୍ୟତଃ ୪ଟି ପ୍ରସଙ୍ଗ- ଚାଷୀ, ଦାଦନ, ଗରିବି ଏବଂ ବେକାରି ସମସ୍ୟାକୁ ନେଇ ମୈଦାନକୁ ଓହ୍ଲାଇବାର ଯୋଜନା କରୁଛି । ତେବେ ଓଡ଼ିଶାରେ କେସିଆର, କୌଣସି ପ୍ରଭାବ ପକାଇପାରିବେ ନାହିଁ ବୋଲି ଉଭୟ ବିଜେଡି ଓ କଂଗ୍ରେସ ନେତା କହିଛନ୍ତି ।
ସୂଚନା ଅନୁସାରେ- ଅଣ-ବିଜେପି ଏବଂ ଅଣ କଂଗ୍ରେସ ନେତାଙ୍କୁ ଏକାଠି କରି ଏକ ନୂଆ ସାମୁଖ୍ୟର ଯୋଜନା କରୁଛନ୍ତି କେ. ଚନ୍ଦ୍ରଶେଖର ରାଓ । ଆଉ ଏହି କ୍ରମରେ ଓଡ଼ିଶାର କିଛି ତୁଙ୍ଗ ନେତାଙ୍କୁ ନେଇ ଓଡ଼ିଶାରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି । ଦେଖିବାର କଥା କେସିଆରଙ୍କ ଏହି ପ୍ରୟୋଗ କେତେ ସଫଳ ହେଉଛି ।