ସୁପ୍ରିମକୋର୍ଟରେ ପହଁଚିଲା କୋଭିସିଲ୍ଡ ପ୍ରସଙ୍ଗ । ଟିକାରୁ ପାଶ୍ୱର୍ପ୍ରତିକ୍ରିୟା ଓ ବିପଦ ନେଇ ଅଧିକ ଯାଂଚ ନିର୍ଦ୍ଦେଶ ଦେବାକୁ ଆବେଦନ

99

କନକ ବ୍ୟୁରୋ : କରୋନା ଟିକା କୋଭିସିଲ୍ଡର ଯାଂଚ କରିବା ପାଇଁ ବୁଧବାର ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଛି । କୋଭିସିଲ୍ଡ ଟିକାର ପାଶ୍ୱର୍ପ୍ରତିକ୍ରିୟା ଓ ବିପଦ ନେଇ ଅଧିକ ଯାଂଚ କରିବାକୁ ଏକ ବିଶେଷଜ୍ଞକାରୀ ଟିମ୍ ଗଠନ କରାଯାଉ ବୋଲି ଆବେଦନ କରାଯାଇଛି । ବିଶାଲ ତିୱାରୀ ନାମକ ଜଣେ ଆଇନଜୀବୀ କୋଭିସିଲ୍ଡ ଟିକାକୁ ନେଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ନିଜ ଆବେଦନରେ କହିଛନ୍ତି –
– କୋଭିସିଲ୍ଡ ଟିକାର ପାଶ୍ୱର୍ପ୍ରତିକ୍ରିୟା ଓ ଏହାର ବିପଦ କାରକଗୁଡିକର ଯାଂଚ ହେବା ଉଚିତ
– ତଦନ୍ତ କରି ଟିକା ଦ୍ୱାରା ହେଉଥିବା କ୍ଷତି ବିଷୟରେ ତଥ୍ୟ ବାହାର କରାଯାଉ
– ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ୱାବଧାରେ ଏସବୁ କରାଯିବା ଉଚିତ୍
– ଟିକା ନେବା ପରେ କେହି ଯଦି ଅକ୍ଷମ ହୋଇଛନ୍ତି କିମ୍ବା ମୃତ୍ୟୁବରଣ କରିଛନ୍ତି ସେମାନଙ୍କୁ ମିଳୁ କ୍ଷତିପୂରଣ

ମହାମାରୀ କରୋନାରୁ ବର୍ତିବା ପାଇଁ ଦେଶରେ ଟିକାକରଣ ଆରମ୍ଭ ହୋଇଥିଲା । ଲୋକଙ୍କୁ କରୋନା ଟିକା ନେବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପ୍ରୋତ୍ସାହିତ କରିଥିଲେ । ତେବେ ଦେଶର ସର୍ବାଧିକ ଲୋକ କୋଭିସିଲ୍ଡ ଟିକା ନେଇଛନ୍ତି । କେନ୍ଦ୍ରସରକାରଙ୍କ ତଥ୍ୟ ଅନୁସାରେ ୧୭୫ କୋଟି ଲୋକ କୋଭିସିଲ୍ଡ ଟିକା ନେଇଛନ୍ତି । ସେହିପରି ୩୬ କୋଟି କୋଭାକ୍ସିନ୍ ଓ ୭ କୋଟି ୩୮ ଲକ୍ଷ କୋର୍ବେଭ୍ୟାକ୍ସ ଟିକା ନେଇଛନ୍ତି । ସେପଟେ ବିଶେଷଜ୍ଞଙ୍କ କହିବା କଥା, କୌଣସି ବି ଟିକାରେ ପାଶ୍ୱର୍ ପ୍ରତିକ୍ରିୟା ୬ମାସ ମଧ୍ୟରେ ହିଁ ଦେଖାଦେଇଥାଏ । ଏବେ ତଦନ୍ତ କରାଯାଉଛୁଛି କାହିଁକି ।

କରୋନା ସମୟରେ ଯେଉଁମାରେ କୋଭିସିଲ୍ଡ ଟିକା ନେଇଛନ୍ତି ସେମାନଙ୍କ ଠାରେ ବିରଳ ପାଶ୍ୱର୍ ପ୍ରତିକ୍ରିୟା ଦେଖାଦେଇପାରେ ବୋଲି ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀ ଆଷ୍ଟ୍ରାଜେନିକା ସ୍ୱୀକାର କରିଥିଲା । ବ୍ରିଟେନ୍ର କୋର୍ଟରେ ଟିକାକୁ ନେଇ ମାମଲା ଚାଲିଥିବାବେଳେ ଏ କଥା ସ୍ୱୀକାର କରିଥିଲା କମ୍ପାନୀ । ଆଉ ଆଷ୍ଟ୍ରାଜେନିକା ଫର୍ମୁଲାକୁ ନେଇ ଭାରତୀୟ କମ୍ପାନୀ ସେରମ୍ ଇନ୍ଷ୍ଟିଚ୍ୟୁଟ୍ କୋଭିସିଲ୍ଡ ଟିକା ପ୍ରସ୍ତୁତ କରିଥିଲା ।